୨୦ଦିନ ଭିତରେ ପ୍ରଚାରକୁ ଜୋରଦାର କରିବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୨୦ ଦିନ ଭିତରେ ରାଜ୍ୟବ୍ୟାପୀ କଂଗ୍ରେସ ନିଜର ପ୍ରଚାରକୁ ଜୋରଦାର କରିବ। ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ। ଯେଉଁମାନେ କଂଗ୍ରେସର ନୀତି ଓ ଆଦର୍ଶ ଉପରେ ବିଶ୍ବାସ ଅଛି ସେମାନେ କଂଗ୍ରେସ ଦଳକୁ ଫେରି ଆସନ୍ତୁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସର ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ।

ଆଜି ସଂଧ୍ୟାରେ ଶ୍ରୀ ଦାସ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତାଙ୍କୁ ଏକ ‌ବିଶାଳ ଶୋଭାଯାତ୍ରାରେ ଅଣାଯାଇଥିଲା। ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ, ରାଜମହଲ ଓ ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ପରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଦାସ କହିଥିଲେ ଯେ ଉଭୟ ବିଜେଡି ଓ ବିଜେପିର ମିଳିତ ସରକାରଙ୍କୁ ରାଜ୍ୟବାସୀ ୨୫ବର୍ଷ ଧରି ଓଡ଼ିଶାକୁ ଶାସନ କରିବାର ସୁଯୋଗ ଦେଇଛନ୍ତି। କିନ୍ତୁ ଏ ରାଜ୍ୟ କୌଣସି କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ମହିଳାମାନେ ସୁରକ୍ଷିତ ନୁହନ୍ତି। ବେକାରୀ ସମସ୍ୟା ଶୀର୍ଷ ସ୍ତରରେ ପହଞ୍ଚିଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଆଦିବାସୀ ଜିଲ୍ଲାମାନଙ୍କରେ ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା, ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ। ଆ‌ଉ କେବେର୍ଷ ଶାସନ କଲେ ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ହେବ ? ରାଜ୍ୟର ଲୋକଙ୍କୁ ଭୁଆଁ ବୁଲାଇବାର ଯୁଗ ଶେଷ ହେଲା ବୋଲି ‌ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ନକୁଳ ନାୟକ, ବିଶ୍ବଜିତ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ବଳଭ୍ରଦ ମାଝୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଜଳଧର ସେଠୀ, ରଜନୀ ମହାନ୍ତି, ନିପନ ଦାସ, ସଙ୍କୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, ସୁଭଦ୍ରା ମିଶ୍ର, ସ୍ନେହା ଜେନା, ପ୍ରଶାନ୍ତ ଚମ୍ପତ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ନିହାର ବେହେରା ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର