ଫରଫର ଉଡ଼େ କେଶ: ରଙ୍ଗିନ କେଶର କ୍ରେଜ୍‌

ଭୁବନେଶ୍ବର: ରାଜଧାନୀର ଯୁବପିଢ଼ିଙ୍କ ଫେସନ୍‌ରେ ଏବେ ହେୟାର କଲର ସହିତ କେଶ ନରମକାରୀ ବା ସ୍ମୁଥ୍‌ନିଂର ଲୋକପ୍ରିୟତା ବଢୁଛି। ସ୍ମାର୍ଟ ଲୁକ୍ ପାଇଁ ବିଶେଷକରି କିଶୋରୀ, ଯୁବତୀ ଓ ମହିଳାମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏହା ଏବେ ରାଜଧାନୀର ଯୁବପିଢ଼ିଙ୍କୁ ଅଧିକ ଘାରିବା ସହିତ ପାର୍ଲର୍‌ରେ ଏହାର ଚାହିଦା ବଢ଼ିଯାଇଛି।

କେଶକୁ ରଙ୍ଗିନ କରିବାପରେ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡ଼ନ୍ତି। ବିଶେଷ କରି ଯୁବପିଢ଼ି ନିଜ କେଶକୁ ବ୍ରାଉନ୍ ତଥା ଧୂସର ରଙ୍ଗରେ ସଜାଇବାକୁ ବେଶି ପସନ୍ଦ କରୁଛନ୍ତି। ଏଥିସହ ଗୋଲ୍ଡ, ରେଡ୍ ଓ ବର୍‌ଗଣ୍ଡି କେଶର ସାମ୍ନା ଅଂଶକୁ ରଙ୍ଗିନ କରୁଛନ୍ତି। କେଶରେ ରଙ୍ଗ କରିବା ପାଇଁ ଷ୍ଟ୍ରିପ୍‌ ଅନୁସାରେ ଏହାର ଦାମ୍‌ ରହିଥାଏ। ଗୋଟିଏ ଷ୍ଟ୍ରିପ୍‌ ପ୍ରାୟ ୧୯୯ଟଙ୍କାରୁ ଆରମ୍ଭ। ଥରେ ରଙ୍ଗ କରିବାକୁ ହେଲେ ୧ହଜାର ଟଙ୍କାରୁ ନେଇ ୩ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଓମ୍ବ୍ରେ, ବାଲାୟାଜ୍, ହାଇଲାଇଟ୍ସ ଓ ଗ୍ଲୋବାଲ ଓ ବ୍ରାଉନ୍ ରଙ୍ଗରେ ଚୁଟି ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି। କେବଳ ସେତିକି ନୁହେଁ ଆଜିକାଲି ଅନେକ କେଶକୁ ଧଳାରଙ୍ଗ ବି କରୁଛନ୍ତି। ଏନେଇ ସହିଦନଗରରେ ଥିବା ଏଫ୍‌ଏଚ୍‌୧୭ ପାର୍ଲର ବ୍ୟବସାୟୀ ସଙ୍ଗୀତା ମହାପାତ୍ର କହନ୍ତି, ‘‘କେଶ ରଙ୍ଗ କରିବା ବେଳେ ହେୟାର ଡିଜାଇନରମାନେ ଭଲ ବ୍ରାଣ୍ଡ୍‌କୁ ଗୁରୁତ୍ବ ଦିଅନ୍ତି। ତେବେ ଘରେ ନିଜେ ରଙ୍ଗ କଲେ ଅପେକ୍ଷାକୃତ କମ୍ ଖର୍ଚ୍ଚରେ ହୋଇଥାଏ। ମାତ୍ର ଏଥିପାଇଁ କେଶ କଲର କରିବା ବାବଦରେ ଉଚିତ ଜ୍ଞାନ ଥିବା ଆବଶ୍ୟକ। ଚେହେରାର ଆକାର ଯେମିତି ବି ହେଉ, କିନ୍ତୁ ନିଜର କେଶର ଟେକ୍ସଚର୍‌ ହିସାବରେ ଷ୍ଟାଇଲ୍ କରିବା ଉଚିତ। କଲର ବାଛିବା ବେଳେ ସ୍କିନ୍ ଟୋନ୍‌ ଉପରେ ଧ୍ୟାନ ଦେବା ଜରୁରି। ମହିଳାମାନେ ଗର୍ଭବତୀ ଥିବାଠାରୁ ନେଇ ପିଲା ସ୍ତନ୍ୟପାନ କରିବାଯାଏ କେଶ କଲର୍‌ କରିବା ଉଚିତ ନୁହେଁ। କାରଣ ଅନେକ କେମିକାଲ ଏଥିରେ ପ୍ରୟୋଗ ହେଉଥିବାରୁ ପିଲା ଉପରେ କୁପ୍ରଭାବ ପଡ଼ିପାରେ।’’

କେଶକୁ କେତେ ଉପକାରୀ
‘‘କେଶ ଷ୍ଟ୍ରେଟନିଂ ଓ ସ୍ମୁଥ୍‌ନିଂରେ ଗରମ ଚାପର ପ୍ରୟୋଗ ହେତୁ କେଶର ପ୍ରାକୃତିକ ଟେକ୍ସଚର ନଷ୍ଟ ହୋଇଯାଏ। ଯଦିଓ କେଶ ଝଡ଼େନି କିନ୍ତୁ ଚାପର ପ୍ରୟୋଗ ହେତୁ ଏହା ଫାଟିବା ଆରମ୍ଭ କରେ। ସେହିପରି କଲରିଂ କରିବାକୁ ଯଦିଓ ଆମୋନିଆମୁକ୍ତ ଉତ୍ପାଦ ବହୁ କମ୍ପାନୀ ତିଆରି କରୁଛନ୍ତି, କିନ୍ତୁ ବର୍ତ୍ତମାନ ମେହେନ୍ଦି ଓ ଅନ୍ୟ ରଙ୍ଗରେ ଥିବା କିଛି ତତ୍ତ୍ବ ସ୍କିନ୍‌ ଆଲର୍ଜି, ଏକ୍ସଜିମା, ଦେହ ହାତ ଫୁଲିଯିବା ଭଳି ରୋଗ ସୃଷ୍ଟି କରୁଛି। ବହୁ ସମୟରେ ଅନେକ ଏହାର ଶିକାର ହୋଇଥିବାର ମଧ୍ୟ ଦେଖାଯାଇଛି। ଏହି ପିପିଡି ମୁକ୍ତ ଉତ୍ପାଦ ଯଦିଓ ବଜାରରେ ଉପଲବ୍ଧି ରହିଛି, ଏହାର ମୂଲ୍ୟ ବହୁ ଅଧିକ ରହୁଛି। ତେଣୁ ଯଦି କଲରିଂ କରିବାରେ ଜଣଙ୍କର କିଛି ଆଲର୍ଜି ଦେଖାଯାଉଛି, ତେବେ ଡାକ୍ତରଙ୍କୁ ପରାମର୍ଶ କରି ଲଗାଇବା ଉଚିତ।’’
ଡାକ୍ତର ମାନସ ପୁହାଣ, ଚର୍ମରୋଗ ବିଶେଷଜ୍ଞ

ସ୍ମୁଥ୍‌ନିଂର ବି ଲୋକପ୍ରିୟତା ବଢୁଛି
ନିଜର କେଶକୁ ଫରଫର କରି ଉଡ଼ାଇବା ଏବେକାର ଫେସନ। ସେଥିପାଇଁ ଦରକାର ହେଉଛି ସ୍ମୁଥ୍‌ନିଂ। ସେଥିପାଇଁ ଲୋକେ ପଇସା ପାଣି ଭଳି ଖର୍ଚ୍ଚ କରୁଛନ୍ତି। କେଶର ପରିମାଣ ନେଇ ଟଙ୍କା ନିଆଯାଉଛି। ଭଲ ବ୍ରାଣ୍ଡର ବ୍ୟବହାର କଲେ ସେହି ଅନୁଯାୟୀ ‌ମୂଲ୍ୟ ରହିଥାଏ। ଭୁବନେଶ୍ବରରେ କେବଳ ସ୍ମୁଥ୍‌ନିଂର ଖର୍ଚ୍ଚ ୪,୦୦୦ ଟଙ୍କାରୁ ଆରମ୍ଭ। ଯଦି ଜଣେ ଚାହିବ କେରାଟିନ୍‌ ବ୍ୟବହାର କରିବା ପାଇଁ, ତେବେ ୫,୫୦୦ରୁ ୬,୫୦୦ ପର୍ଯ୍ୟନ୍ତ ଖର୍ଚ୍ଚ ପଡୁଛି। ଏଥିସହ ଅଲଗା ସାମ୍ପୋ ଓ ପ୍ରତି ମାସରେ ହେୟାର ସ୍ପା କରିବାକୁ ପଡ଼ିଥାଏ। ପ୍ରତିଦିନ କେଶରେ ହେୟାର ସିରମ୍‌ ମଧ୍ୟ ବ୍ୟବହାର କରିବାକୁ ପଡ଼ିଥାଏ। ରସୁଲଗଡ଼ରେ ଥିବା ଉର୍ବଶୀ ପାର୍ଲର୍‌ର ମନିସା ଦାସ କହନ୍ତି, ‘‘ଅନେକ ସମୟରେ କିଛି ଲୋକ କହନ୍ତି, ଏହା କଲେ କେଶ ଝଡ଼ୁଛି। କିନ୍ତୁ ସ୍ମୁଥ୍‌ନିଂ କରିବାପରେ ଯଦି ଯତ୍ନ ନନେବା, ତେବେ ହିଁ କେଶ ଝଡ଼ିବ। ତେଣୁ ପ୍ରତିମାସରେ ଅନ୍ତତଃ ସ୍ପା କରିନେବା ଆବଶ୍ୟକ।’’ ସ୍ପା କରିବାର ଖର୍ଚ୍ଚ ୧,୦୦୦ରୁ ୨,୫୦୦ ଭିତରେ।

ସମ୍ବନ୍ଧିତ ଖବର