ଅନୁଗୁଳ ଜିଲ୍ଲାର ସବୁ ଆସନରେ ଦ୍ବନ୍ଦ୍ବ: ନେତାଙ୍କ ଛାତି ଧଡ଼ପଡ଼

ଅଡ଼ୁଆ କରୁଛନ୍ତି ଆଶାୟୀ, ଦଳବଦଳ ପାଇଁ ବଦଳୁଛି ସମୀକରଣ

ଅନୁଗୁଳ: ଆଠମଲ୍ଲିକରେ ବିଜେଡିର ବିଧାୟକ ପ୍ରାର୍ଥୀ ବଦଳିବା ଥୟ। ଅନୁଗୁଳ ଜିଲ୍ଲାର ଅନ୍ୟ ୪ଟି ବିଧାନସଭା କ୍ଷେତ୍ରରେ ଦଳ ପୁଣି ପୁରୁଣା ନେତାଙ୍କୁ ଭରସା କରିପାରେ। ଗୋଟିଏ ଧାଡ଼ିରେ କହିଲେ, ନେତାଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ପର୍ଯ୍ୟନ୍ତ ସବୁ ଆସନରେ ସମସ୍ତେ ଟ‌ିକେଟ୍‌ ପାଇଁ ଦ୍ବନ୍ଦ୍ବ‌ରେ। କେବଳ ବିଜେଡିରେ ଯେ, ଏମିତି ଗୋଳିଆ ସ୍ଥିତି ତାହା ନୁହେଁ। ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ଦଳରେ ବି ମୋଟାମୋଟି ସେହିପ୍ରକାର ସ୍ଥିତି। କାହା ଟିକେଟ ରହିବ, କାହାର କଟିବ ତାକୁ ନେଇ କେହି ନିଶ୍ଚିତ ‌ହୋଇପାରୁନାହାନ୍ତି।

ଅନୁଗୁଳ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ଏବେ ବିଜେଡି ହାତରେ। ଏଥିରୁ ଆଠମଲ୍ଲିକ ବିଧା‌ୟକ ରମେଶ ସ‌ାଏଙ୍କୁ ଦଳ ଏକପ୍ରକାର କୋଣଠେସା କରି ଦେଇଛି। ତାଙ୍କ ବଦଳରେ ନଳିନୀକାନ୍ତ ପ୍ରଧାନଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିବା ସମ୍ଭାବନା ଉଜ୍ଜ୍ବଳ। ବାକି ୪ଟି ଯାକ ଆସନରେ ବିଧାୟକଙ୍କ ହାତରେ ବିଜେଡି ସଂଗଠନ ରହିଛି। ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ; ସବୁଠି ବିଧାୟକଙ୍କ ଗୁରୁତ୍ବ ରହୁଛି। ତେଣୁ ଅନୁଗୁଳ, ତାଳଚେର, ପାଳଲହଡ଼ା ଓ ଛେଣ୍ଡିପଦା ଆସନରେ ବିଧାୟକଙ୍କୁ ପୁଣି ଥରେ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଅଡ଼ୁଆ କରିଛି ନୂଆ ନେତାଙ୍କ ମିଶ୍ରଣ ଓ ମହିଳା କାର୍ଡ। ନିତି ନୂଆ ନୂଆ ନେତା ବାହାରୁ ଆସି ବିଜେଡିରେ ମିଶୁଥିବାରୁ କେତେବେଳେ ବି ସମୀକରଣ ବଦଳିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ଏପଟେ ବିଜେଡି ଏଥର ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେବ ବୋଲି ଦଳ ଭିତରୁ ଶୁଣାଗଲାଣି। ଏଣୁ ଜିଲ୍ଲାର ନିର୍ଦ୍ଦିଷ୍ଟ କେଉଁ ଆସନଟି ମହିଳାଙ୍କ ହାତକୁ ଯିବ, ସେ ନେଇ ଏଯାଏଁ କେହି ଅନୁମାନ ଲଗାଇପାରୁନାହାନ୍ତି। ସ୍ବାଭାବିକ ଭାବେ ବିଧାୟକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

ଅଡ଼ୁଆ କରୁଛନ୍ତି ଆଶାୟୀ
ଦଳବଦଳ ପାଇଁ ବଦଳୁଛି ସମୀକରଣ
ଅଙ୍କ ବିଗାଡ଼ିପାରେ ମହିଳା କାର୍ଡ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ ଅନୁଗୁଳ ବିଜେପି ସଂଗଠନ ଥିବାରୁ ‌ଦଳୀୟ ଟିକେଟ ମିଳିବାରେ ତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କୁହାଯାଉଛି। ଏହା ହେଲେ ଅନୁଗୁଳରୁ ପ୍ରତାପ ପ୍ରଧାନ, ଛେଣ୍ଡିପଦାରେ ଅଗସ୍ତି ବେହେରା ଓ ଆଠମଲ୍ଲିକରେ ସଂଜୀବ ସାହୁ ଟିକେଟ୍‌ ପାଇପାରନ୍ତି। ହେଲେ ବିଜେଡିରୁ କିଛି ଅସନ୍ତୁଷ୍ଟ ଏବେ ପୁଣି ବିଜେପିକୁ ଆଖେଇଥିବାରୁ ଶେଷ ମୁହୂର୍ତରେ ଟିକେଟ୍‌ ଗଣିତ ଓଲଟପାଲଟ ହୋଇପାରେ। ଏପଟେ ତାଳଚେର ଓ ପାଳଲହଡ଼ା ନେଇ କିଛି ସ୍ପଷ୍ଟ ଚିତ୍ର ଆସୁନି। ତାଳଚେରରେ କାଳନ୍ଦୀ ସାମଲଙ୍କ ବଦଳରେ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି। ଆଉ ଦୁଇ ତିନି ଜଣ ଆଶାୟୀ ମଧ୍ୟ ଅଛନ୍ତି। ସେହିପରି ପାଳଲହଡ଼ା ଆସନରେ ଗତଥର ପ୍ରାର୍ଥୀ ହୋଇଥିବା ଅଶୋକ ମହାନ୍ତିଙ୍କୁ ଦଳ ଭରସା କରିବ, ନା’ ନୂଆ ଚେହେରା ସହ ନିର୍ବାଚନକୁ ଓହ୍ଲାଇବ ସେ ଚିତ୍ର ବି ଅସ୍ପଷ୍ଟ ରହିଛି। କଂଗ୍ରେସରେ ମଧ୍ୟ ଏଥର ପ୍ରାର୍ଥୀ ଅଦଳବଦଳ ନିଶ୍ଚିତ। ଗତ ଥର ଅନୁଗୁଳରେ ପ୍ରାର୍ଥୀ ହୋଇଥିବା ବିପ୍ଳବ ଜେନା ଓ ଛେଣ୍ଡିପଦାର ସସ୍ମିତା ବେହେରାଙ୍କ ବଦଳରେ ନୂଆ ପ୍ରାର୍ଥୀ ଖୋଜୁଛି ଦଳ। ତାଳଚେର ଓ ପାଳଲହଡ଼ାରେ ସେମିତି ସ୍ଥିତି। ଏହି ୪ ଆସନରେ କଂଗ୍ରେସ ପ୍ରାର୍ଥୀ ପାଇଁ ଅନେକ ଆବେଦନ ପଡ଼ିଥିଲାବେଳେ ଦଳ କାହାକୁ ଭରସା କରୁଛି ତା’କୁ କଂଗ୍ରେସପ୍ରେମୀ ଅପେକ୍ଷା କରିଛନ୍ତି। ତେବେ ଆଠମଲ୍ଲିକରେ ଦଳ ପୁଣି ଥରେ ବିଜୟାନନ୍ଦ ଚାଉଳିଆଙ୍କ ନେତୃତ୍ବରେ ଲଢ଼ିବା ନେଇ ସଙ୍କେତ ମିଳୁଛି।

ସମ୍ବନ୍ଧିତ ଖବର