କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର : ଶନିବାର ଦିନ ୯ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ‌ଭେଟି ସର୍ବନିମ୍ନ ମଜୁରି ବୃଦ୍ଧି କରିବାକୁ ଦାବି କରିଛନ୍ତି। ପ୍ରତି ୫ ବର୍ଷରେ ମଜୁରି ବଢ଼ିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା ନ କରି କେବଳ ଡି.ଏ ବଢ଼ାଇ ସର୍ବନିମ୍ନ ମଜୁରି ବଢ଼ୁଛି ବୋଲି କହି ଶ୍ରମିକମାନଙ୍କୁ ଭୁଆଁ ବୁଲାଯାଉଛି। ତେଣୁ ରାଜ୍ୟ ସରକାର ଘୋଷଣା କରିଥିବା ସର୍ବନିମ୍ନ ମଜୁରିକୁ ପୁନଃ ବିଚାର କରିବାକୁ ଶ୍ରମିକ ନେତାମାନେ ଦାବି କରିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ମାସିକ ୨୬ ହଜାର ଟଙ୍କା ସହ ଦୈନିକ ହଜା‌ରେ ଟଙ୍କା ମଜୁରି ସ୍ଥିର କରିବାକୁ ଦାବି କରାଯାଇଛି।

ଏହି ପ୍ରତିନିଧିଦଳରେ ସିଆଇଟିୟୁର ବିଷ୍ଣୁ ମହାନ୍ତି, ଏଚ୍‌ଏମ୍‌ଏସ୍‌ର କୃଷ୍ଣଚନ୍ଦ୍ର ପାତ୍ର, ଆଇଏନ୍‌ଟିୟୁସିର ମଦନ ମୋହନ ଧଳ, ଏଆଇୟୁଟିୟୁସିର ପୂର୍ଣ୍ଣ ବେହେରା, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ଟିୟୁସିସିର ଜ୍ୟୋତିରଞ୍ଜନ ମହାପାତ୍ର, ଏସ୍‌ଇଡବ୍ଲ୍ୟୁଏର ପରିଲତା ମହାପାତ୍ର ଓ ଏଲପିଏଫର ନେତା ବୀରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର