ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ୍‌ ପାଇଁ ଦାବି

ଭୁବନେଶ୍ବର : କରୋନା କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବା ସହ ଗୋଖାଦ୍ୟ ଦରକୁ ନିୟନ୍ତ୍ରିତ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି।

ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାକୁଆ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି , ଲକ୍‌ଡାଉନ୍‌ ସମୟରେ କୃଷିମନ୍ତ୍ରୀ ଅରୁଣ ସାହୁ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କୌଣସି ଚାଷୀ କ୍ଷତିଗ୍ରସ୍ତ ହେବେ ନାହିଁ। କିନ୍ତୁ ଚାଷୀମାନଙ୍କର କ୍ଷୀର ଓମ୍‌ଫେଡ଼ ଓ ଅନ୍ୟାନ୍ୟ ଡାଏରୀ ଫାର୍ମଗୁଡ଼ିକ ନ କିଣିବା ଓ ଗୋଖାଦ୍ୟ ଦରବୃଦ୍ଧି ଯୋଗୁ ରାଜ୍ୟର ୬ ଲକ୍ଷ ଦୁଗ୍ଧଚାଷୀଙ୍କର ଜୀବନ ଦୁର୍ବିସହ ହୋଇପଡ଼ିଛି। ବିଭିନ୍ନ ସହରରେ ଯେଉଁମାନେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକି କରି ଚଳୁଥିଲେ ସେମାନେ ଆଜି ଭୋକ ଉପାସରେ। ତେଣୁ ରାଜ୍ୟର କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାର ମାସିକ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଓ ଗୋଖାଦ୍ୟ ମୂଲ୍ୟ ନିୟନ୍ତ୍ରଣ କରିବାକୁ ମହାସଂଘ ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଓ ଗ୍ରାମାଞ୍ଚଳ ମହିଳାମାନଙ୍କୁର ଜୀବିକାର ସୁରକ୍ଷା ପାଇଁ ତୁରନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏକ କ୍ଷତିପୂରଣ ପ୍ୟାକେଜ ଘୋଷଣା କରିବାକୁ ଶ୍ରୀ ବେହେରା ଏକ ପତ୍ର ମାଧ୍ୟମରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର