ମାଟ୍ରିକ୍‌ ପର ଡ୍ରପ୍‌ଆଉଟ୍‌ ରୋକିବାକୁ ପ୍ରୟାସ: ସରକାରଙ୍କ ନଜରରେ ରହିବେ ପିଲା

ଭୁବନେଶ୍ବର : ଦେଶର ଡ୍ରପ୍‌-ଆଉଟ୍‌ ତୁଳନାରେ ଓଡ଼ିଶା ଆଗରେ। ହାଇସ୍କୁଲ ଶିକ୍ଷା ତଥା ମାଟ୍ରିକ୍‌ ପରେ ରାଜ୍ୟର ୨୪ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ୁଥିବା ନେଇ ୨୦୧୯-୨୦ ଶିକ୍ଷାବର୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଏହାପରେ ୨୦୨୦-୨୧ରେ ରାଜ୍ୟ ସରକାର କିଛିଟା ତତ୍ପରତା ପ୍ରକାଶ କରିବା ସହ ଶୂନ୍ୟ ଡ୍ରପ୍‌ଆଉଟ୍‌ କରିବା ଦିଗରେ ପଦକ୍ଷେପ ନେଇଥିଲେ ମଧ୍ୟ ସେତେଟା ସଫଳତା ମିଳିପାରି ନ ଥିଲା। ୨୦୨୧-୨୨ ଶିକ୍ଷାବର୍ଷର ‘ୟୁଡାଇଜ୍‌+’ ତଥ୍ୟରେ ମା ଧ୍ୟମିକ ସ୍ତରରେ ଜାତୀୟସ୍ତରରେ ଡ୍ରପ୍‌ଆଉଟ୍‌ ହାର ୧୨.୭% ଥିବା ବେଳେ ଓଡ଼ିଶାରେ ୨୭.୩% ରହିଥିଲା। ଲଗାତାର ୩ବର୍ଷ ଧରି ହାଇସ୍କୁଲ ପରେ ଡ୍ରପ୍‌ ଆଉଟ୍‌ ହାର ଅଧିକ ରହିବା ପରେ ଏବେ ରାଜ୍ୟ ସରକାର ଡ୍ରପ୍ ଆଉଟ୍ କମାଇବା ପାଇଁ ନୂଆ ସୂତ୍ର ଆପଣାଇଛନ୍ତି। ହାଇସ୍କୁଲ ସ୍ତରରୁ ହିଁ ପିଲାଙ୍କୁ ଟ୍ରାକ୍‌ କରାଯିବ। ମାଟ୍ରିକ୍‌ ପାସ୍‌ କରିଥିବା ପିଲାଙ୍କ ତଥ୍ୟ ସଂଗ୍ରହ ସହ ସେମାନେ କିଭଳି ଭବିଷ୍ୟତ ଗଢ଼ିପାରିବେ, ସେ ଦିଗରେ ପରାମର୍ଶ ଦିଆଯିବ।

ଏସ୍‌ଏମ୍‌ଏସ୍‌ରେ ନାମଲେଖା ସମ୍ପର୍କରେ ସୂଚନା ଦେବେ
ଧନ୍ଦାମୂଳକ ପାଠ୍ୟକ୍ରମ ଆପଣାଇବାକୁ ଦିଆଯିବ ପରାମର୍ଶ
ବିଏସ୍‌ଇରୁ ତଥ୍ୟ ସଂଗ୍ରହ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ଦଶମ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରାଯାଇଛି। କୃତୀ ଛାତ୍ରଛାତ୍ରୀଙ୍କ ଠିକଣା ସମେତ ସେମା‌ନଙ୍କ ଅଭିଭାବକଙ୍କ ତଥ୍ୟ ମଗାଯାଇଛି। ପରୀକ୍ଷାର୍ଥୀ କେଉଁ ଶ୍ରେଣୀରେ ପାସ୍‌ କରିଛନ୍ତି? ସେମାନଙ୍କ ଯୋଗାଯୋଗ ନମ୍ବର ଅଣାଯାଇଛି। ସାମ୍‌ସ ପୋର୍ଟାଲରେ ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ପିଲା ତଥା ଅଭିଭାବକଙ୍କ ମୋବାଇଲ୍‌ ନମ୍ବରକୁ ଏସ୍‌ଏମ୍‌ଏସ୍‌ ପଠାଯାଇ ନାମଲେଖା ସମ୍ପର୍କରେ ସୂଚନା ଦିଆଯିବ। ନିକଟବର୍ତ୍ତୀ ଯୁକ୍ତ୨ କଲେଜରେ ଥିବା ପାଠ୍ୟକ୍ରମ ସମ୍ପର୍କରେ ମଧ୍ୟ ଜଣାଯିବ। ଯେଉଁ ଛାତ୍ରଛାତ୍ରୀ ଶୀଘ୍ର ନିଯୁକ୍ତି ପାଇବାକୁ ଚାହୁଁଛନ୍ତି, ସେମାନଙ୍କ ଲାଗି ଥିବା ଧନ୍ଦାମୂଳକ ପାଠ୍ୟକ୍ରମ ସମ୍ପର୍କରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅବଗତ କରାଯିବ। କେବଳ ସେତିକି ନୁହେଁ, ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା କ୍ଷଣି ପିଲାଙ୍କ ତଥ୍ୟ ସଂଗ୍ରହ ହେବ। ଯେଉଁ ଅଞ୍ଚଳର ପିଲା ନାମ ଲେଖାଇ ନାହାନ୍ତି, ତାହ‌ା ଜାଣିବା ପରେ ତୃଣମୂଳସ୍ତରର ଶିକ୍ଷା ଅଧିକାରୀମାନଙ୍କୁ ଟ୍ରାକ୍‌ କରିବାକୁ କୁହାଯିବ। ଆବଶ୍ୟକ ହେଲେ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କ ସହାୟତା ନିଆଯିବ।

Sambad

ଉଚ୍ଚ ମାଧ୍ୟମିକ ଶିକ୍ଷା‌ ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି ଯେ ପିଲାଙ୍କ ଉଚ୍ଚଶିକ୍ଷା ଯେପରି ପ୍ରଭାବିତ ନ ହୁଏ, ସେ ଦିଗରେ ଆମେ ପଦକ୍ଷେପ ନେଉଛୁ। ରାଜ୍ୟର ବିଭିନ୍ନ ଅଞ୍ଚଳର ଆବଶ୍ୟକତାକୁ ନଜରରେ ରଖି ୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି। ପାଖାପାଖି ୧୩ ହଜାର ସିଟ୍‌ ବଢ଼ାଯାଇଛି। ପିଲାମାନେ କିଭଳି ଶୀଘ୍ର ନିଯୁକ୍ତି ସୁଯୋଗ ପାଇପାରିବେ, ସେଥିପାଇଁ ଧନ୍ଦାମୂଳକ ପାଠ୍ୟକ୍ରମରେ ସଂସ୍କାର ଅଣାଯାଇଛି। ନୂଆ ନୂଆ ବିଷୟ ଖୋଲିବା ସହ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ତାଲିମ ଦିଆଯାଇଛି। ସାମ୍‌ସ ପୋର୍ଟାଲରେ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ବିଷୟରେ ଅବଗତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ସୂଚନା ଅନୁଯାୟୀ, ଓଡ଼ିଶାର ମାଧ୍ୟମିକ ସ୍ତରରେ ପିଲାଙ୍କ ଡ୍ରପ୍‌ଆଉଟ୍‌ ସମ୍ପର୍କରେ ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ (ୟୁଡାଇଜ୍‌+)ରେ ପ୍ରକାଶିତ ତଥ୍ୟର ବିଶ୍ୱସନୀୟତା ନ ଥିବା ଗତ ମାର୍ଚ୍ଚ ମାସରେ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିବା ପରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ରିପୋର୍ଟ ପ୍ରସ୍ତୁତି ପ୍ରଣାଳୀରେ କୌଣସି ତ୍ରୁଟି ନାହିଁ। ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ହିଁ ରିପୋର୍ଟ ପ୍ରକାଶ କରାଯାଉଛି। ସବୁ ରାଜ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ତଥ୍ୟ ସଂକଳନ ପ୍ରସ୍ତୁତ କରିଥା’ନ୍ତି। ଏହା ବ୍ଲକ/କ୍ଲଷ୍ଟରସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବା ପରେ ରାଜ୍ୟସ୍ତରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ଏସପିଡି)ଙ୍କ ଦ୍ୱାରା ତଥ୍ୟକୁ ଚୂଡ଼ାନ୍ତ କରାଯାଇଥାଏ। ସମ୍ପୃକ୍ତ ରାଜ୍ୟ ଦ୍ୱାରା ହିଁ ନିଜ ଆଡ଼ୁ ୟୁଡାଇଜ୍‌+ ପୋର୍ଟାଲରେ ତଥ୍ୟ ପ୍ରଦାନ କରାଯାଏ ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା।

ସମ୍ବନ୍ଧିତ ଖବର