ବ୍ୟାଙ୍କରୁ ଟଙ୍କା ହେରଫେର୍‌ ଘଟଣା: ବନ୍ଧାହେଲେ ଆଉଜଣେ ପୂର୍ବ ଅଧିକାରୀ

ଛେଣ୍ଡିପଦା : ଛେଣ୍ଡିପଦାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଟଙ୍କା ହେରଫେର ଘଟଣାରେ ପୁଲିସ ଆଜି ଆଉଜଣେ ପୂର୍ବତନ ଅଧିକ‌ାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ବ୍ୟାଙ୍କ ଶାଖାର ପୂର୍ବତନ କୋଷାଧ୍ୟକ୍ଷ ଶୁଭାଶିଷ ରାଉତରାୟ(୩୩)।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ବ୍ୟାଙ୍କ ଶାଖାରେ ଅଡିଟର୍‌ ସ୍ୱପ୍ନା ପାଣିଗ୍ରାହୀ ଅଡିଟ୍‌ କରିବା ସମୟରେ କ୍ୟାସ୍‌ରେ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ନିଅଣ୍ଟ ଥିବା ଜଣାପଡ଼ିଥିଲା। ଗତ ଫେବ୍ରୁଆରି ୨୫ ତାରିଖରେ ବ୍ୟାଙ୍କର ଆଞ୍ଚଳିକ ଅଧିକାରୀ ଅତୁଲ ପାଟ୍ଟଯୋଶୀ ବ୍ୟାଙ୍କର ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ହେରଫେର୍‌ ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ତଦନ୍ତକରି ସେହିଦିନ ବ୍ୟାଙ୍କ ଶାଖା ଉପପ୍ରବନ୍ଧକ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା କୁମୁରସିଙ୍ଗ ଗ୍ରାମର ଅଧିବାସୀ ଆକାଶ ଭାରତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଏବେ ବିଚାର ବିଭାଗ ହାଜତରେ ଅଛନ୍ତି। ଘଟଣାର ତଦନ୍ତ କରି ପୁଲିସ ଅନ୍ୟତମ ଅଭିଯୁକ୍ତ ପୂର୍ବତନ କୋଷାଧ୍ୟକ୍ଷ ତଥା ଭଦ୍ରକ ଜିଲ୍ଲା ଏରିଅନ ଗ୍ରାମର ଅଧିବାସୀ ଶୁଭାଶିଷ ରାଉତରାୟଙ୍କୁ ଆଜି ଦଫା ୪୦୯, ୪୭୭(ଏ), ୪୨୦, ୪୬୭, ୪୬୮, ୪୭୧, ୧୨୦(ବି)ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଗୋଳାଗାଡ଼ିଆ ଗ୍ରାମର ଜଣେ ଚାଷୀ ଶଙ୍କର୍ଷଣ ମିଶ୍ର(୪୯) ଛେଣ୍ଡିପଦାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ନେଇଥିବା ଋଣ ପରିଶୋଧ କରିବା ପରେ ମଧ୍ୟ ତାଙ୍କ ନାମ‌ରେ ଋଣ ଗଡ଼ୁଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣ ଏ ସଂପର୍କରେ ଛେଣ୍ଡିପଦା ଥାନାରେ ବ୍ୟାଙ୍କ ଅଧିକାରୀଙ୍କ ନାମ‌ରେ ଅଭିଯୋଗ କରିଛନ୍ତି। ଏବେ ହାଜତରେ ଥିବା ଆକାଶ ଭାରତୀ ଓ ଆଜି ଗିରଫ ହୋଇଥିବା ଶୁଭାଶିଷ ରାଉତରାୟ ସେତେବେଳେ ଏହି ବ୍ୟାଙ୍କରେ ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ। ଶଙ୍କର୍ଷଣଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରଜୁକରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର