ମନ୍ଦିର ଭିତରେ ଚାଲିଛି ଫଟୋଉଠା

ଲୋକଙ୍କୁ ସଚେତନ କରିବା ବଦଳରେ ନିୟମ ଭାଙ୍ଗି ନିଜେ ସେବାୟତ ସାଜୁଛନ୍ତି ଫଟୋଗ୍ରାଫର

ଭୁବନେଶ୍ବର: ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭଳି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ନେବା ବାରଣ କରାଯାଇଛି। ଏହି ମର୍ମରେ ମନ୍ଦିରର ମୁଖ୍ୟଦ୍ବାରରେ ପୁଲିସ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି। କିନ୍ତୁ ମନ୍ଦିର ଭିତରକୁ ମୋବାଇଲ୍‌ ଯାଉଛି। ଅନେକ ସ୍ଥଳରେ ଖୋଦ୍‌ ସେବାୟତ ମନ୍ଦିର ନିୟମକୁ ଉଲ୍ଲଂଘନ କରି ଫଟୋ ଉଠାଉଛନ୍ତି। ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଉଠା ଯାଇଥିବା ଏକ ଫଟୋ ଗଣମାଧ୍ୟମରେ ବୁଲୁଛି। ଫଟୋରେ ଦେଖା ଯାଉଛି- ଗୋଟିଏ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କର ଏକ ଦଳ ଏକତ୍ରିତ ହୋଇ ପୋଜ୍‌ ଦେଉଥିବା ବେଳେ ଜଣେ ସେବାୟତ ଆଣ୍ଠେଇ ପେଟେଇ ସେମାନଙ୍କର ଫଟୋ ଉଠାଉଛନ୍ତି। ଏ ଫଟୋଟି କୌଣସି ବାଟରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ଯାଇଛି। ଏହାକୁ ନେଇ ଅନେକ ସଚେତନ ନାଗରିକ କ୍ଷୋଭ ପ୍ରକାଶ କରିଛନ୍ତି। ଜାଣିଥିବା ଲୋକେ କହନ୍ତି, ମନ୍ଦିର ପରିସର ଭିତରେ ଫଟୋ ଉଠାଯିବା ଏକ ନିତିଦିନିଆ କଥା। ଲୁଚାଚୋରାରେ ଏହା ସବୁଦିନେ ଚାଲିଛି। କିନ୍ତୁ ଜଣେ ସେବାୟତ ଫଟୋ ଉଠାଇବାର ଫଟୋ ବାଂ‌ହାରେ ପ୍ରକାଶ ପାଇବା ଏକ ନୂଆକଥା। ଏଠାରେ ଦେଖିବା କଥା ଯେ ସେବାୟତ ମନ୍ଦିର ପରିସର ଭିତରେ ମୋବାଇଲ୍‌ରେ ଫଟୋ ଉଠାଇବା ତ ନିଶ୍ଚିତ ରୂପେ ନିୟମର ଉଲ୍ଲଂଘନ, କିନ୍ତୁ ସେ ଫଟୋ ଉଠାଇବାର ଦୃଶ୍ୟର ଫଟୋ ଉଠାଇଥିବା ବ୍ୟକ୍ତିଙ୍କର ଅପରାଧ ବି କୌଣସି ଗୁଣରେ କମ୍‌ ନୁହେଁ। କାରଣ ସେ ମଧ୍ୟ ‌ନିୟମ ଭାଙ୍ଗି ମନ୍ଦିର ପରିସରକୁ ମୋବାଇଲ୍‌ ନେଇଥିଲେ ଓ ସେଇଥିରେ ଫଟୋ ଉଠାଇଛନ୍ତି।

ଚର୍ଚ୍ଚାରେ ଥିବା ଏ ଫଟୋଟି ଉତ୍ତର ଦ୍ବାର ନିକଟରେ ଉଠାଯାଇଛି। ଜଣେ ସେବାୟତ ଶ୍ରଦ୍ଧାଳୁଙ୍କ ସହ ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଆଣିବାକୁ ତଳେ ଆଣ୍ଠେଇ ଫଟୋ ଉଠାଉଛନ୍ତି। ତେବେ ନିୟମ ଅନୁସାରେ ମନ୍ଦିର ଭିତରକୁ ମୋବାଇଲ୍‌, ଜୋତା, ଲାପ୍‌ଟପ୍‌, କ୍ୟାମେରା ନେବାକୁ ବାରଣ କରାଯାଇଛି। ଏସବୁ ସାମଗ୍ରୀ ରଖିବା ପାଇଁ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସିଂହଦ୍ବାର ନିକଟରେ ଏକ ଷ୍ଟାଣ୍ଡ ମଧ୍ୟ କରାଯାଇଛି। କିଛି ଲୋକ ଷ୍ଟାଣ୍ଡରେ ରଖି ମନ୍ଦିରକୁ ଆସୁଛନ୍ତି। ଆଉ କିଛି ଲୋକ ଯେଉଁମାନଙ୍କୁ ସେବାୟତମାନେ ମନ୍ଦିର ପ୍ରବେଶ କରାଉଛନ୍ତି, ସେମାନଙ୍କ ପାଖରେ ମୋବାଇଲ୍‌ ରହୁଛି। ସେବାୟତଙ୍କ ଯଜମାନ ଦେଖି ପୁଲିସ କର୍ମଚାରୀ ମଧ୍ୟ ହାତ ଲଗାଉନାହାନ୍ତି। ଫଳରେ ମନ୍ଦିର ଭିତରେ ଥିବା ବିରଳ ମୂର୍ତ୍ତୀ ଓ ଗର୍ଭଗୃହର ଫଟୋ ଉଠାଯାଉଛି। ମୁଖ୍ୟତଃ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ହାତଗୁଞ୍ଜା ଦେଇ ମନ୍ଦିର ଭିତରର ଫଟୋ ଉଠାଇ ନେଉଛନ୍ତି। ମନ୍ଦିରର ପରିସରରେ ସିସି ଟିଭି କ୍ୟାମେରା ଲାଗିଥିଲେ ହେଁ ଏହାକୁ ଠିକ୍‌ ପରିଚାଳନା କରାଯାଉନାହିଁ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଉନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନେଇ ଶ୍ରୀଲିଙ୍ଗରାଜଙ୍କ ଭକ୍ତ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର