ବିଜେପିର ସତ୍‌ସାହସ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ: ପାଣ୍ଡିଆନ

ଭୁବନେଶ୍ବର: ବିଜେଡି ନେତା ଭି.କେ ପାଣ୍ଡିଆନ ଆଜି ନିର୍ବାଚନୀ ପ୍ରଚାର ସମୟରେ ବିଜେପିକୁ ଇଙ୍ଗିତ କରି କହିଛନ୍ତି ଯେ ବିଜେପିର ଯଦି ସତ୍‌ସାହସ ଅଛି ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରନ୍ତୁ। ସେ ସିଧା ସିଧା କହିଛନ୍ତି ଯେ ଯଦି ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରନ୍ତି ତେବେ ବିଜେପି ୧୦% ସିଟ୍ ବି ପାଇବନି।

ଆଜି ନିର୍ବାଚନୀ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ନଥିଲେ ବି ତାଙ୍କୁ ସିଧାସଳଖ ଆହ୍ବାନ ଦେଇ କହିଛନ୍ତି ଯେ , ଆପଣ କହୁଛନ୍ତି ନା ୨୪ବର୍ଷରେ କ’ଣ କଲେ? ମୁଁ ବିକାଶର କେତେ ଭାଷା କହିଲେ ବି କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି। ପୁରୀ ମନ୍ଦିରର ରୂପାନ୍ତରୀକରଣ କଥା କହିଲେ ବୁଝିପାରୁନାହାନ୍ତି, ସ୍କୁଲର ରୂପାନ୍ତରୀକରଣ କଥା କହିଲେ ବୁଝିପାରୁନାହାନ୍ତି, ଲକ୍ଷ୍ମୀ ଯୋଜନା କହିଲେ ବୁଝିପାରୁନାହାନ୍ତିି।

ମୁଁ ତାଙ୍କୁ ରାଜନୈତିକ ଭାଷାରେ କହୁଛି, ୨୪ବର୍ଷ ହେଲା ଆପଣ ବିରୋଧୀ ଦଳରେ ଅଛନ୍ତି। ଆପଣ ବି ୧୦ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆପଣ ଆପଣଙ୍କ ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରୁନାହାନ୍ତି। ଏଇଟା ହେଉଛି ଅାପଣଙ୍କ ନିଜ ଦଳ ଆପଣଙ୍କ ଉପରେ ରଖିଥିବା ଆସ୍ଥା ଓ ବିଶ୍ବାସ। ଆପଣ ପ୍ରଥମେ ନିଜ ଦଳର ଆସ୍ଥା ଓ ବିଶ୍ବାସ ଜିତନ୍ତୁ। ତା’ପରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସାମ୍ନାରେ ଛିଡ଼ା ହୋଇ ପ୍ରଶ୍ନ ପଚାରିବାକୁ ଆପଣଙ୍କର ଯୋଗ୍ୟତା ଆସିବ। ମୁଁ ବହୁତ ବିନମ୍ରତାର ସହ କହିବି, ଆପଣଙ୍କ ପାର୍ଟିରେ ଆପଣଙ୍କ ସ୍ଥିତି କ’ଣ ଭାବନ୍ତୁ। ଯଦି ଆପଣଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ ମୁଁ ଆପଣଙ୍କୁ ଆହ୍ବାନ ଦେଉଛି ଯେ ବିଜେପି ୧୦% ସିଟ୍ ବି ପାଇବନି। ଆପଣଙ୍କର ଦମ୍‌ ଥିଲେ ଆପଣ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଘୋଷଣା କରନ୍ତୁ। ଏପଟେ ନବୀନ ବାବୁ ଏବଂ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀଙ୍କୁ ରଖନ୍ତୁ। ଓଡ଼ିଶାବାସୀ କାହାକୁ ଆଶୀର୍ବାଦ କରିବେ ଦେଖିବା।

ସମ୍ବନ୍ଧିତ ଖବର