କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ:ସ୍ବତନ୍ତ୍ରଣ ଶିଳ୍ପ କରିଡର ନିର୍ମାଣ ଦାବି, ଦାନଗଦୀରେ ଅଟକିଛି ଛ’ଥାକିଆ ରାସ୍ତା ନିର୍ମାଣ

ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ ହୋଇଛି। ବିଶେଷକରି ଦାନଗଦୀରୁ ଡୁବୁରି ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ହେଉନଥିାରୁ ଏହା ପ୍ରବଳ ଜାମ୍‌ ରହୁଛି। ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ଜାମ୍‌ ରହୁଛି। ହଜାରହଜାର ଶ୍ରମିକ ଓ କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ନେବାଆଣିବ ନିମନ୍ତେ ଶତାଧିକ ବସ୍‌ ଚାଲୁଛି। ସେହିପରି ବହୁ କର୍ମଚାରୀ କାର୍‌ ଓ ବାଇକ୍‌ ଯୋଗେ ଯିବାଆସିବା କରୁଛନ୍ତି। ଫଳସ୍ବରୂପ ଦୈନିକ ସକାଳ ସମୟରେ ଦାନଗଦୀଠାରୁ ଡୁବୁରି ପର୍ଯ୍ୟନ୍ତ ବସ, କାର୍ ଓ ବାଇକ୍‌ରେ ଏହି ରାସ୍ତା ସଂପୂର୍ଣ୍ଣ ଭିଡ଼ ରହୁଛି। ଏହାଦ୍ବାରା ସ୍ବାଭାବିକ ଭାବେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।

ଏହି ସମସ୍ୟାକୁ ​ଦ୍ବିଗୁଣିତ କରଛି ମାନପୁର ସଂକୀର୍ଣ୍ଣ ରେଳ ଓଭରବ୍ରିଜ୍‌। ତାହା ପୁଣି ଖଣ୍ଡିଆଖାବରା ହୋଇ ରହିଛି। ଦ୍ଵିତୀୟ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଧୀରମନ୍ଥର ଗତିରେ ଚାଲିଛି। ଫଳରେ ଏକମାତ୍ର ଓଭରବ୍ରିଜ ଉପରେ ଘଣ୍ଟାକୁ ହଜାର ଉପରେ ଗାଡ଼ି ଚଳାଚଳ କରୁଛି। ଘଣ୍ଟାଘଣ୍ଟା ଧରି ବ୍ରିଜ୍‌ ଉପରେ ଗାଡ଼ିଗୁଡ଼ିକ ଧାଡ଼ି ଲାଗୁଛି। ଏଠାରେ ଯାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ଦାନଗଦୀଠାରୁ ଡୁବୁରି, ମିଲିଟାରି ଛକଠାରୁ ବାଘବାହାଳି ବଙ୍ଗଳା, ବି.ଆର୍‌.ପି.ଏଲ୍. ଛକଠାରୁ ଗୋପବନ୍ଧୁ ମାର୍ଗ ଓ ଡୁବୁରିଠାରୁ ବ୍ରହ୍ମଣୀ ସେତୁ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ରହିଛି।

ସେହିପରି ରାସ୍ତା ଉପରେ ଅଧିକାଂଶ ସମୟରେ ଭାରୀଯାନ ରହୁଥିବା ବେଳେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ସମୟରେ ଦାନଗଦୀଠାରେ ଟ୍ରାଫିକ ସମସ୍ୟା ଏତେ ଅଧିକ ରହୁଛି ଯେ ଡାକ୍ତରଖାନାକୁ ରୋଗୀମାନେ ଯାଇପାରୁନାହାନ୍ତି। ଲୋକମାନେ ସାଇକଲ କି ଚାଲିଚାଲି ଯିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟପଟେ ଡୁବୁରି-ଚଣ୍ଡିଖୋଲ ରାଜପଥ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି।

କଳିଙ୍ଗନଗରରେ ଥିବା ମାନପୁର ରେଲ ସାଇଡ୍‌ରୁ ଦୈନିକ ଶହଶହରେ ହାଇୱା ଖଣିଜ ପରିବହନ କରି ଯାଉଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଦାନଗଦୀ ବଜାରରେ ଥିବା ଅଧିକାଂଶ ଲୋକ କ୍ଷତିପୂରଣ ପାଇ ନ ଥିବାରୁ ଏଠାରେ ଏଯାଏ ଉଚ୍ଛେଦ ହୋଇପାରି ନାହିଁ। ଏଥିଯୋଗୁଁ ଛଅ ଥାକିଆ ରାସ୍ତା ନିର୍ମାଣ ଅଧାରେ ଅଟକିଛି। ଅଧିକାଂଶ ଉଠା ଦୋକାନୀ ରାସ୍ତା ଉପରେ ବସୁଥିବାରୁ ସମସ୍ୟା ଆହୁରି ଗୁରୁତର ହେଉଛି। ଶିଳ୍ପାଞ୍ଚଳ ପାଇଁ ସ୍ବତନ୍ତ୍ର ଶିଳ୍ପ କରିଡର ନିର୍ମାଣ କରିବା ଜରୁରି ହୋଇପଡ଼ିଛି। ଭବିଷ୍ୟତକୁ ଆଖି ଆଗରେ ରଖି କେନ୍ଦୁଝର ଜିଲ୍ଲାର ଯୋଡ଼ା ପରି ଏଠାରେ ମଧ୍ୟ ଭାରୀଯାନ ଚଳାଚଳ ପାଇଁ ଫ୍ଲାଏଓଭର ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର