ପୃଥକ୍ ଦୁର୍ଘଟଣା: ୩ ଦଣ୍ଡୁଆ ମୃତ, ୧୫ ଆହତ

ଭ୍ୟାନ୍ ଓଲଟି ୨ ଦଣ୍ଡୁଆ, କାର୍ ଧକ୍କାରେ ପାଟଭୁକ୍ତାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ/ଛତ୍ରପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଚମାଖଣ୍ଡି ଥାନା ଇଲାକାରେ ପୃଥକ୍ ସଡ଼କ ଦୁର୍ଘଟଣା ୩ ଜଣ ଦଣ୍ଡୁଆଙ୍କ ଜୀବନ ନେଇଛି। ହିଞ୍ଜିଳିକାଟୁ ଥାନା ସୋମପୁର ଛକ ୫୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍ ପ୍ରାୟ ୪ଟାରେ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ୨ ଜଣ ଦଣ୍ଡୁଆ ପ୍ରାଣ ହରାଇଛନ୍ତି। ୧୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ, ସୋରଡ଼ା ଥାନା କାଳିଆଗୁଡ଼ା ଗ୍ରାମର ସନ୍ୟାସୀ ନାୟକ (୫୦) ଓ ତାମନାଡ଼ ଗ୍ରାମର ଦୀପକ ନାୟକ।

ଗାଙ୍ଗପୁର ଥାନା ଦହିମୁଣ୍ଡଳି ଗ୍ରାମ ଦଣ୍ଡନାଚ ପୁଞ୍ଜାର ୨୦ରୁ ଅଧିକ ଦଣ୍ଡୁଆ ଗତକାଲି ବ୍ରହ୍ମପୁରରେ ଦଣ୍ଡନାଚ ପରିବେଷଣ କରି ଏକ ବୋଲେରୋ ପିକ୍‌ଅପ୍ ଭ୍ୟାନ୍‌ରେ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ଗ୍ରାମ ଅଭିମୁଖେ ବାହାରିଥିଲେ। ଏହି ସମୟରେ ସୋମପୁର ଛକ ୧୬ ନମ୍ବର ଜାତୀୟ ରାଜପଥରେ ଚାଳକଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡର୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇଜଣ ଦଣ୍ଡୁଆ ସନ୍ୟାସୀ ଓ ଦୀପକ ପ୍ରାଣ ହରାଇଥିଲେ। ପୂଜା ସାମଗ୍ରୀ ସବୁ ଏଣେତେଣେ ବିଛେଇ ହୋଇପଡ଼ିଥିଲା। ହିଞ୍ଜିଳିକାଟୁ ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ କର୍ମଚାରୀ ଓ କିଛି ସ୍ୱେଚ୍ଛାସେବୀ ପହଞ୍ଚି ଆହତ ଦଣ୍ଡୁଆମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାକୁ ଆଣିଥିଲେ। ତେବେ ଚାଳକ ଫେରାର ‌ହୋଇ ଯାଇଥିଲା। ଏହି ଖବର ପ୍ରଚାର ହେବା କ୍ଷଣି ହିଞ୍ଜିଳିକାଟୁ ଡାକ୍ତରଖାନା ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଏନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ସହ ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଚମାଖଣ୍ଡି ଥାନା ଜଗନ୍ନାଥପୁର ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ କାର୍ ଧକ୍କାରେ ଗଞ୍ଜାମ ବ୍ଲକ୍ ବରଦା ଗ୍ରାମ ଦଣ୍ଡନାଚ ଦଳର ଜଣେ ପାଟଭୁକ୍ତା ପ୍ରାଣ ହରାଇଛନ୍ତି। ମୃତକଜଣକ ଉକ୍ତ ଗ୍ରାମର କୃଷ୍ଣ ମହାପାତ୍ର। ବ୍ରହ୍ମପୁର ଖୋଡ଼ାସିଙ୍ଗିରେ ଦଣ୍ଡନାଚ ସରିବା ପରେ ଭୁକ୍ତାମାନେ ଚାଲି ଚାଲି ଛତ୍ରପୁର ଆସୁଥିବା ବେଳେ ଏକ କାର୍ ଦ୍ରୁତ ଗତିରେ ଆସି କୃଷ୍ଣଙ୍କୁ ଧକ୍କା ଦେଇଥିଲା। ହାଇୱେ ପାଟ୍ରୋଲିଂ ଟିମ୍ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆଣିଥିଲା। କିନ୍ତୁ କୃଷ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚମାଖଣ୍ଡି ଥାନା କେସ୍ ନଂ ୧୪୧/୨୪‌ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର