ବିକାଶ ଏବେ ବି ଅପହଞ୍ଚ, ନାଁକୁ ମହାନଗର ଘୋଷଣା

ସମ୍ବଲପୁର : ଆଜିକୁ ପ୍ରାୟ ୮ ବର୍ଷ ହୋଇଯିବ ସମ୍ବଲପୁର ସହରକୁ ମହାନଗର ନିଗମ ଭାବେ ଘୋଷଣା କରାଗଲା। ମହାନଗରରେ ସାମିଲ ହେବା ଖବର ଶୁଣି ୧୨ଟି ପଞ୍ଚାୟତର ଲୋକେ ବେଶ୍ ଖୁସି ହୋଇଥିଲେ। ମହାନଗର ନିଗମର ସୁବିଧା ସୁଯୋଗ ମିଳିବା ନେଇ ଅନେକ ସ୍ବପ୍ନ ଦେଖିଥିଲେ। ହେଲେ, ଏବେ ବି ଅନେକ ବସ୍ତିକୁ ସରକାରୀ ସୁବିଧା ଅପହଂଚ। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧ରେ ଆସୁଥିବା ବ୍ରହ୍ମପୁରା ଗାଁର ମିସ୍ତ୍ରୀପଡ଼ା, ତେତେଲପଡ଼ା, ଲାଲାପଡ଼ା ଅଂଚଳରୁ।

ପାଖରେ ଥିବା ଏହି ତିନି ପଡ଼ାକୁ ମିଶାଇଲେ ଶହେରୁ ବେଶୀ ପରିବାର ବସବାସ କରୁଛନ୍ତି। ସେଠାରେ ବସବାସ କରୁଥିବା ସମସ୍ତ ପରିବ‌ାର ଗରିବ ଶ୍ରେଣୀର। ସେମାନଙ୍କ ଅଭିଯୋଗ ହେଲା, ଆଜି ପର୍ଯ୍ୟନ୍ତ ପିଚୁ କିମ୍ବା କଂକ୍ରିଟ ରାସ୍ତାଟିଏ ହୋଇପାରିଲା ନାହିଁ। ବର୍ତ୍ତମାନ ସୁଦ୍ଧା ସେହି ମାଟିରାସ୍ତା ଦେଇ ଯିବାଆସିବା କରୁଛନ୍ତି। ବର୍ତ୍ତମାନ ପଡ଼ାକୁ ଯିବାପାଇଁ ଥିବା ଦୁଇଟିଯାକ ରାସ୍ତା ସଂପୂର୍ଣ୍ଣ କାଦୁଅ। ଲୋକେ ନୀତିଦିନ କାଦୁଅ ଦେଇ ଯିବାଆସିବା କରନ୍ତି। ଅଧିକ ବର୍ଷା ହେଲେ ପିଲାମାନେ ସ୍କୁଲ ମଧ୍ୟ ଯାଇପାରୁନାହାନ୍ତି ବୋଲି ପ୍ରମିଳା ଓରାମ ଅଭିଯୋଗ କରିଛନ୍ତି। ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସକୁ ଫୋନ୍‌ କଲେ କାଦୁଅ ରାସ୍ତା ଯାଇ ହେବନାହିଁ ବୋଲି କହୁଛନ୍ତି। କୌଣସି ଅଟୋକୁ ଭଡ଼ା କଲେ ମଧ୍ୟ ଯିବାକୁ ମନା କରୁଥିବା ବୈକୁଣ୍ଠ ଓରାମ କହିଛନ୍ତି। ଭଲ ପିଇବା ପାଣି ଆସୁନାହିଁ। ଅମୃତଧାରାରେ ୨ ବର୍ଷ ହେବ ପାଇପ ବିଛା ସରିଛି । ପାଣି ଆସିବା ଆନିଶ୍ଚିତତାରେ ରହିଯାଇଛି। ଲୋକେ ପାଣି ପାଇଁ ଶହଶହ ମିଟର ଯାଉଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ଲାଗିଛି ହେଲେ ଲାଗିବା ଦିନଠୁ ଜଳୁନାହିଁ। ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଆବଶ୍ୟକ ଥିଲେ ମଧ୍ୟ ଦିଆଯାଉନାହିଁ। ଯାହା ଫଳରେ ୪୦ରୁ ଉର୍ଦ୍ଧ୍ବ ଶିଶୁ ଅଙ୍ଗନବାଡ଼ି ଶିକ୍ଷାରୁ ବଞ୍ଚିତ ଥିବା ଗ୍ରାମର କିଛି ମହିଳା ଅଭିଯୋଗ କରିଛନ୍ତି।

ସେମାନେ ଯାହା କହନ୍ତି

ଅନନ୍ତ ଓରାମ, ସ୍ଥାନୀୟ ବାସିନ୍ଦା :  ବ୍ରହ୍ମପୁରା ମିସ୍ତ୍ରୀପଡ଼ା ପ୍ରଥମେ ଧନକଉଡ଼ା ବ୍ଲକ ସେନାପାଲି ପଞ୍ଚାୟତ ଅଧୀନରେ ଆସୁଥିଲା। ଏବେ ମହାନଗର ନିଗମ ୧ ନମ୍ବର ୱାର୍ଡ ଅଧୀନରେ ଆସୁଛି। ୱାର୍ଡ ଏକ ନମ୍ବର ହୋଇଥିଲେ ବି କାମ କିନ୍ତୁ ‘ଜିରୋ’ । ରାସ୍ତା ସାରା କାଦୁଅ ଥିବାରୁ ବାହାର ଲୋକେ କେହି ଏଠାକୁ କାମ ନଥିଲେ ବି ଆସିନଥାନ୍ତି। ଆମକୁ ବି ଅତି ଜରୁରୀ କାମ ପଡ଼ିଲେ ବାହାରକୁ ଯିବାକୁ ଇଚ୍ଛା ହୁଏ ନାହିଁ। ପୂର୍ବରୁ ମିସ୍ତ୍ରୀପଡ଼ା ସେନାପାଲି ପଞ୍ଚାୟତ ଅଧୀନରେ ଥିବା ସମୟରେ ମାଟି,‌ ମୋରମ ଆଦି ପକାଇ ରାସ୍ତା ମରାମତି କରୁଥିଲେ। ମହାନଗର ହେଲା ପରେ ଏବେ ତାହା ବି ହେଉ ନାହିଁ। ପୂର୍ବରୁ ଗାଁ ଦାଣ୍ଡ ଯେମିତି ଅନ୍ଧାର ରହୁଥିଲା ସେମିତି ଅଛି। ନାମକୁ ମାତ୍ର ଷ୍ଟ୍ରିଟ ଲାଇଟ୍ ଲଗାଯାଇଛି, ଗୋଟେ ବି ଜଳୁନାହିଁ ।

ବିଳାସିନୀ ଓରାମ, ସ୍ଥାନୀୟ ବାସିନ୍ଦା: ପାଣି ପାଇଁ ଆମେ ଅନେକ ଅସୁବିଧା ଭୋଗୁଛୁ। ୨ଟି ନଳକୂପ ଅଛି। ହେଲେ, ଉଭୟର ପାଣି ବ୍ୟବହାର ପାଇଁ ଅନୁପଯୋଗୀ। କେଉଁ ଅମଳରୁ ଆମେ ଏଠି ରହି ଆସୁଛୁ। କିନ୍ତୁ ଦୁର୍ଭାଗ୍ୟର କଥା ଆମକୁ ପକ୍କା ରାସ୍ତାଟିଏ ମଧ୍ୟ ମିଳିଲା ନାହିଁ । ଆଜି ମଧ୍ୟ ମାଟି ଘରେ କୁଡ଼ିଆ କରି ରହୁଛୁ । ପକ୍କା ଘର ଆମ ପାଇଁ ଦିବାସ୍ୱପ୍ନ। ବର୍ଷାଦିନେ ଘର ଚାରିପଟୁ ପାଣି ଗଲୁଛି। ଜରିପାଲ ଟିଏ ମଧ୍ୟ ମିଳୁନାହିଁ। ମହାନଗର ନିଗମର ମିଶିବା ପରେ ବି ଆମକୁ କିଛି ସୁବିଧା ମିଳୁ ନାହିଁ।

କଳାବତୀ ଓରାମ, ସ୍ଥାନୀୟ ବାସିନ୍ଦା: ଆମ ପଡ଼ାକୁ ସବୁଦିନିଆ ରାସ୍ତା ନାହିଁ କି ଛୋଟ ପିଲାଙ୍କ ପଢ଼ିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ । ମିସ୍ତ୍ରୀ ପଡ଼ା, ତେତେଲପଡ଼ା, ଲାଲାପଡ଼ାକୁ ମିଶାଇ ୪୦ରୁ ୪୫ ପିଲା ଅଙ୍ଗନବାଡ଼ି ଶିକ୍ଷାରୁ ବଞ୍ଚିତ ଅଛନ୍ତି । ୧ରୁ ୫ ବର୍ଷ ଯାଏ ସେମିତି ବୁଲୁଛନ୍ତି । ପଠାପଢ଼ାରୁ ଆଗ୍ରହ ହଟିଯାଉଛି । ୨ ବର୍ଷ ତଳେ ଅମୃତଧାରା ଯୋଜନାରେ ଘରକୁ ଘର ପାଣି ଯୋଗାଇବା ପାଇଁ ପାଇପ ବିଛାଯାଇଛି। ଷ୍ଟାଣ୍ଡ ପୋଷ୍ଟ ବି ଅଛି। ହେଲେ, ପାଇପରେ ପାଣି ଯୋଗାଣ ହେଉ ନାହିଁ । କାହାକୁ ଗୁହାରି କଲେ ବି କେହି କିଛି ଶୁଣୁନାହାନ୍ତି।

ନୀଳମଣି ଓରାମ, ସ୍ଥାନୀୟ ବାସିନ୍ଦା : ଆମେ ହେଉଛୁ ଗରିବ ଖଟିଖିଆ ଲୋକ । ସରକାରୀ କାମ ଜଣା ନାହିଁ। ହେଲେ, ମୋତେ ୫୫ ବର୍ଷ ଡେଇଁଲାଣି। ମୁଁ ମୋ ପିଲାଦିନରୁ ଦେଖି ଆସୁଛି, ଏଠାକାର କଞ୍ଚା ରାସ୍ତା କେବେ ପକ୍କା ହୋଇପାରିଲା ନାହିଁ । ଟିକିଏ ବର୍ଷାରେ ରାସ୍ତା କାଦୁଅ। ଗର୍ଭବତୀ ମହିଳା, ଶାରୀରିକ ଅସୁସ୍ଥ ବ୍ୟକ୍ତିଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ୩୦୦ , ୪୦୦ ମିଟର ଖଟରେ ବୋହି ନେବାକୁ ପଡ଼ିଥାଏ । ବେଳେ ବେଳେ ରାସ୍ତା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସେନାହିଁ। ନିର୍ବାଚନ ସମୟରେ ନେତା ଆସିଲେ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଥାନ୍ତି। ଆଉ ନିର୍ବାଚନ ସାରିଗଲେ ଭୁଲିଯିବା ଭଳି ଅନେକ ଥର ଘଟିଲାଣି । ପ୍ରଶାସନକୁ ହାତଯୋଡ଼ି ନିବେଦନ କରୁଛି ଯଥାଶୀଘ୍ର ଏକ ପକ୍କା ରାସ୍ତା ଯୋଗାଇ ଯୋଗାଇ ଦିଅନ୍ତୁ।

ସମ୍ବନ୍ଧିତ ଖବର