ବୌଦ୍ଧ: ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଶ୍ୱଶୁର ନିହତ

ବୌଦ୍ଧ: ରବିବାର ସକାଳେ ସରସରା ଗ୍ରାମରେ ଜଣେ ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କର ମୃତ୍ୟୁ ଘଟିଛି।

ମୃତ ଶ୍ୱଶୁର ହେଲେ ୭୨ ବର୍ଷିୟ ଘୁଣ୍ଡୁ ବାରିକ ଓ ହତ୍ୟାକାରୀ ଜ୍ୱାଇଁ ହେଲେ ୪୫ ବର୍ଷିୟ ପଙ୍କଜ ସେଠୀ।

ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇ ଥିବା ସାମୁଦ୍ରିକ ବତାସ ‘ପେଥାଇ’ ପ୍ରଭାବରେ ରବିବାର ସକାଳେ ଏ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସାମାନ୍ୟ ବର୍ଷା ହେଉଥିବାରୁ ସକାଳ ପ୍ରାୟ ୬: ୩୦ ରୁ ୭ଟା ମଧ୍ୟରେ ଆମ୍ବପଡ଼ିଆ ବିଲରେ ପଡ଼ିଥିବା ପେଟା ଧାନ ଉଠାଇବା କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ କଜିଆ ହୋଇଥିଲା। ଏଥିରେ ଜ୍ୱାଇଁ ରାଗି ଯାଇ ପାଖରେ ଥିବା ଗୋଟାଏ ଟାଙ୍ଗିଆରେ ଶ୍ୱଶୁରଙ୍କ ପଛପଟୁ ମୁଣ୍ଡରେ ଚୋଟ ବସାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଘୁଣ୍ଡୁଙ୍କର ମୃତ୍ୟୁ ଘଟିଛି ଜାଣି ଜ୍ୱାଇଁ ପଙ୍କଜ ଘଟନାସ୍ଥଳରୁ ଖସି ପଳାଇଥିଲେ, କିନ୍ତୁ ଗାଁ ଲୋକେ ତାଙ୍କୁ ଅନୁସରଣ କରି ନାରାୟଣପୁର ଗାଁ ଠାରେ ଧରି ତାଙ୍କୁ ବୌଦ୍ଧ ପୁଲିସକୁ ହସ୍ତାନ୍ତର କରିଥିଲେ।

ତୁରନ୍ତ ଥାନା ଅଧିକାରୀ ତପସ୍ୱିନୀ କହଁର ଘଟନାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟନାର ତଦନ୍ତ ଆରମ୍ଭ କରିଛି।

ଅଭିଯୁକ୍ତ ପଙ୍କଜ ୨୦ ବର୍ଷ ହେବ ଘୁଣ୍ଡୁଙ୍କ ଘରେ ଘରଜ୍ୱାଇଁ ହୋଇ ରହିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ଓ ୪ଟି ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର