ଦୁଇ ମାସରେ ଦୁଇ ଦଳ ବଦଳାଇଲେ ଦେବାଶିଷ: ବିଜେପି ଛାଡି କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ବର/ବରୀ: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରୁ ୪ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଦୁଇ ମାସରେ ଦୁଇଟି ଦଳ ବଦଳାଇ ଚର୍ଚ୍ଚାକୁ ଆସିଛନ୍ତି। ୨ମାସ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଆଜି କଂଗ୍ରେସରେ ମିଶିଛନ୍ତି। ଗଣମାଧ୍ୟମକୁ ଶ୍ରୀ ନାୟକ କହିଛନ୍ତି ଯେ ବିଜେଡି ଅପେକ୍ଷା ବିଜେପି ଗଡ଼ବଡ଼ିଆ ଦଳ। ବିଜେଡିରେ କୋଣଠେସା ହେବା ପରେ ବିଜେପି ନେତାଙ୍କ ଆମନ୍ତ୍ରଣରେ ଯେଉଁ ଆଶା ନେଇ ଯାଇଥିଲି ତାହା ହୋଇପାରିଲାନି। ଜିତିବା ଲୋକଙ୍କୁ ଏମାନେ ଆଡ଼େଇ ଦେଇ ହାରିବା ଲୋକଙ୍କୁ ଟିକେଟ ଦିଅନ୍ତି। ଏହି ଜାଗା ମୋ ପାଇଁ ଠିକ୍‌ ନୁହେଁ ବୋଲି ଅନୁଭବ କରି କଂଗ୍ରେସକୁ ବାଛିଲି। କଂଗ୍ରେସ ଦଳର ଟିକେଟ ମିଳିବ କି ନାହିଁ ତାହା ଦଳର ନେତୃମଣ୍ଡଳୀ ସ୍ଥିର କରିବେ। ବରୀବାସୀଙ୍କ ସେବା କରିବା ପାଇଁ ଏହି ଦଳକୁ ଆସିଛି ବୋଲି ସେ କହିଛନ୍ତି। ଦେବାଶିଷ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ବରୀରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ବିଜେପି ଉମେଶ ଜେନା(ଧୁନା)ଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ଦେବାଶିଷ ବରୀରୁ ସ୍ବାଧୀନ ଭାବେ ଲଢ଼ିବେ ବୋଲି କହିଥିଲେ। ସେ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ କିନ୍ତୁ ବରୀ ପାଇଁ ପୂର୍ବରୁ ଆରତୀ ଦେଓଙ୍କ ନାମ ଘୋଷଣା କରିସାରିଛି ଓ ସେ ପ୍ରଚାର ଜାରି ରଖିଛନ୍ତି। ୨୦୧୯ ନିର୍ବାଚନରେ ବିଜେଡି ଟିକେଟ କଟିବା ପରେ ଦେବାଶିଷ ସମ୍ପୂର୍ଣ୍ଣ ନିରବ ହୋଇ ଯାଇଥିଲେ।

ଯଦି ଦେବାଶିଷ କଂଗ୍ରେସରୁ ପ୍ରାର୍ଥୀ ହୁଅନ୍ତି ତେବେ ଏହା ବରୀ ରାଜନୀତିକୁ ଏକ ଭିନ୍ନ ମୋଡ଼ ଦେବ ବୋଲି ଆଲୋଚନା ହେଉଛି। ଏ ସଂପର୍କରେ ଶ୍ରୀ ନାୟକଙ୍କ ସହିତ ଯୋଗାଯୋଗ କରିବାରୁ କୁହନ୍ତି ଯେ ଗତକାଲି ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲି, କିନ୍ତୁ ବରୀର ସଂଖ୍ୟାଧିକ ସମର୍ଥକଙ୍କ ଦାବି ପାଇଁ ନିଷ୍ପତ୍ତି ବଦଳାଇବାକୁ ପଡ଼ିଲା। ଆଜି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି, ପିସିସି ମିଡିଆ ପ୍ରଭାରୀ ବବିତା ଶର୍ମା, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର, ଚିନ୍ମୟ ସୁନ୍ଦର ଦାସ, ସୁଧାଂଶୁ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର