ଗୁଗୁଲ୍‌କୁ ଟକ୍କର ଦେବ ଭାରତୀୟ ଯୁବକଙ୍କ ୟୁନିକର୍ଣ୍ଣ!

ବର୍ତ୍ତମାନ ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଜ୍ଞାନକୌଶଳର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ବିଭିନ୍ନ ଷ୍ଟାର୍ଟଅପ୍‌ ଏଆଇରେ ନୂତନତ୍ବ ଆଣିବାକୁ ଚେଷ୍ଟିତ ଥିବା ବେଳେ ଆଇଆଇଟି ମାଡ୍ରାସର ଛାତ୍ର ଅରବିନ୍ଦ ଶ୍ରୀନିବାସଙ୍କର ମହତ୍ତ୍ବାକାଂକ୍ଷା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦ୍ବାରା ୨୦୨୨ ମସିହାରେ ସ୍ଥାପିତ ‘ପରପ୍ଲେକ୍ସିଟି’ ନାମକ ଏଆଇ ଆପ୍‌ ୧୦୦ କୋଟି ଡଲାରରୁ ଅଧିକ ନିବେଶ ହାସଲ କରି ଆମେରିକାରେ ନୂତନ ୟୁନିକର୍ଣ୍ଣ ହେବାର ଗୌରବ ଲାଭ କରିଛି। ସୂଚନାଯୋଗ୍ୟ, ଶହେ କୋଟି ଡଲାରରୁ ଅଧିକ ମୂଲ୍ୟର ଷ୍ଟାଟ୍‌ଅପ୍‌ଗୁଡ଼ିକୁ ‘ୟୁନିକର୍ଣ୍ଣ’ କମ୍ପାନି ମାନ୍ୟତା ଦିଆଯାଇଥାଏ।

୨୦୧୭ରେ ମାଡ୍ରାସ ଆଇଆଇଟିରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିଅରିଂରେ ଡିଗ୍ରି ହାସଲ କରିବା ପରେ ଶ୍ରୀନିବାସ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଲୟରୁ କମ୍ପ୍ୟୁଟର ବିଜ୍ଞାନରେ ପିଏଚ୍‌ଡି କରିଥିଲେ। ପିଏଚ୍‌ଡି କରିବା ଅବସରରେ ସେ ଓପନ୍‌ଏଆଇ, ଡିପ୍‌ମାଇଣ୍ଡ୍‌ ଓ ଗୁଗଲ୍ ପରି ନାମୀଦାମୀ କମ୍ପାନିରେ କାମ କରିଥିଲେ। ଏହା ପରେ ସେ ତାଙ୍କର ନିଜସ୍ବ ଷ୍ଟାର୍ଟଅପ୍‌ ‘ପରପ୍ଲେକ୍ସିଟି’ ଆରମ୍ଭ କରିଥିଲେ। ଚାଟ୍‌ଜିଟିପି ପରି ‘ପରପ୍ଲେକ୍ସିଟି’ ଏଆଇ ସେବା ଯୋଗାଉଛି। ଏହା ତଥ୍ୟ ସହ ତାହାର ଉତ୍ସ ମଧ୍ୟ ପ୍ରକାଶ କରିଥାଏ। ତେଣୁ ଏହା କମ୍‌ ସମୟରେ ଅପୂର୍ବ ଗ୍ରହଣୀୟତା ଲାଭ କରିପାରିଛି। ଏହାକୁ ଏବେ ଗୁଗଲ୍‌ର ସବୁଠାରୁ ବଡ଼ ଚ୍ୟାଲେଞ୍ଜର୍‌ ବୋଲି କୁହାଯାଉଛି। ‘ପରପ୍ଲେକ୍ସିଟି’ ବର୍ତ୍ତମାନ ବାର୍ଷିକ ୨ କୋଟି ଡଲାରରୁ ଅଧିକ ରୋଜଗାର କରୁଛି।

ସମ୍ବନ୍ଧିତ ଖବର