ମହାନଦୀ ସଙ୍କଟର ସମାଧାନ ଟ୍ରିବ୍ୟୁନାଲ ପରିସର ଭିତରେ ସମ୍ଭବ ନୁହେଁ

୮ରେ ପୁରୀରେ ବନ୍ୟା ଓ ମରୁଡ଼ି ସଂପର୍କିତ ଜାତୀୟ ସମ୍ମିଳନୀ

ଭୁବନେଶ୍ବର : ମହାନଦୀ ଆଜି ଚରମ ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି। ଅଣ-ମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ୁଛି। ମହାନଦୀ କୂଳରେ ଥିବା ଅନେକ ଗାଁ ଓ ସହରାଞ୍ଚଳରେ ପାଣି ମିଳୁ ନାହିଁ। ଜଳ ସେଚନ ପ୍ରଭାବିତ ହୋଇଛି। ନଦୀରୁ ମାଛ ମାରି ବଞ୍ଚୁଥିବା ଧୀବର ଜୀବିକା ହରାଇ ସାରିଲେଣି। ବର୍ଷାଦିନେ ବନ୍ୟା କରାଳ ରୂପ ଦେଖାଉଛି। ଏଭଳି ଅବସ୍ଥାରେ ଓଡ଼ିଶା ସରକାର, ଓଡ଼ିଶାର ନାଗରିକ ସମାଜ ଓ ରାଜନୈତିକ ଦଳମାନେ ଚୁପ୍ ହୋଇ ବସି ରହିଲେ ଅବସ୍ଥା ସଙ୍ଗୀନ ହେବ ବୋଲି କହିଛନ୍ତି ଜଳ ମାନବ ରାଜେନ୍ଦ୍ର ସିଂହ ଚେତାବନୀ ଦେଇଛନ୍ତି।

ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ ମହାନଦୀର ସମସ୍ୟା ଓ ସଙ୍କଟର ସମାଧାନ ପାଇଁ କେବଳ ଟ୍ରିବ୍ୟୁନାଲ ଉପରେ ନିର୍ଭର କଲେ ଚଳିବ ନାହିଁ। ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆପୋଷ ଆଲୋଚନାର ଦ୍ୱାର ବନ୍ଦ ହେବା ଉଚିତ୍ ନୁହଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରୟାସ ଜାରି ରଖିବା ଦରକାର। ଦରକାର ପଡ଼ିଲେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ। ଓଡ଼ିଶା ସରକାର ରାଜ୍ୟ ଭିତରେ ମହାନଦୀର ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ। ମହାନଦୀ ଆଜି ବହୁଳ ଭାବରେ ପ୍ରଦୂଷିତ। ମହାନଦୀର ଜମି ଜବରଦଖଲରେ। ଇଟାଭାଟି, ବାଲି ଓ ମାଟି ମାଫିଆଙ୍କ କବଳରେ ମହାନଦୀ ଡହଳ ବିକଳ ହେଉଛି। ସରକାର ଏ ଦିଗରେ କିଛି ପଦକ୍ଷେପ ନ ନେବା ଅତ୍ୟନ୍ତ ପରିତାପର ବିଷୟ। ଓଡ଼ିଶାର ରାଜନୀତିକ ଦଳମାନେ ସଂକୀର୍ଣ୍ଣ ସ୍ବାର୍ଥରୁ ଉପରକୁ ଯାଇ ମହାନଦୀର ସୁରକ୍ଷା ପାଇଁ ଏକାଠି ହେବାକୁ ହେବ। ନାଗରିକ ସମାଜ ଏଥିପାଇଁ ଆଗେଇ ଆସିବା ଜରୁରୀ।

ସେଥିପାଇଁ ଆସନ୍ତା ୭ ତାରିଖରେ ସିୱାଇଏସ୍‌ଡିରେ ଏକ ଆଲୋଚନା ସଭା ଆୟୋଜିତ ହେବ। ଏଥିରେ ରାଜନୈତିକ ଦଳ, ଜନ ଆନ୍ଦୋଳନ, ସାମାଜିକ ଅନୁଷ୍ଠାନର ନେତୃବୃନ୍ଦମାନଙ୍କୁ ଆମନ୍ତ୍ରଣ କରାଯାଇଛି। ସେହିପରି ୮ ତ‌ାରିଖରେ ପୁରୀଠାରେ ବନ୍ୟା ଓ ମରୁଡ଼ି ଉପରେ ଜାତୀୟ ଜଳ ସମ୍ମିଳନୀ ଦୁଇଦିନ ପାଇଁ ଆୟୋଜିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ, ନଦୀ ସୁରକ୍ଷା ସମିତିର ଆବାହକ ଅଶ୍ୱିନୀ ମହାପାତ୍ର, ଅଶୋକ ପାଇକରାୟ, ସଚ୍ଚି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର