କରୋନା ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି: ସଂଶୋଧନ ପାଇଁ ୱେବସାଇଟ ଖୋଲିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

କଟକ : କରୋନା ପ୍ରତିଷେଧକ ଟିକାକରଣ ସଂପର୍କିତ ସାର୍ଟିଫିକେଟରେ ଅନେକ ସମୟରେ ତ୍ରୁଟି ଯୋଗୁଁ ଦେଶର ସାଧାରଣ ନାଗରିକ ଭୋଗ କରୁଥିବା ସମସ୍ୟାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଟିଫିକେଟରେ ଭୁଲ ଟିକାକରଣ ତାରିଖ ଉଲ୍ଲେଖ ଯୋଗୁଁ ବୁଷ୍ଟର ଡୋଜ ନେବାରୁ ବଞ୍ଚିତ ଭୁବନେଶ୍ବରର ବରିଷ୍ଠ ନାଗରିକ ନରେନ୍ଦ୍ର ଦାସ ଓ ତାଙ୍କ ପତ୍ନୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ଆବଶ୍ୟକ ପ୍ରସ୍ତାବ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ଯୋଗୁଁ ଅାବେଦନକାରୀଙ୍କ ଭଳି ସମସ୍ୟା ଅନେକ ଭୋଗ କରୁଛନ୍ତି। କରୋନା ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ସୁଧାରିବା ପାଇଁ ୱେବସାଇଟ ଖୋଲାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଟିକାକରଣ ସାର୍ଟିଫିକେଟ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦିଷ୍ଟ ୱେବସାଇଟରେ ପ୍ରଭାବିତ ନାଗରିକମାନେ ଆବେଦନ ପାଇଁ ବ୍ୟବସ୍ଥା ପ୍ରସଂଗରେ କେନ୍ଦ୍ର ସରକାର ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବାକୁ ହାଇକୋର୍ଟ କହିଛନ୍ତି। ଏଭଳି ୱେବସାଇଟରେ ସଂଶୋଧନ ପାଇଁ ଆବେଦନ କରିବା ବେଳେ ନାଗରିକମ‌ାନେ ଟିକାକରଣ ତାରିଖ ସଂପର୍କିତ ପ୍ରମାଣ ଦାଖଲ କରିବେ।

ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦିଷ୍ଟ ୱେବସାଇଟ ବ୍ୟବସ୍ଥା କରାଯିବା କ୍ଷେତ୍ରରେ ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅାବେଦନକାରୀ କରୋନା ପ୍ରତିଷେଧକ ଟିକାକରଣ ସଂପର୍କିତ ପ୍ରକୃତ ତାରିଖ ପ୍ରମାଣ ଦେଇ ସାରିଥିବାରୁ ତାଙ୍କୁ ଶିଘ୍ର ସଂଶୋଧିତ ସାର୍ଟିଫିକେଟ ପ୍ରଦାନ ପାଇଁ ହାଇକୋର୍ଟ କହିଛନ୍ତି। ମାର୍ଚ୍ଚ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର