କାହିଁକ ଲଟ୍‌କିଲା ବାରବାଟୀ-କଟକ, ସାଲେପୁର, ମାହାଙ୍ଗା?

କଟକ: ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଟକ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନଥିଲା। କିଛି ଘଣ୍ଟାର ବ୍ୟବଧାନରେ ସନ୍ତୃପ୍ତ ମିଶ୍ରଙ୍କୁ ଦଳ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବାପରେ ଦଳ ନୂଆ ପ୍ରାର୍ଥୀଦେବା ଏକପ୍ରକାର ନିଶ୍ଚିତ ହୋଇ ସାରିଥିଲା ଓ ଆରମ୍ଭରୁ ସନ୍ତୃପ୍ତ ହିଁ ପ୍ରମୁଖ ଦାବିଦାର୍‌ ଭାବେ ସାମ୍‌ନାକୁ ଆସିଥିଲେ। ଅନ୍ୟପଟେ କଟକ ଜିଲ୍ଲାର ୯ ବିଧାନସଭାରୁ ୬ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବାରବାଟୀ-କଟକ, ସାଲେପୁର ଓ ମାହାଙ୍ଗା ପାଇଁ ଦଳ ପ୍ରାର୍ଥୀ ଘୋଷଣା ନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ବାରବାଟୀ-କଟକରେ କଂଗ୍ରେସ ବିଧାୟକ ଅଛନ୍ତି। ଏଠାରୁ ନିର୍ବାଚନ ଲଢ଼ିଆସୁଥିବା ଦେବାଶିଷ ସାମନ୍ତରାୟଙ୍କୁ ଦଳ ରାଜ୍ୟସଭାକୁ ପଠାଇଛି। ଏଭଳି ସ୍ଥିତିରେ ବାରବାଟୀ-କଟକରୁ ବିଜେଡି ନୂଆ ଚେହେରା ଦେବ। ‌ନୂଆ ଚେହେରାକୁ ହଠାତ୍‌ ସାମ୍‌ନାକୁ ଆଣି ଅସନ୍ତୋଷ ସୃଷ୍ଟି ନ କରିବା ଦଳର ରଣନୀତି ହୋଇଥାଇପାରେ। ସାଲେପୁରରେ ପ୍ରଶାନ୍ତ ବେହେରା ଓ ମାହାଙ୍ଗାରୁ ଦଳର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ନାମ ଅଟକି ରହିବା ଘଟଣାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଛି। ପ୍ରଶାନ୍ତ ଯଦିଓ କୌଣସି ବିବାଦରେ ଫସି ନାହାନ୍ତି, ପ୍ରତାପ କିନ୍ତୁ ଡବଲ ମର୍ଡର ମାମଲାରେ ଅଦାଲତି ଝିନ୍‌ଝଟ୍‌ରେ ଫସି ରହିଛନ୍ତି। ତାଙ୍କ ମାମଲାର ଶୁଣାଣି ଚାଲିଥିବା ବେଳେ ଦଳ ପକ୍ଷରୁ ଅଦାଲତଙ୍କ ରାୟ ସ୍ପଷ୍ଟ ହେବାକୁ ହୁଏତ ଅପେକ୍ଷା କରାଯାଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ମାହାଙ୍ଗା ଓ ସାଲେପୁରରୁ ଦଳର ଅନ୍ୟ ଆଶାୟୀମାନେ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି।

ଆଜି ଦଳର ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଆଠଗଡ଼ରୁ ୭ଥର ବିଧାୟକ ହୋଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବଡ଼ମ୍ବାରୁ ୬ ଥର ଲଗାତାର ବିଧାୟକ ନିର୍ବାଚିତ ହୋଇ ଆସୁଥିବା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କଟକ ସଦରରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ରସାରଥି ବେହେରା, ବାଙ୍କୀରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ବାର-କଟକରୁ ବିଧାୟକ ସୌଭିକ୍‌ ବିଶ୍ବାଳ, ନିଆଳିରୁ ୩ ଥର ବିଧାୟକ ହୋଇଥିବା ଡାକ୍ତର ପ୍ରମୋଦ ମଲ୍ଲିକ।

ସମ୍ବନ୍ଧିତ ଖବର