ରାଜଧାନୀରେ ହାଜତ ମୃତ୍ୟୁ! ଚୋରି ସନ୍ଦେହରେ ପୁଲିସ୍‌ ଉଠାଇଥିଲା

ପୁଲିସ ପିଟି ପିଟି ମାରିଥିବା ଅଭିଯୋଗ ଆଣିଲେ ଦୁଇ ପତ୍ନୀ

ଭୁବନେଶ୍ବର: ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ। ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଥିବା ବେଳେ ଜଣେ ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ, ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁ(୪୮)। ଏହି ଘଟଣା ପୁଲିସକୁ ଅଡ଼ୁଆରେ ପକାଇଛି। ପ୍ରଦୀପଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷେ, ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିୟମ ଅନୁସାରେ, ହାଜତ ମୃତ୍ୟୁର ସମସ୍ତ ନିୟମକୁ ପାଳନ କରାଯାଇଛି। ଏକାଧିକ ଡାକ୍ତର(ଟିମ୍ ଅଫ୍ ଡକ୍ଟର) ଶବ ବ୍ୟବଚ୍ଛେଦ କରିବା ସହ ଏହାର ଭିଡିଓ ରେକର୍ଡିଂ କରାଯାଇଛି। ସିଆର୍‌ପିସି ଧାରା-୧୭୬(୧)(ଏ) ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଲେଖା ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପ୍ରଦୀପ ସୁନ୍ଦରପଦା ହରିଆ ଛକରେ ରୁହନ୍ତି। ତାଙ୍କ ନାମରେ ପୂର୍ବରୁ ଲକ୍ଷ୍ମୀସାଗର, ବଡ଼ଗଡ଼, ମଞ୍ଚେଶ୍ବର ଓ ବାଦାମବାଡ଼ି ଥାନାରେ ମାମଲା ରହିଛି। ସେହିପରି ବଡ଼ଗଡ଼ ଥାନାରେ ଏକ ସାଇକେଲ ଚୋରି ଅଭିଯୋଗ ରହିଥିଲା। ପ୍ରଦୀପ ଉପରେ ପୁଲିସର ସନ୍ଦେହ ହୋଇଥିଲା। ଗତକାଲି ସନ୍ଧ୍ୟାରେ ବ୍ରହ୍ମେଶ୍ବରପାଟଣା ଅଞ୍ଚଳରେ ପ୍ରଦୀପ ସାଇକେଲରେ ଯାଉଥିବା ବେ​ଳେ ପୁଲିସ ଉଠାଇ ଆଣିଥିଲା। କିନ୍ତୁ ପୁଲିସ ହେପାଜତରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା। କେଉଁ ପରିସ୍ଥିତିରେ ପ୍ରଦୀପଙ୍କର
ମୃତ୍ୟୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ପାରିପାର୍ଶ୍ବିକ ସ୍ଥିତି ଭିନ୍ନ କଥା କହୁଛି। ତାଙ୍କ ମୁଣ୍ଡରେ ମାଡ଼ ଚିହ୍ନ, ବାମ ହାତ କଚଟି ଫୁଲିଯିବା ଏବଂ ଶରୀର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଟିମ୍ ଧରିବାକୁ ଯିବା ସମୟରେ ସାଇକେଲ୍‌ରୁ ପଡ଼ିଯିବାରୁ ଖଣ୍ଡିଆ ଖାବରା ହୋଇଥିବା କଥାକୁ ପରିବାରଲୋକ ସହଜରେ ବିଶ୍ବାସ କରିପାରୁ ନାହାନ୍ତି।

ପ୍ରଦୀପଙ୍କ ମୃତ୍ୟୁ ଯେତିକି ସନ୍ଦେହଜନକ, ଦୁଇ ମହି​ଳା ହସ୍ପିଟାଲରେ ପହଞ୍ଚି ନିଜର ସ୍ବାମୀ ବୋଲି ଦାବି କରିବା ସେତିକି ରୋଚକ ମଧ୍ୟ ଥିଲା। ଦୁଇ ମହିଳା ହେଲେ, ମନୋରମା ସାହୁ ଓ ବନିତା ‌ଚୌଧୁରୀ। ମନୋରମା ଭୂଷଣ୍ଡପୁରରେ ରୁହନ୍ତି। ବନିତା କିନ୍ତୁ ପ୍ରଦୀପଙ୍କ ସହ ସୁନ୍ଦରପଦା ହରିଆ ଛକରେ ରୁହନ୍ତି। ସେ କହିଥିଲେ ଯେ ମୃତକ ପ୍ରଦୀପ ନୁହଁନ୍ତି ବରଂ ତାଙ୍କ ସ୍ବାମୀ ଦେବେନ୍ଦ୍ର ଚୌଧୁରୀ। ତାଙ୍କ ନାଁରେ କୌଣସି ମାମଲା ନଥିବା ବେଳେ ପୁଲିସ ତାଙ୍କୁ ଉଠାଇ ଆଣିଛି। ସ୍ବାମୀଙ୍କୁ ପୁଲିସ ପିଟିପିଟି ମାରିଦେଇ ଏବେ ଘଟଣା ଚପାଇବାକୁ ଭୂଆଁ ବୁଲାଉଛି। ଏହି ଘଟଣାକୁ ନେଇ ବ୍ୟବଚ୍ଛେଦ ବ‌େଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଦୁଇ ମହିଳାଙ୍କ ବୟାନ ପରେ ପୁଲିସ ଦ୍ବନ୍ଦ୍ବରେ ପଡ଼ିଥିଲା। ଫଳରେ ବ୍ୟବଚ୍ଛେଦରେ ବିଳମ୍ବ ହୋଇଥିଲା। ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ନେଇ ଦୁଇ ଜଣଙ୍କ ଭିତରେ କଳି ଲାଗିଥିଲା। ଏହା ପରେ ପୁଲିସ ଅନୁସନ୍ଧାନ କରିଥିଲା। ମୃତକ ପ୍ରଦୀପ ସାହୁ ଓ ତାଙ୍କ ନାଁରେ ଅପରାଧ ରେକର୍ଡ ରହିଥିବା ସ୍ପଷ୍ଟ ହୋଇଥିଲା। ସେ ନାଁ ବଦଳାଇବା ସହ ଦେବେନ୍ଦ୍ର ଚୋଧୁରୀ ନାଁରେ ଜାଲ୍ ପରିଚୟପତ୍ର ତିଆରି କରିଥିଲେ। ବନିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସେହିପରି ଦୁଇ ମହିଳା ଓ ତାଙ୍କ ପୁଅ ମୃତଦେହକୁ ନେଇଥିଲେ। ସତ୍ୟନଗର ଶ୍ମଶାନରେ ଦୁଇ ମହିଳାଙ୍କ ପୁଅ ମୁଖାଗ୍ନି ଦେଇଥିଲେ। ସେହିପରି ରାତିରେ ଥାନାରେ ପ୍ରଦୀପ ତୃତୀୟ ବିବାହ କରିଥିବା ନେଇ ଖବର ପହଞ୍ଚିଥିଲା।

ଅନ୍ୟପକ୍ଷରେ ହାଜତ ମୃତ୍ୟୁକୁ ପୁଲିସ ଖଣ୍ଡନ କରିଛି। ପୁଲିସ ପକ୍ଷରୁ କୁହାଯାଇଛି ଯ‌େ ରବିବାର ରାତି ପାଖାପଖି ସାଢ଼େ ୭ଟାରେ ପାଟ୍ରୋଲିଂ ଟିମ୍‌ ପଇଁତରା ମାରୁଥିବା ବେଳେ ପ୍ରଦୀପ ପୁଲିସ ନଜରକୁ ଆସିଥିଲା। ତାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ପୁଲିସ ତାଙ୍କୁ କାବୁ କରିବା ପାଇଁ ପିଛା କରିଥିଲା। ସେ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସାଇକେଲ୍‌ରୁ ପଡ଼ି ଯାଇଥିଲା। ସାଇକେଲ୍‌ ସହ ତଳେ ପଡ଼ିଯିବା ପରେ ପୁଲିସ ତାଙ୍କୁ କାବୁ କରି ଥାନାକୁ ଆଣିଥିଲା। ଫଳରେ ଶରୀରରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା। ଥାନାରେ ବସାଇ ପରଚାଉଚରା କରାଯାଇଥିଲା। ହେଲେ କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏମିତିକି ତଳେ ଶୋଇ ପଡ଼ିଥିଲେ। ଯେତେ ଡାକିଥିଲେ ବି ଉଠି ନଥିଲେ। ଅସୁସ୍ଥ ଥିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଏକ ଚୋରି ମାମଲାରେ ପ୍ରଦୀପଙ୍କୁ ବଡ଼ଗଡ଼ ଥାନା ପୁଲିସ ଗତବର୍ଷ ଗିରଫ କରିଥିଲା। ସେହିପରି ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ବଡ଼ଗଡ଼, ବାଦାମବାଡ଼ି ଥାନାରେ ମଧ୍ୟ ତାଙ୍କ ନାଁରେ ମାମଲା ରହିଛି। କେତେକ ମାମଲାରେ ସେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୨ରେ ସହିଦନଗର ଥାନାରେ ହାଜତ ମୃତ୍ୟୁ ଘଟିଥିଲା। କୁଲଦୀପ ମହାପାତ୍ର ନାମକ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର