ମା’ଙ୍କ ଶବ ଟ୍ରଲିରେ ୪ କିମି ବୋହିଲେ ପୁଅ

ଡମପଡ଼ା: କଟକ ଜିଲ୍ଲାର ବାଙ୍କୀରେ ଆଜି ମା’ଙ୍କ ମୃତଦେହକୁ ପୁଅ ଟ୍ରଲି ଯୋଗେ ୪ କିଲୋମିଟରରୁ ଅଧିକ ରାସ୍ତା ବୋହି ନେଉଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, ଡମପଡ଼ା ବ୍ଲକ୍‌ ଅନ୍ତର୍ଗତ ହରିରାଜପୁର ଗ୍ରାମର ବୀର ଭୋଇଙ୍କ ପତ୍ନୀ ଭାବେନି ଭୋଇ (୬୨) ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ବାଙ୍କୀ ଚର୍ଚ୍ଚିକାସାହିସ୍ଥିତ ନିଜ ଝିଅ ଘରେ ରହିଥିଲେ। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଭାବେନୀଙ୍କ ଦେହାନ୍ତ ପରେ ପରିବାର ମହାପ୍ରୟାଣ ଯୋଜନାରେ ଆମ୍ବୁଲାନ୍ସ ଯୋଗାଇ ଦେବା ନିମନ୍ତେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଆମ୍ବୁଲାନ୍ସ ନ ଥିବାରୁ ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା। ହେଲେ, ଘରୋଇ ଆମ୍ବୁଲାନ୍ସ ବାବଦ ଅର୍ଥ ଦେବାକୁ ପରିବାର ସକ୍ଷମ ହୋଇ ନ ଥିଲେ। ଶେଷରେ ଏକ ଟ୍ରଲି ଭଡ଼ା କରି ପୁଅ ଭରତ ଭୋଇ ନିଜ ମା’ ଭାବେନିଙ୍କ ମୃତଦେହ ୪ କିମି ଦୂର ହରିରାଜପୁରକୁ ନେଇଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର