ବିପଦସଂକୁଳ ଅଙ୍ଗନବାଡ଼ି କେନ୍ଦ୍ର: ୫ବର୍ଷ ଧରି ଗଛମୂଳେ ପାଠପଢ଼ା

ଖିଚିଂ: ବର୍ଷେ କି ଦୁଇବର୍ଷ ନୁହେଁ ୫ବର୍ଷରୁ ଊର୍ଦ୍ଧ୍ବ ହେଲାଣି ଗଛମୂଳେ ଚାଲିଛି ‌ପୋଖରିଆ ଅଙ୍ଗନବାଡି କେନ୍ଦ୍ର। ଏପରି ଘଟଣା ଦେଖିବାକୁ ମିଳିଛି ଶୁକୃଳି ଅନ୍ତର୍ଗତ ବାରିଆ ପଞ୍ଚାୟତ ପୋଖରିଆ ଗ୍ରାମରେ। ବର୍ଷାଦିନ ଅଙ୍ଗନବାଡି କେନ୍ଦ୍ର ଛାତରୁ ପାଣିଗଳି ଭିତରେ ପାଣି ଜମୁଛି। ଛାତ ଦୁର୍ବଳ ହୋଇ କଂକ୍ରିଟ ଖସୁଛି। ଛାତ ତଳେ ବସୁଥିବା କୋମଳମତି ଶିଶୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ନେଇ ଗ୍ରାମବାସୀ ଶିଶୁମାନଙ୍କୁ କେନ୍ଦ୍ରକୁ ଯିବାକୁ ବାରଣ କରିଛନ୍ତି। ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। ହେଲେ ଏ ଯାଏ ପ୍ରଶାସନ କିମ୍ବା ରାଜନେତା କାହାରି ଆନ୍ତରିକତା ନଥିବା ପରି ମନେହୁଏ। ତେଣୁ ବାଧ୍ୟହୋଇ ୫ବର୍ଷରୁ ଊର୍ଦ୍ଧ୍ବ ହେବ ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର।

ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ୮୬ଜଣ ଶିଶୁ ପଢୁଥିବାବେଳେ ଗଛମୂଳେ ପାଠପଢା ହେଉଥିବାରୁ ଖୁବ କମ ସଂଖ୍ୟାରେ ଶିଶୁଙ୍କ ଉପସ୍ଥାପନ ଦେଖିବାକୁ ମିଳୁଛି। ବାଉଁଶ ଉପରେ ଆଜବେଷ୍ଟସ ପକାଯାଇ ଖୋଲାରେ ଶିଶୁମାନଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ ହେଉଛି। ଏ ସମନ୍ଧରେ ଅଙ୍ଗନବାଡି କର୍ମୀ ସୋମବାରୀ ହେମ୍ବ୍ରମ ପ୍ରଶାସନକୁ ବହୁବାର ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା କହିଛନ୍ତି। ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେବା ନେଇ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ଶୁକୃଳି ସିଡିପିଓ ଦ୍ରୌପଦୀ ମାରାଣ୍ଡିଙ୍କ ମତାମତ ନେବାରୁ ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଏ ବିଷୟରେ ଜାଣି ନଥିବା କହିଥିଲେ। ଖୁବଶୀଘ୍ର ତଦନ୍ତ କରାଯାଇ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଏ ସଂପର୍କରେ ଶୁକୃଳି ଏବିଡିଓ ଟଙ୍କଧର ମହାନ୍ତଙ୍କୁ ପଚାରିବାରୁ ଏ ସଂପର୍କରେ ସୂଚନା ପାଇଛନ୍ତି ଏବଂ ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର