ସମଲେଇ ଯୋଜନାରେ ବିସ୍ଥାପନକୁ ନେଇ ଦ୍ବନ୍ଦ୍ବ

ଘର ଛାଡ଼ିବା ପରେ କୁଆଡ଼େ ଯିବେ  ଘୁନୁଘୁଟିପଡ଼ାବାସୀ

ସମ୍ବଲପୁର: ସମଲେଇ ଯୋଜନା‌େର ବିସ୍ଥାପନ ପ୍ରକ୍ରିୟାକୁ ପ୍ରଶାସନ ଇତି ମଧ୍ୟରେ ଜୋରଦାର କରିଛି। ହେଲେ ଏହି ବିସ୍ଥାପନ ନୀତିରେ ‌ଥିବା କିଛି ଦ୍ବନ୍ଦ୍ବ ବିସ୍ଥାପିତଙ୍କ ମଧ୍ୟରେ ଅନିଶ୍ଚିତତା ଓ ଆଶଂକା ସୃ‌ଷ୍ଟି କରିଛି। ବ‌ିଶେଷ କରି ଏହି ଯୋଜନାରେ ବିସ୍ଥାପିତ ହେବାକୁ ଥିବା ଘୁନୁଘୁଟିପଡ଼ାବାସୀଙ୍କୁ ମାସେ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲା ଓ ମହାନଗର ପ୍ରଶାସନ ଯୋଜନା କରୁଛି। ମାତ୍ର ସେମାନଙ୍କୁ ଦିଆ ଯାଉଥିବା ବିସ୍ଥାପନ ପ୍ୟାକେଜ୍ ଓ କ୍ଷତିପୂରଣକୁ ନେଇ ପଡ଼ାବାସୀ ଅସନ୍ତୁଷ୍ଟ ରହିଛନ୍ତି। କେବଳ ସେତିକି ନୁହେଁ, ଏଠାରୁ ଘର ଛାଡ଼ିବା ପରେ ସେମାନେ କେଉଁଠିକୁ ଯିବେ ତାହା ସେମାନଙ୍କ ପାଇଁ ଚିନ୍ତାର ମୁଖ୍ୟ କାରଣ ପାଲଟିଛି। କାରଣ ବିସ୍ଥାପିତ ହେବାକୁ ଥିବା ଏହି ପୁରାତନ ବସ୍ତିର ପ୍ରତି ପରିବାରକୁ ସେମାନଙ୍କ ଘର ଢାଞ୍ଚାର ସରକାରୀ ଆକଳନ ଅନୁଯାୟୀ କ୍ଷତିପୂରଣ (ସର୍ବନିମ୍ନ ୫୦ ହଜାର) ଓ ୬ ମାସ ପାଇଁ ୨୫୦୦ ଟଙ୍କା ଲେଖାଏଁ ଘର ଭଡ଼ା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଏହି ବସ୍ତିରେ ପ୍ରାୟତଃ ଗରିବ ଶ୍ରେଣୀର ଲୋକ ରହୁଥିବାରୁ ଓ ସେମାନଙ୍କ ଘରର ଆକଳନ ମୂଲ୍ୟ ଅଧିକ ହେଉ ନଥିବାରୁ ଅଧିକାଂଶ ୫୦ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ହିଁ କ୍ଷତିପୂରଣ ପାଇବେ। ୬ ମାସ ଭଡ଼ା ବାବଦକୁ ଆଉ ୧୫ ହଜାର ଟଙ୍କା ମିଳିବ। କିନ୍ତୁ ଖୋଜିଲେ ବି ଏତିକି ଟଙ୍କାରେ ସେମାନଙ୍କୁ ଅନ୍ୟତ୍ର ଭଡ଼ା ଘର ମିଳୁ ନାହିଁ। ସେହିପରି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଅନୁଯାୟୀ ଦିଆ ଯିବାକୁ ଥିବା ଜମି ପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ କେବେ ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଫଳରେ ସେମାନେ ଯେ ବସ୍ତି ଛାଡ଼ିବାର ୬ ମାସ ମଧ୍ୟରେ ନିଜସ୍ବ ଘର ତୋଳି ରହି ପାରିବେ ତାହା ନିଶ୍ଚିତ ନୁହେଁ। ସରକାରୀ ପ୍ରକ୍ରିୟାରେ ତାହା ବର୍ଷେ ବି ହୋଇପାରେ, ୬ ବର୍ଷ ବି ଲାଗି ଯାଇପାରେ। ତା’ହେଲେ ସେତେଦିନ ପର୍ଯ୍ୟନ୍ତ ଏହି ବିସ୍ଥାପିତ ‌େଲାକେ କେଉଁଠି ରହିବେ ସେନେଇ ଚିନ୍ତା ଘାରିଛି। ପ୍ରଶାସନ ପ୍ରଥମେ ଜମି ପଟ୍ଟା ଓ ସରକାରୀ ଆବାସର କାର୍ଯ୍ୟାଦେଶ ଦେଇ ସେମାନଙ୍କୁ ବିସ୍ଥାପିତ କରୁ ବୋଲି ଲୋକେ ଦାବି କରୁଛନ୍ତି।

ପୂର୍ବରୁ ଏହି ପଡ଼ାବାସୀ ପ୍ରସ୍ତାବିତ ଦୁର୍ଗାପାଲି ଅଞ୍ଚଳକୁ ଯିବାକୁ ବିରୋଧ କରୁଥିଲେ। ସେମାନେ ଫିସରି ବନ୍ଧ ଅଞ୍ଚଳରେ ଜାଗା ଦାବି କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଦୁର୍ଗାପାଲିକୁ ଯିବା ପାଇଁ ବାଧ୍ୟବାଧକତାରେ ରାଜି ହୋଇଛନ୍ତି। ହେଲେ ସେମାନଙ୍କୁ କେବେ ପ୍ରତିଶ୍ରୁତି ଅନୁଯାୟୀ ୬୫୦ ବର୍ଗଫୁଟ୍‌ର ଜାଗା ମିଳିବ ଓ ଆବାସ ଯୋଜନା ବାବଦ ଅର୍ଥ ମିଳିବ, ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟଭାବେ କିଛି କହାଯାଉ ନାହିଁ। ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ବି ଧାର୍ଯ୍ୟ ହୋଇ ନାହିଁ। ତେଣୁ କେବଳ ୫୦ ହଜାର ଟଙ୍କାର ଘରଭଙ୍ଗା କ୍ଷତିପୂରଣ ରାଶିରେ ଘର ତୋଳିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ।

ଯଦି ବି କେହି ନିଜ ସଂଚିତ ଅର୍ଥରେ ଘର କରିବାକୁ ଚାହିଁବ, ଜମି ଚିହ୍ନଟ ହୋଇ ନଥିବାରୁ ତାହା ମଧ୍ୟ ସମ୍ଭବ ନୁହେଁ। ଅପର ପକ୍ଷରେ ଅନ୍ୟ ବିସ୍ଥାପିତ ଓ ସେମାନଙ୍କ ମଧ୍ୟରେ ପାତରଅନ୍ତର କରା ଯାଉଥିବା ନେଇ ବି ଘୁନୁଘୁଟିପଡ଼ାବାସୀ ଅଭିଯୋଗ କରି ଆସୁଛନ୍ତି। ଏହା ସତ୍ତ୍ବେ ଇତି ମଧ୍ୟରେ ପଡ଼ାର ଅନେକ ଲୋକ କ୍ଷତିପୂରଣ ନେଇ ଘର ଛାଡ଼ିବାକୁ ସହମତି ଦେଇ ସାରିଲେଣି। କେତେଜଣ କ୍ଷତିପୂରଣ ଗ୍ରହଣ କରି ଘର ମଧ୍ୟ ଛାଡ଼ି ଦେଲେଣି।

ଏ ସବୁ ଭିତରେ ଗତ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସମ୍ବଲପୁର ଗସ୍ତ ଏହି ପଡ଼ାବାସୀଙ୍କ ମଧ୍ୟରେ କିଛିଟା ଆଶା ସୃଷ୍ଟି କରିଥିଲା। ସଚିବଙ୍କୁ ଭେଟି ଆପତ୍ତି ଅଭିଯୋଗ ଜଣାଇବେ ବୋଲି ସେମାନେ ଦାବିପତ୍ର ବି ଲେଖିଥିଲେ। କିନ୍ତୁ ସେମାନେ ସଚିବଙ୍କୁ ଭେଟିପାରି ନଥିଲେ କି ଦାବିପତ୍ର ପ୍ରଦାନ କରିପାରି ନଥିଲେ। ସେମାନେ କରୁଥିବା ଦାବି ଗୁଡ଼ିକ ହେଲା ପଟ୍ଟା ସହିତ ୬୫୦ ବର୍ଗଫୁଟ୍ ଜମି ହସ୍ତାନ୍ତର କରିବା, ଘରଭଙ୍ଗା କ୍ଷତିପୂରଣ ରାଶି ସର୍ବନିମ୍ନ ୫୦ ହଜାର ବଦଳରେ ୫ ଲକ୍ଷ ଟଙ୍କା କରିବା, ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ବଦଳରେ ସେହି ବାବଦକୁ ୨.୫ ଲକ୍ଷ ଟଙ୍କା ଆକାରରେ ପ୍ରଦାନ କରିବା, ଘରଭଡ଼ା ବାବଦରେ ମାସକୁ ୨୫୦୦ ବଦଳରେ ୫ ହଜାର ଟଙ୍କା ଦେବା, ସ୍ଥାନାନ୍ତର ଖର୍ଚ୍ଚ ୧୦ ହଜାର ବଦଳରେ ୩୦ ହଜାର କରିବା, ସ୍ଥାନାନ୍ତର ସମୟରେ ୭ ଦିନର ରନ୍ଧା ଖାଦ୍ୟ ବଦଳରେ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା, ସର୍ଭେରେ ସ୍ଥାନ ପାଇ ନଥିବା ଘୁନୁଘୁଟି ପଡ଼ାର ୧୨ଟି ପରିବାରକୁ ବିସ୍ଥାପିତ ତାଲିକାରେ ସାମିଲ କରିବା ଆଦି ପ୍ରମୁଖ ରହିଛି।

ଏ ପ୍ରସଂଗରେ ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ପଚାରିବାରୁ ସେ କହିଲେ, ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି ଓ ପଡ଼ାର ପ୍ରାୟ ୫୦% ଲୋକଙ୍କର ସହମତି ବି ମିଳି ସାରିଛି। ସେମାନଙ୍କୁ ‌କ୍ଷତିପୂରଣ ରାଶି ବାବଦ ଚେକ୍ ପ୍ରଦାନ ସହ ସ୍ଥାନାନ୍ତର କରାଯିବ। ବିସ୍ଥାପିତ ଲୋକଙ୍କର ଯେମିତି କୌଣସି ପ୍ରକାର ଅସୁବିଧା ନହେବ ତାହାକୁ ପ୍ରଶାସନ ସର୍ବାଧିକ ଗୁରୁତ୍ବ ଦେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଡିପିଆର୍‌ ରାଜ୍ୟ ସରକାରଙ୍କୁ ଦିଆ ସରିଛି ଓ ଖୁବ୍‌ ଶୀଘ୍ର ତାହାର ମଞ୍ଜୁରି ମିଳିଯିବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍‌ (ଓବିସିସି) ଏଥି ପାଇଁ ୩-୪ଟି ଭଲ ଡିଜାଇନ୍ ବି ପ୍ରସ୍ତୁତ କରି ସାରିଛି। ତେଣୁ ଏଥି ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଠିକ୍ ସମୟରେ ସବୁ ମିଳିବ ଓ  ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର