ପାପ ସମ୍ପର୍କରୁ ନୃଶଂସ ହତ୍ୟାକାଣ୍ଡ: ଦିଅର ଓ ଭାଉଜଙ୍କୁ ଆଜୀବନ ଜେଲ୍‌

ବାରିପଦା : ପରକିୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଦିଅର-ଭାଉଜଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ପ୍ରବୀର କୁମାର ଚୌଧୁରୀ। ୨୦୧୪ ମସିହାରେ ଖୁଣ୍ଟା ଥାନା ଅଞ୍ଚଳରେ ସଂଘଟିତ ଏହି ହତ୍ୟାକାଣ୍ଡର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି।

ଖୁଣ୍ଟା ଥାନା ଡେଙ୍ଗାମ ଗ୍ରାମର ହେମଲତା ଲୋହାରୀ (୩୨) ଓ ତାଙ୍କ ଦିଅର କାଶୀନାଥ ଲୋହାରୀ (୩୪)ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲ। ସ୍ୱାମୀ ଶିବ (୩୭) ସେମାନଙ୍କ ବାଟରେ କଣ୍ଟା ହେବାରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଦିଅର-ଭାଉଜ। ୨୦୧୪ ଅଗଷ୍ଟ ୨୩ ତାରିଖ ରାତିରେ ସ୍ୱାମୀ ଶିବ ଶୋଇଥିବା ବେଳେ ହେମଲତା ତାଙ୍କ ଦୁଇ ଗୋଡକୁ ମାଡ଼ି ବସିଥିଲେ ଓ ଦିଅର କାଶୀନାଥ ଏକ ପ୍ଲାଷ୍ଟିକ ଦଉଡିରେ ଭାଇର ବେକରେ ଭିଡ଼ି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ହେଲେ ସେହି ଘରେ ଶୋଇଥିବା ମୃତକଙ୍କ ୮ ବର୍ଷର ସନ୍ତାନ ଏ କଥା ଦେଖିଥିଲା ଓ ପରଦିନ ସକାଳେ ସମସ୍ତଙ୍କ ଆଗରେ ଏହା ପ୍ରକାଶ କରି ଦେଇଥିଲା। ଏ ନେଇ ଖୁଣ୍ଟା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦିଅର-ଭାଉଜଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଥିଲା। ସମସ୍ତ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର