ଛତ୍ରପୁରରେ ବିଜେପିର ଶକ୍ତି ପ୍ରଦର୍ଶନ: ପ୍ରାର୍ଥିତ୍ବକୁ ବିରୋଧ କରି ପ୍ରଶାନ୍ତ ଓ ବନମାଳୀ ଗୋଷ୍ଠୀ ଅନୁପସ୍ଥିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଆଜି ବିଜେପି ଦଳର ୪୪ତମ ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କରିଛି। ବ୍ରହ୍ମପୁର ‌ଲୋକସଭା ଆସନ ପ୍ରାର୍ଥୀ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ସମର୍ଥକଙ୍କ ଗହଣରେ ବାଇକ୍ ରାଲିରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ବିଶେଶ୍ୱର ମନ୍ଦିରରୁ ଏହି ବାଇକ୍ ରାଲି ବାହାରି ସହର ପରିକ୍ରମା କରିବା ଶିବକୁମାର ପଟ୍ଟନାୟକ ରିଡ଼ିଂରୁମ୍‌ରେ ପହଞ୍ଚିଥିଲା। ସେଠାରେ ବିଜେପି ଲିଗାଲ ସେଲ୍‌ର ରାଜ୍ୟ ସହସଂଯୋଜକ ପ୍ରଦୀପ କୁମାର ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ପ୍ରଦୀପ ଯୋଗ ଦେଇ ବୁଥ୍‌ସ୍ତରରେ ଦଳର ସଂଗଠନକୁ ସୁଦୃଢ଼ କରିବା ଓ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଥିଲେ। ସେହିପରି ଗୋଟିଏ ମନ ଓ ଗୋଟିଏ ହୃଦୟରେ ଦଳ ପାଇଁ କାମ କରିବାକୁ କୃଷ୍ଣଚନ୍ଦ୍ର କର୍ମୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷକ ଥିଲେ ଓଡ଼ିଆ ସିନେ ଅଭିନେତା ତଥା ବିଜେପି ନେତା ଅରନ୍ଦିମ୍ ରାୟ।

କର୍ମୀ ଏବଂ ନେତାଙ୍କୁ ଉତ୍ସାହିତ କରିଥିଲେ। ତେବେ ଛତ୍ରପୁର ଆସନରେ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ଗଲା କିଛି ଦିନ ହେଲା ଦେଖା ଦେଇଥିବା ଅସନ୍ତୋଷର ପ୍ରମାଣ ଆଜି ଦେଖିବାକୁ ମିଳିଥିଲା। ପ୍ରାର୍ଥୀ ବଦଳାଇବାକୁ ଦାବି କରି ରାଜ୍ୟ କମିଟିର ଦୃଷ୍ଟି ଆକର୍ଷଣ କରିଥିବା ଗତ ୨୦୧୯ର ଦଳୀୟ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଓ ବିଜେଡି ଛାଡ଼ି ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ବନମାଳୀ ସେଠୀ ଓ ତାଙ୍କ ସମର୍ଥକ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖାଯାଇଥିଲା। ବିଜେପି ଗଞ୍ଜାମ ଜିଲ୍ଲା ସାଂଗଠନିକ ସଭାପତି ଡା.ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଉପସଭା‌ନେତ୍ରୀ ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା ଓ ପଦ୍ମଚରଣ ସାହୁ, ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି କୀର୍ତ୍ତନ ଦାସ, ସମ୍ପାଦକ ଭୀମସେନ ବେହେରା, ନିର୍ବାଚନମଣ୍ଡଳୀର ସଂଯୋଜକ ବସନ୍ତ କୁମାର ବେହେରା ଓ ପ୍ରଭାରୀ ପ୍ରଦୀପ ପାତ୍ରଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ। ରୁଇନା ପଟ୍ଟନାୟକ, ଡି.ସୁରେଶ ରେଡ୍ଡୀ, ଜି.ମୋହନ ରେଡ୍ଡୀ ଓ ଚୈତନ୍ୟ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର