ରୋଡ୍‌ ସୋ’କୁ ନେଇ ରାଜନୀତି ସରଗରମ: ମୋଦୀଙ୍କ ରୋଡ୍‌ ସୋ ସଫଳ ପାଇଁ ଦମ୍‌ ଲଗାଇଛି ବିଜେପି

ଭୁବନଶ୍ୱର: ଶୁକ୍ରବାର ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ କରିବେ ରୋଡ୍‌ ସୋ’। ଯାହାକୁ ନେଇ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ଜନପଥକୁ ଜନସମୁଦ୍ର କରିଦେବା ପାଇଁ ବିଜେପି ୫୦ହଜାରରୁ ଅଧିକ ଲୋକ ଯୋଗାଡ଼ କରୁଥିବା ବେଳେ ସୁରକ୍ଷାକୁ ନେଇ କମିସନରେଟ୍‌ ପୁଲିସ ସମସ୍ତ ପ୍ରସ୍ତୁତି କରିଛି। ଜନପଥକୁ ପରିଷ୍କାର ରଖିବା ସହ ଗଛଡାଳ କାଟିବା ଓ ଦଦରା ବାଉଁଶ ବାଡ଼କୁ ମରାମତି କରିବାରେ ବିଏମ୍‌ସି ଓ ବିଏସ୍‌ସିଏଲ୍‌ ଲାଗି ପଡ଼ିଛନ୍ତି। ଆସନ୍ତା ନିର୍ବାଚନରେ ଏହି ରୋଡ୍‌ ସୋ’ରୁ ଶତପ୍ରତିଶତ ଫାଇଦା ନେବା ପାଇଁ ବିଜେପି ଲାଗିପଡ଼ିଛି। ବିଶେଷକରି ଏହି ଅଞ୍ଚଳ ମଧ୍ୟ ନିର୍ବାଚନମଣ୍ଡଳୀରେ ଯାଉଥିବାରୁ ଏହି ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବେଶ୍‌ ଉତ୍ସାହିତ ଅଛନ୍ତି। ତାଙ୍କ ସହିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ରୋଡ୍‌ ସୋ’କୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି।

ମୋଦୀଙ୍କ ରୋଡ୍‌ ସୋ ସଫଳ ପାଇଁ ଦମ୍‌ ଲଗାଇଛି ବିଜେପି
ଜବାବ ପାଇଁ ବିଜେଡିର ପ୍ରସ୍ତୁତି
ତୃତୀୟ ସପ୍ତାହରେ ୩ ନିର୍ବାଚନମଣ୍ଡଳୀରେ ନବୀନଙ୍କ ରୋଡ୍‌ ସୋ’

ମୋଦୀଙ୍କର ଲୋକପ୍ରିୟତା ଥିବାରୁ ନିର୍ବାଚନ ସମୟରେ ଏଭଳି ରୋଡ୍‌ ସୋ’ର ଗୁରୁତ୍ବ ରହିଛି। ଅନ୍ୟପଟେ ଜନପଥରେ ପ୍ରଥମ ରୋଡ୍‌ ସୋ’ ‌ହୋଇଥିବାରୁ ଏଥିରେ ପ୍ରବଳ ଜନସମାଗମ ହେବା ସମ୍ଭାବନା ମଧ୍ୟ ରହିଛି। ଏଣୁ ଏହାର ଫାଇଦା ବିଜେପି ନେବାକୁ ଜଗି ବସିଛି। ଅନ୍ୟପଟେ ଏଭଳି ଆକଳନ ବିଜେଡି ମଧ୍ୟ କରିଛି। ଏଭଳି ରୋଡ ସୋ’କୁ ପୂରା ସହରର ଧ୍ୟାନ ଚାଲିଯିବା ଆଶଙ୍କା ଥିବାରୁ ବିଜେଡି ମାନସମନ୍ଥନ କରିଛି। ୧୦ ତାରିଖ ଦିନ ଏକାମ୍ର, ମଧ୍ୟ ଓ ଉତ୍ତର ୩ ନିର୍ବାଚନମଣ୍ଡଳୀରେ ବଡ଼ବଡ଼ ସଭାର ଆୟୋଜନ କରାଯାଇଛି। ଏକାମ୍ରରେ ଥିବା ପଞ୍ଚାୟତଗୁଡ଼ିକରେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଏକ ବିରାଟ ମୋଟର ସାଇକେଲ୍‌ ଶୋଭାଯାତ୍ରା ଆୟୋଜନ କରିଛନ୍ତି। ସେହିଭଳି ମଧ୍ୟ ନିର୍ବାଚନମଣ୍ଡଳୀରେ ଅନନ୍ତ ନାରାୟଣ ଜେନା ବିଭିନ୍ନ ସଂଗଠନଙ୍କୁ ନେଇ ଏକ ସଭାର ଆୟୋଜନ କରିଛନ୍ତି। ଏଥିରେ ୫,୦୦୦ରୁ ଊର୍ଦ୍ଧ୍ବ କର୍ମୀ ଓ ସାଧାରଣ ଲୋକଙ୍କୁ ଏକାଠି କରିବାକୁ ଯୋଜନା ହୋଇଛି। ଠିକ୍‌ ସେହିଭଳି ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ମଧ୍ୟ ସାଧାରଣ ସଭା ଆୟୋଜନ କରୁଥିବା ଜଣାପଡ଼ିଛି। ୧୦ ତାରିଖ ଦିନ ମୋଦୀଙ୍କ ରୋଡ୍‌ ସୋ’କୁ ଫିକା ପକାଇବାକୁ ୩ ନିର୍ବାଚନମଣ୍ଡଳୀରେ ବିଜେଡିର ଏଭଳି ବଡ଼ ବଡ଼ କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଉଛି।

ତେବେ କେବଳ ବିଧାୟକ ପ୍ରାର୍ଥୀମାନଙ୍କର ସଭାରେ କଥା ସରିନାହିଁ, ବରଂ ଖୋଦ୍‌ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ରୋଡ୍‌ ସୋ’ କରିବାକୁ ଯାଉଛନ୍ତି। କେବଳ ମଧ୍ୟ ନିର୍ବାଚନମଣ୍ଡଳୀ କିମ୍ବା ଜନପଥରେ ନୁହେଁ, ୩ଟିଯାକ ନିର୍ବାଚନମଣ୍ଡଳୀରେ ନବୀନ ରୋଡ୍‌ ସୋ’ କରିବା ଘୋଷଣା କରିଛନ୍ତି। ମଧ୍ୟ ନିର୍ବାଚନମମଣ୍ଡଳୀରେ ଆପାତତଃ ୧୬ ତାରିଖ ରହିଥିବା ବେଳେ ଏକାମ୍ରରେ ୨୦ ତାରିଖରେ ନବୀନ ରୋଡ୍‌ ସୋ’ କରିବା ସ୍ଥିର ହୋଇଛି। ଉତ୍ତର ନିର୍ବାଚନମଣ୍ଡଳୀରେ ମଧ୍ୟ ନବୀନ କରିବେ ରୋଡ୍‌ ‌ସୋ’। ମତଦାନ ତାରିଖ(ମେ ୨୫) ପାଖାପାଖି ନବୀନଙ୍କର ୩ଟିଯାକ ନିର୍ବାଚନମଣ୍ଡଳୀରେ ରୋଡ୍‌ ‌ସୋ’ ଭୋଟରଙ୍କ ଧ୍ୟାନ ଆକର୍ଷଣ କରିବ। ଏହାର ଶତପ୍ରତିଶତ ଫାଇଦା ‌ନେବା ପାଇଁ ବିଜେଡି ନେତା ଉତ୍ସାହିତ ଅଛନ୍ତି। ପ୍ରତ୍ୟେକ ରୋଡ୍‌ ସୋ’ରେ ଲକ୍ଷାଧିକ ଜନସମାଗମ ପାଇଁ ଯୋଜନା ଥିବାରୁ ନେତାମାନେ ଏବେ ଠୁଁ ଲାଗିପଡ଼ିଛନ୍ତି। ତା’ ସହିତ ନବୀନ କେଉଁ କେଉଁ ରାସ୍ତା ଦେଇ ଯିବେ ସେ ନେଇ ରୋଡ୍‌ ମ୍ୟାପ୍‌ ମଧ୍ୟ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର