ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦେବାରେ କେନ୍ଦ୍ର ସାଜିଛି ବାଧକ: ଭାସ୍କର ରାଓ

ବିଜେଡିର ବିଶାଳ କର୍ମୀ ସମାବେଶ

ରାୟଗଡ଼ା/କାଶୀପୁର: ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନରେ ବାଧକ ସାଜିଛି କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ୬ ଥର ଚିଠି ଲେଖିଛନ୍ତି। ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିଛି। ତୁରନ୍ତ ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା ପରେ ମଧ୍ୟ ଜାଣିଶୁଣି କେନ୍ଦ୍ର ଅବହେଳା କରୁଛି।

ଟିକିରିରେ ଆୟୋଜିତ ବିଜେଡିର ବିଶାଳ କର୍ମୀ ସମାବେଶରେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଶ୍ରୀ ରାଓ କହିଛନ୍ତି, ବିଜେଡି ସରକାର ସୁବବେଳେ ଆଦିବାସୀ ତଥା କାଶୀପୁରର ବିକାଶକୁ ଗୁରୁତ୍ବ ଦେଇ ଆସିଛି। କିନ୍ତୁ ବିରୋଧୀ ଭୋଟ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇ କାଶୀପୁରବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତିକୁ ଭରସା କରି ୨୦୧୯ ନିର୍ବାଚନରେ କାଶୀପୁରବାସୀ କରିଥିବା ଭୁଲକୁ ନେଇ ଏବେ ପଶ୍ଚ୍ୟାତାପ କରୁଛନ୍ତି। ନିର୍ବାଚନ ଜିତିଲେ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଥିଲେ ନେତା। ଆଜି ପର୍ଯ୍ୟନ୍ତ ଜଣଙ୍କୁ ମଧ୍ୟ ନିଯୁକ୍ତି ମିଳିଲା ନାହିଁ। ରାସ୍ତାଘାଟ, ବିଦ୍ୟୁତ୍, ପାନୀୟଜଳ ସମେତ ମୌଳିକ ସୁବିଧା ସୁଯୋଗର ବିକାଶ ଦିଗରେ ଓଡ଼ିଶା ସରକାର କାମ କରୁଛନ୍ତି। କିଛି ନେତା ନିଜ ଉଦ୍ୟମରେ ଏ ସବୁ କରୁଥିବା ନେଇ ମିଥ୍ୟା ପ୍ରଚାର ଚଲାଇଛନ୍ତି। ଆଗାମୀ ନିର୍ବାଚନରେ ଏପରି ନେତାଙ୍କୁ ପ୍ରତ୍ୟାଖାନ କରିବାର ସମୟ ଆସିଛି। ୨୦୨୪ ନିର୍ବାଚନରେ ୨୦୧୯ର ପୁନରାବୃତ୍ତି ଯେମିତି ନ ହେବ ସେଥି ଲାଗି କର୍ମୀ, ନେତା ତୃଣମୂଳସ୍ତରରୁ ସଂଗଠନ ସଜାଡ଼ି ବିଜେଡି ବିଜୟ ବ୍ୟବଧାନକକୁ ୨୫ ହଜାରକୁ ବୃଦ୍ଧି କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ ଶ୍ରୀ ରାଓ।

କର୍ମୀ ସମାବେଶରେ ବିଜେଡିର ରାଜ୍ୟ ସମ୍ପାଦକ ଜଗଦୀଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଯୋଗଦେଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରଣୟନ କରିଛନ୍ତି ବୋଲି କହିଥିଲେ। ପ୍ରତି ଗାଁକୁ ରାସ୍ତା, ପୋଲ ନିର୍ମାଣ, ଗୁଣାତ୍ମକ ଶିକ୍ଷା ପାଇଁ ସ୍ମାର୍ଟ ବିଦ୍ୟାଳୟ, ହଷ୍ଟେଲ ସାଙ୍ଗକୁ ମାଗଣାରେ ପୁସ୍ତକ, ପୋଷାକ, ସାଇକେଲ, ଲ୍ୟାପଟପ୍ ସହ ଷ୍ଟାଇପେଣ୍ଡ ପ୍ରଦାନ କରୁଛନ୍ତି। ଟଙ୍କିକିଆ ଚାଉଳ, ମମତା ଯୋଜନା, କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଶନ ଶକ୍ତି ଭଳି ବହୁ ଯୋଜନା ପ୍ରଣୟନ ହୋଇଛି। ପଞ୍ଚାୟତ ନିର୍ବାଚନରେ କାଶୀପୁରବାସୀ ବିଜେଡିକୁ ଅକୁଣ୍ଠ ସମର୍ଥନ ଦେଇଥିବାରୁ ୨୦୨୪ ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ  କର୍ମୀଙ୍କୁ ଆହ୍ଵାନ ଦେଇଥିଲେ ନେତା।

ସମାବେଶ ଆରମ୍ଭ ପୂର୍ବରୁ ଟିକିରି ତୋଟାଗୁଡା ଛକରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଓଷାପଡ଼ା ସଭା ମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ପଦଯାତ୍ରାରେ କାଶୀପୁର ଦୁଇଟି ଜିଲ୍ଲା ପରିଷଦ ଜୋନ୍ ସମେତ ୧୫ଟି ପଞ୍ଚାୟତର ୧୦ ହଜାରରୁ ଉର୍ଦ୍ଧ୍ବ ନେତା, କର୍ମୀ ସାମିଲ୍ ହୋଇଥିଲେ। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ଚନ୍ଦ୍ରକାନ୍ତ ସାମଲ, କେସିସି ବ୍ୟାଙ୍କ ନିର୍ଦେଶକ ବାନାଗାଡ଼ି ତ୍ରିପତି, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ସୁଜାତା ପାଳ, ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝି, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅମୀୟ ସ୍ୱାଇଁ, କାଶୀପୁର ବ୍ଲକ୍ ବିଜେଡ଼ି ସଭାପତି ବିନୋଦ ନାୟକ, ବରିଷ୍ଠ ନେତା ଯଦୁ ଗରଡା, ଚକ୍ରଧର ବିଡ଼ିକା, ଯୁବ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ହର ପ୍ରସାଦ ନାୟକ, ଉପସଭାପତି ଅମିତ୍ ‌କୁମାର ନାୟକ, ଯୁବ ବିଜେଡି ଜିଲ୍ଲା ସଂପାଦକ ପ୍ରତାପ ବାଘ, ବିଷ୍ଣୁ ପ୍ରସାଦ ପାତ୍ର, କାଉନସିଲର୍ ସନ୍ତୋଷ ଦଳେଇ, ସର୍ମିତା ପାଢ଼ୀ, ଗୋପୀନାଥ ଗୌଡ଼, ରାୟଗଡା ଆରଏମସିଏସ ସଭାପତି ବିଜୟରତ୍ନ ଚୌଧୁରୀ, ଟିକିରି ଲ୍ୟାମ୍ପସ ସଭାପତି ପପୁଲାର ମାଝି, ଯୁବନେତା ରତିକାନ୍ତ ନାଏକ, ଲିଙ୍ଗ ନାଏକ, ପ୍ରସାଦ ନାଏକ, ପାଟ ମାଝି, ଲାଛି ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ମୋ ପରିବାରର ଜିଲ୍ଲା ଆବାହକ ବିନାୟକ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର