ବ୍ରଜରାଜନଗର ଉପନିର୍ବାଚନ: ମତଦାନ ହାର ୭୧.୯୦ %

ଝାରସୁଗୁଡ଼ା/ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଶେଷଖବର ସୁଦ୍ଧା ୭୧.୯୦% ଭୋଟର୍‌ ନିଜନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ସକାଳ ୭ଟାଠାରୁ ଭୋଟ୍‌ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଏଥିପାଇଁ ଭୋଟର୍‌ମାନଙ୍କ ମଧ୍ୟରେ ସବୁଠି ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବିଶେଷକରି, ମଡେଲ ଓ ପିଙ୍କ୍‌ ବୁଥଗୁଡ଼ିକ‌ ଭୋଟରଙ୍କୁ ଅଧିକ ଆକୃଷ୍ଟ କରିଥିଲା। ଏହି ବୁଥଗୁଡ଼ିକରେ ଭୋଟରଙ୍କ ବସିବା ପାଇଁ ଚୌକି, ଗାଲିଚା, ଗୋଲାପ ଫୁଲ ସହିତ ଥଣ୍ଡା ପାନୀୟ ବିତରଣ, ମାସ୍କ ଓ ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସହାୟତା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ, ବୁଥ୍‌ଗୁଡ଼ିକରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକାଧିକ ହୁଇଲ୍‌ ଚେୟାରର ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କୁ ଘରୁ ଅଣାଯିବା ଏବଂ ନେଇ ଛାଡ଼ିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ତେବେ, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଭୋଟରମାନେ ଅସହ୍ୟ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଇଥିଲା। ଅପରାହ୍ନରେ ବ୍ରଜରାଜନଗର, ବେଲପାହାଡ଼ ତଥା ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ସମାନ୍ୟ ବର୍ଷା ଓ ପବନ ହେବାପରେ ପାଗ ଅନୁକୂଳ ହୋଇଥିଲା।

ଲଖନପୁର ବ୍ଲକର ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତ, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ ୨, ୧୪,୮୭୮ ଭୋଟରଙ୍କ ପାଇଁ ୨୭୯ଟି ବୁଥର ବ୍ୟବସ୍ଥା କରାଯାଇଥିଲା। ଏହି ବୁଥଗୁଡ଼ିକ ମଧ୍ୟରେ ୩୦ଟି ଆଦର୍ଶ ବୁଥ ଓ ୫ଟି ପିଙ୍କବୁଥ୍‌ କରାଯାଇଥିଲା। ନିର୍ବାଚନରେ ଏ କଂଗ୍ରେସ, ବିଜେଡି , ବିଜେପି ଓ ସିପିଆଇ ସହିତ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲେ। କଂଗ୍ରେସର କିଶୋର ଚନ୍ଦ୍ର ପଟେଲ, ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, ସିପିଆଇର ରମେଶ ତ୍ରିପାଠୀ ପ୍ରମୁଖ ପ୍ରାର୍ଥୀଭ‌ାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୭ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଇଭିଏମ୍‌ରେ ସମସ୍ତଙ୍କ ଭାଗ୍ୟ ସିଲ୍‌ ହୋଇଥିବାବେଳେ ଆସନ୍ତା ୩ ତାରିଖ ଦିନ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେହିଦିନ ଭୋଟଗଣତି କରାଯିବା ପାଇଁ ଦିନଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର