ସଂଗୀତ ଦୁନିଆରୁ ଅନନ୍ୟାଙ୍କ ବିଦାୟ

ନିଜର ଅତିପ୍ରିୟ ସଂଗୀତ ଦୁନିଆରୁ ଏଣିକି ଦୂରେଇଯିବେ ବୋଲି କଣ୍ଠଶିଳ୍ପୀ ଓ ଗୀତିକାର ତଥା ଉଦ୍ୟୋଗପତି ଅନନ୍ୟା ବିର୍ଲା ଘୋଷଣା କରିଛନ୍ତି। ଏହା ପରିବର୍ତ୍ତେ ସେ ତାଙ୍କର ପୂରା ସମୟ ବ୍ୟବସାୟରେ ବିନିଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି। ସଂଗୀତ ଭଳି ତାଙ୍କର ପ୍ରିୟତମ ବୃତ୍ତିକୁ ସେ ଏପରି ଅଣଦେଖା କରି ବ୍ୟବସାୟକୁ ପ୍ରାଧାନ୍ୟ ଦେବାର ନିଷ୍ପତ୍ତି ତାଙ୍କ ପାଇଁ ଖୁବ୍ କଠିନ ଓ କଷ୍ଟଦାୟକ ବୋଲି ଏହି ୨୯ ବର୍ଷୀୟା ଶିଳ୍ପୀ ଜଣକ ତାଙ୍କ ‘ଏକ୍ସ’ (ପୂର୍ବରୁ ଟ୍ବିଟର୍‌) ପୃଷ୍ଠାରେ ଅନୁଗାମୀମାନଙ୍କୁ ଜଣାଇଛନ୍ତି। ଅନନ୍ୟା ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲାଙ୍କ ଜ୍ୟେଷ୍ଠ କନ୍ୟା। ସେ ୨୦୧୬ରେ ଏକ ଇଂରେଜୀ ଗୀତ ମାଧ୍ୟମରେ ତାଙ୍କର ସଂଗୀତ ଜୀବନ ଆରମ୍ଭ କରିଥିଲେ। ପୈତୃକ ବ୍ୟାବସାୟିକ ସଂସ୍ଥାନକୁ ଆଗେଇ ନେବା ତାଙ୍କର ପେସା ହୋଇଥିବା ବେଳେ ଗୀତ ଲେଖିବା ଓ ଗାଇବା ତାଙ୍କର ନିଶା ଥିଲା। ସେ ପ୍ରଥମ ଭାରତୀୟ କଣ୍ଠଶିଳ୍ପୀ ଭାବେ ଇଂରେଜୀ ଗୀତ ଗାଇ ପ୍ଲାଟିନମ୍‌ ଡିସ୍କ୍ ହାସଲ କରିଥିଲେ।

ସେ ନିଜସ୍ବ ଉଦ୍ୟମରେ ‘ସ୍ବତନ୍ତ୍ର ମାଇକ୍ରୋଫିନ୍‌’ ନାମକ ଏକ ପୁଞ୍ଜିଲଗାଣ ସଂସ୍ଥା ଓ ‘ଇକାଇ ଆସାଇ’ ନାମକ ଏକ ଡିଜାଇନ୍‌ ଫାର୍ମ ଆରମ୍ଭ କରିଛନ୍ତି। ଏଥି ସହିତ ଗତବର୍ଷ ତାଙ୍କୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ‘ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌’ ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଛି। ଏକା ସମୟରେ ବ୍ୟାବସାୟିକ ସଂସ୍ଥା ପରିଚାଳନା କରିବା ଓ ସଂଗୀତ ଦୁନିଆରେ ନିମଗ୍ନ ରହିବା ତାଙ୍କୁ ସୁହାଉନାହିଁ ବୋଲି ସେ ସ୍ବୀକାର କରିଛନ୍ତି। ଏହି ଅବସରରେ ସେ ତାଙ୍କ ସଂଗୀତ ଦୁନିଆର ପ୍ରଶଂସକମାନଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଇଂରେଜୀ ସଂଗୀତ ପରିବେଷଣ ପାଇଁ ଦେଶରେ ଆହୁରି ଅନେକ ଯୋଗ୍ୟ କଣ୍ଠଶିଳ୍ପୀ ଅଛନ୍ତି ଏବଂ ସେମାନେ ପ୍ରଶଂସକ ମାନଙ୍କର ଆଶା ପୂରଣ କରିବେ ବୋଲି ସେ ଆଶା ରଖିଥିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର