ନଗଡ଼ାରେ ଦୁର୍ନୀତି ପାଇଁ ପାନୀୟ ଜଳ ପ୍ରକଳ୍ପ ଅଚଳ: କୋଟିଏ ଖର୍ଚ୍ଚ ପରେ ବି ଚୁଆପାଣି!

କାଳିଆପାଣି,  (ରବି ନାରାୟଣ କର) : ଅପପୁଷ୍ଟି ଜନିତ ଶିଶୁ ମଡ଼କ ପାଇଁ ଚର୍ଚ୍ଚାକୁ ଆସିଥିବା ନଗଡ଼ାର ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। ହେଲେ ଦୁର୍ନୀତି ପାଇଁ ଅଧିକାଂଶ ଯୋଜନା ବିଫଳ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ପାନୀୟ ଜଳ ପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ତଥାପି, ନଗଡ଼ା ଓ ଗୁହିଆଶାଳ ମୌଜାର ମାତ୍ର ୭୪ଟି ଜୁଆଙ୍ଗ ଜନଜାତି ପରିବାର ଚୁଆପାଣିରେ ତୃଷ୍ଣା ମେଣ୍ଟାଉଛନ୍ତି।

ସୂଚନା ଅନୁସାରେ, ଗୁହିଆଶାଳ ଗାଁ ଉପର ବସ୍ତିର ୨୪ଟି ପରିବାରକୁ ପିଇବା ପାଣି ପାଇଁ ୫ ବର୍ଷରେ ଦୁଇ ପର୍ଯ୍ୟାୟରେ ପାଖାପାଖି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର, ୨୦୧୬ ମସିହାରେ ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସାନିଟାରି ନଳକୂପ ପ୍ରତିଷ୍ଠା ହେବାର ମାସ କେଇଟା‌ରେ ଭୁଶୁଡ଼ି ପଡ଼ିଥିଲା। ଗୁହିଆଶାଳକୁ ପାନୀୟ ଜଳ ‌ଯୋଗାଣ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଲୋକାୟୁକ୍ତରେ ଅଭିଯୋଗ ଆଧାରରେ ତାଙ୍କ ଗସ୍ତ ପୂର୍ବରୁ ପୁଣିଥରେ ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠିରୁ ୧୨ ଲକ୍ଷ ୬୫ ହଜାର ୧୫୧ ଟଙ୍କା ଅନୁଦାନରେ ଏଠାରେ କୂପ ଖୋଳି ହାଣ୍ଡପମ୍ପ୍ ଦ୍ବାରା ପାନୀୟଜଳ ଯୋଗାଣ ପାଇଁ ଅନ୍ୟ ଏକ ପ୍ରକଳ୍ପ ପ୍ରତିଷ୍ଠା କରାଗଲା। ଗତ ସେପ୍ଟେମ୍ବର ମାସ ଲୋକାୟୁକ୍ତ ଦଳର ନଗଡ଼ା ଗସ୍ତ ପରେପରେ ଏହି ପ୍ରକଳ୍ପ ପୁଣି ଭୁଶୁଡ଼ି ପଡ଼ିଛି। ଏହା ଏବେ ସଂପୂର୍ଣ୍ଣ ଅବ୍ୟହୃତ। ଫଳରେ ଗାଁର ଦକ୍ଷିଣ-ପୂର୍ବ ଦିଗରେ ଥିବା ପାହାଡ଼ ଖୋଲରେ ଥିବା ଚୁଆରୁ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

ସେହିପରି ୫ ବର୍ଷ ତଳେ ନାଲିଆଡାବ, ଉପର ନଗଡ଼ା ଓ ତଳ ନଗଡ଼ାରେ ସାନିଟାରି ନଳକୂପ ନାଁରେ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କିଛିଦିନ ମଧ୍ୟରେ ଏସବୁ ପ୍ରକଳ୍ପ ଅକାମୀ ହୋଇଥିଲା। ଏଥିରୁ ଏକାଧିକ ଏବେ ମାଟିରେ ମିଶିଯାଇଛି। ଉପର ନଗଡ଼ା ପାଖ ବନ ବିଭାଗ ଫଳ ବଗିଚା ପାଖ କୂପରୁ ଉପର ନଗଡ଼ା ବସ୍ତିର ୧୪ଟି ପରିବାରକୁ ଏବଂ ନଗଡ଼ା ପ୍ରାଥମିକ ସ୍କୁଲ ପାଖ ଝରଣା ଉପ‌ରେ ନିର୍ମିତ କୂପରୁ ମଝି ନଗଡ଼ା ଓ ତଳ ନଗଡ଼ାର ୪୬ଟି ପରିବାରକୁ ମାଧ୍ୟାକର୍ଷଣ ଶକ୍ତି ସହାୟତାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଉଭୟ ପ୍ରକଳ୍ପ ଆଶାନୁରୂପ ଭାବେ ଲୋକଙ୍କ କାମରେ ଲାଗି ପାରିନଥିବା ଅଭିଯୋଗ ହୋଇଛି। ଉଭୟ ସ୍ଥାନର ୨ଟିଯାକ ଜଳଉତ୍ସ କୂପର ଭିତରେ ଓ ବାହାରେ ଶିଉଳି ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟରେ ପ୍ରତିଷ୍ଠିତ ପ୍ରକଳ୍ପ ଦ୍ବୟ ନିୟମିତ ବ୍ୟବଧାନରେ ପରିଷ୍କାର ଓ ବିଶୁଦ୍ଧୀକରଣ କରାଯିବା ବିଧି ରହିଥିଲେ ମଧ୍ୟ ପରିମଳ ବ୍ୟବସ୍ଥା ପ୍ରତି ଆଦୌ ଧ୍ୟାନ ଦିଆଯାଉନି। ଫଳରେ, ଏଠାକାର ଲୋକମାନଙ୍କୁ ଚୁଆପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର