ନବନିର୍ମାଣର ଅନଶନ ଦ୍ୱିତୀୟ ଦିନରେ ଦାବିରେ ଅଟଳ ଚାଷୀ

ସମର୍ଥନ ଜଣାଇଲା କଂଗ୍ରେସ

ଭୁବନେଶ୍ୱର: ଚାଷୀଙ୍କୁ ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ୍‌ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଚାଷୀମାନେ ସେମାନଙ୍କର ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟ ପକ୍ଷରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ କଂଗ୍ରେସର ବହୁ ନେତୃବୃନ୍ଦ ଧାରଣାସ୍ଥଳକୁ ଯାଇ ଅନଶନକାରୀଙ୍କୁ ସମର୍ଥନ ଜଣାଇଛନ୍ତି। ଅପରପକ୍ଷରେ ଆଜି ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ମିଶାଇ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ଚାଷୀ ଏହି ଅନଶନରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ୩ଶହରୁ ଅଧିକ ଚାଷୀ ଏହି ଅନଶନରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏହି ଅନଶନ ଜାରି ରହିଛି। ଆଜି ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ହଜାର ହଜାର ଚାଷୀ ଲୋୟର ପିଏମ୍‌ଜି ସ୍ଥଳରେ ଚାଲିଥିବା ଅନଶନରେ ସାମିଲ ହୋଇଥିଲେ। ସଂଗଠନର କହିବାନୁଯାୟୀ, ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନର ଏହି ଅନଶନ କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ମହମ୍ମଦ ମୋକିମ୍‌, କୃଷକ ସେଲ୍‌ ସଭାପତି ଅମିୟ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ସମାଜସେବୀ ସୁଦର୍ଶନ ଦାସ ଓ କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ ପ୍ରମୁଖ ପହଞ୍ଚି କୃଷକଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଅନ୍ୟପକ୍ଷରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସମାଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର