ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଖାଇବା ତେଲ ଦରବୃଦ୍ଧି ପ୍ରସଙ୍ଗ: ସୂର୍ଯ୍ୟମୁଖୀ, ପାମୋଲିନ୍‌ ଦର ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଳାବଜାର ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ

ଭୁବନେଶ୍ବର : ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହି ଦୁଇ ଦେଶରୁ ଆସୁଥିବା ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ତେଲ ଆମଦାନି ବାଧାପ୍ରାପ୍ତ ହୋଇଛି। ଫଳରେ ତେଲଦର ହଠାତ୍‌ ଆକାଶଛୁଆଁ ହୋଇଯାଇଛ। ଅପରପକ୍ଷେ କିଛି ବ୍ୟବସାୟୀ ଏହାର ଫାଇଦା ନେଇ କୃତ୍ରିମ ଅଭାବ ସୃଷ୍ଟି କରିବା ସହ ତେଲର କଳାବଜାର ଆରମ୍ଭ କରିଦେଇଛନ୍ତି। ଏପରି ବହୁ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦର ନିରୀକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗୋଟିଏ ସପ୍ତାହ ମଧ୍ୟରେ ହୋଲସେଲରେ ସୂର୍ଯ୍ୟମୁଖୀ ତେଲ ଦର ୧୩୦ରୁ ୧୬୦, ପା‌ମୋଲିନ୍‌ ଦର ୧୨୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛୁ। ଖୁଚୁରା ବଜାରରେ ଏହାଠୁ ଯଥେଷ୍ଟ ଅଧିକ ଦରରେ ବିକ୍ରି ହେଉଛି। ଫର୍ଚ୍ୟୁନ୍‌ ତେଲକୁ ବ୍ୟବସାୟୀମାନଙ୍କୁ ଏମ୍‌ଆର୍‌ପିରେ କିଣିବାକୁ କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସା‌ରେ, ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ଭାରତକୁ ଆମଦାନି ହେଉଥିବା ସୂର୍ଯ୍ୟମୁଖୀ, ପାମ୍‌ ତେଲ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଏହି ଦୁଇ ଖାଦ୍ୟ ତେଲର ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି। ଏହି ସ୍ଥିତିର ଫାଇଦା ଉଠାଇ ଅସାଧୁ ବ୍ୟକ୍ତି କଳାବଜାର କରିବା ନେଇ ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଏହି ତେଲର ଉତ୍ପାଦନ ସ୍ଥଳର ଦର, ହୋଲସେଲ ଦର, ରିଟେଲ ଦର, ବିଲ, ଭାଉଚରକୁ ଜିଲ୍ଲାପାଳମାନେ ଦେଖନ୍ତୁ। ଦୋକାନରେ କେଉଁ ଦରରେ ବିକ୍ରି ହେଉଛି, ତା’ର ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ହୋଇଛି।

ଓଡ଼ିଶା ବ୍ୟବସାୟୀ ସଂଘର ସୂଚନା ଅନୁସାରେ, ରାଜ୍ୟରେ ପ୍ରତିଦିନ ଖାଦ୍ୟ ତେଲର ଚାହିଦା ଦେଢ଼ରୁ ୨ହଜାର ଟନ୍‌। ବାର୍ଷିକ ଏଠାରେ ୫ ଲକ୍ଷ ଟନରୁ ୬ ଲକ୍ଷ ଟନର କାରବାର ହୁଏ। ଏଥିରୁ ପ୍ରାୟ ୨୫ ପ୍ରତିଶତ ସୂର୍ଯ୍ୟମୂଖୀ ଏବଂ ୧୫ରୁ ୨୦ ପ୍ରତିଶତ ପାମୋଲିନ ତେଲ। ଏହି ତେଲ ମୁଖ୍ୟତଃ ୟୁକ୍ରେନ୍‌ ଏବଂ ରୁଷ୍‌ରୁ ଆସିଥାଏ।

ସମ୍ବନ୍ଧିତ ଖବର