ସଂଦେଶଖାଲିରେ ସିବିଆଇର ଚଢାଉକୁ ଟିଏମସିର ବିରୋଧ, ଜବତ ଅସ୍ତ୍ରଶସ୍ତ୍ରକୁ ସିବିଆଇ ନିଜେ ସେଠାରେ ରଖିନଥିଲା ତ ?

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ଶନିବାର ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖିଛି। ଏଥିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିଠାରେ ଶୁକ୍ରବାର ସିବିଆଇ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)ର ଚଢ଼ାଉକୁ ଦଳ ବିରୋଧ କରିଛି ।

ଲୋକସଭା ନିର୍ବାଚନ ସମୟରେ ଟିଏମସିର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ନିର୍ବାଚନ ଦିନ ସିବିଆଇ ସନ୍ଦେଶଖାଲିର ଏକ ଖାଲି ସ୍ଥାନରେ ଚଢ଼ାଉ କରିଥିବା ଦଳ କମିସନଙ୍କ ନିକଟରେ ଅଭିଯୋଗ କରିଛି।

ନିଜ ପତ୍ରରେ ଦଳ କହିଛି ଯେ “ଏହି ଚଢାଇ ସମ୍ପର୍କରେ ସିବିଆଇ ରାଜ୍ୟ ପୁଲିସକୁ ସୂଚୀତ କରିନଥିଲା । ଏପରିକି ରାଜ୍ୟ ପୁଲିସର ଏକ ବୋମା ନିଷ୍କ୍ରିୟକାରୀ ଟିମ ଥିବାସତ୍ତ୍ବେ ଏନଏସଜିରୁ ବୋମା ନିଷ୍କ୍ରିୟକାରୀ ଟିମ ଡକାଯାଇଥିଲା । ଏପରିକି ସିବିଆଇ ପକ୍ଷରୁ ଏହି ଚଢାଇ ସମ୍ପର୍କରେ ଗଣମାଧ୍ୟମକୁ ଆଗୁଆ ସୂଚନା ଦିଆଯାଇଥିଲା । ଫଳରେ ଚଢାଉ ସମୟରେ ସେଠାରେ ଗଣମାଧ୍ୟମ କର୍ମୀମାନେ ଉପସ୍ଥିତ ଥିଲେ । ଏଥିରୁ ଏହି ଅପରେସନ ସମ୍ପର୍କରେ ସଂଦେହ ହେଉଛି ଯେ, ସିବିଆଇ ଜାଣିଶୁଣି ସେସବୁ ଅସ୍ତ୍ରଶସ୍ତ୍ରକୁ ରଖିନଥିଲା ତ ?”

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ ସିବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରି ସନ୍ଦେଶଖାଲିରେ ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାଁଙ୍କ ଜଣେ ସହଯୋଗୀଙ୍କ ବାସଭବନରୁ ବିପୁଳ ପରିମାଣର ବିଦେଶୀ ଓ ଦେଶୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ବୋମା ଜବତ କରିଥିଲା । ପରେ ଏନଏସଜି କମାଣ୍ଡୋମାନେ ମଧ୍ୟ ସର୍ଚ୍ଚ ଅପରେସନରେ ସିବିଆଇ ଅଧିକାରୀଙ୍କ ସହ ସାମିଲ ହୋଇଥିଲେ ।

 

ସମ୍ବନ୍ଧିତ ଖବର