ତପ୍ତପାଣି ଘାଟିରେ ଓଲଟିଲା ଓଜେଇଇ ପରୀକ୍ଷାର୍ଥୀଙ୍କ ବସ୍‌ : ୨୦ରୁ ଊର୍ଦ୍ଧ୍ବ ଆହତ, ୧୦ ଗୁରୁତର

୬୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା

ବ୍ରହ୍ମପୁର/ପାଟପୁର : ଆଜି ରାତିରେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପୁଣି ଘଟିଛି ବସ୍‌ ଦୁର୍ଘଟଣା। ଓଜେଇଇ ପ୍ରବେଶିକା ଦେବା ଲାଗି ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଉଥିବା ବସ୍‌ଟି ଘାଟିରୁ ଗଡ଼ୁଥିବା ବେଳେ ପାଲୁଖଳା ବୁଲାଣିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଫଳରେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଘଟଣାସ୍ଥଳରୁ ରିପୋର୍ଟ ମିଳିଛି। ରିପୋର୍ଟ ଲେଖାହେବା ବେଳକୁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ ପ୍ରାୟ ୨୦ ଜଣ ଆହତଙ୍କୁ ଉଦ୍ଧାର କରି ନିଜସ୍ବ ଗାଡ଼ିରେ ଦିଗପହଣ୍ତି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଗଜପତି ଜିଲ୍ଲାର ଚାନ୍ଦିପୁଟଠାରୁ ପ୍ରାୟ ୬୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବସ୍‌ଟି ରାତିରେ ଭୁବନେଶ୍ବର ବାହାରିଥିଲା। ବସ୍‌ ଓଇଆର୍‌-୦୨ବିଏସ୍‌- ୦୨୬୮ ତପ୍ତପାଣି ଘାଟି ଓହ୍ଲାଉଥିବା ବେଳେ ପାଲୁଖଳା ବୁଲାଣିରେ ଭରାସାମ୍ୟ ଘାଟି ପାର୍ଶ୍ବକୁ ୨୦ଫୁଟ୍‌ ତଳ ଖାଲକୁ ଖସି ପଡ଼ିଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପାଟପୁର ଥାନା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ତପ୍ତପାଣି ଘାଟିର ଏହି ପାଲୁଖଳା ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ଜାନୁଆରି ମାସରେ ବସ୍‌ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୨୯ରେ ରାୟଗଡ଼ାରୁ କଟକ ଯାଉଥିବା କାଗଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅକ୍ଟୋବର ୪ରେ ରାୟଗଡ଼ାରୁ କଟକ ଯାଉଥିବା ଆଉ ଏକ କାଗଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର