ନିର୍ବାଚନ କଟକଣା କୋହଳ ହେବ!

ଭୁବନେଶ୍ୱର : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଭାରତର ନିର୍ବାଚନ କମିସନର କିଛି ମାତ୍ରାରେ କଟକଣା କୋହଳ କରିଛନ୍ତି। ହଜାରେ ଲୋକଙ୍କୁ ନେଇ ରାଲି, ୫୦୦ ଲୋକଙ୍କୁ ନେଇ ସଭାଗୃହରେ ବୈଠକ, ଘରକୁ ଘର ପ୍ରଚାରରେ ୨୦ ଜଣ ସାମିଲ୍ ହୋଇପାରିବେ ବୋଲି ଅନୁମତି ଦିଆଯିବା ପରେ ଓଡ଼ିଶାରେ ବି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ କରିବାକୁ ବିଭିନ୍ନ ରାଜନୈତିକ ଦଳ, ପ୍ରାର୍ଥୀ ଦାବି କରିଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଅନୁଯାୟୀ,ଏବେ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରାର୍ଥୀ/ ଦଳ କୌଣସି ପ୍ରକାରର ରାଲି, ସମାବେଶ କରିପାରିବେନି। କେବଳ ଘରକୁ ଘର ପ୍ରଚାରବେଳେ ୫ଜଣ ଯାଇପାରିବେ। ଯାହା ପ୍ରଚାର ହେବ ଡିଜିଟାଲ୍ ମୋଡରେ। କିନ୍ତୁ ନିର୍ବାଚନ କମିସନଙ୍କ ଏହି ଗାଇଡଲାଇନ୍‌କୁ ଅଧିକାଂଶ ପ୍ରାର୍ଥୀ ମାନୁନାହାନ୍ତି। ପ୍ରାର୍ଥୀଙ୍କ ଯୁକ୍ତି ଯେ ଗାଁରେ ଲୋକ ମୁହଁ ନଦେଖିଲେ ଭୋଟ୍ ଦେବେନି। ଲୋକଙ୍କୁ ଭେଟି ତାଙ୍କ ସୁଖଦୁଃଖର ସାଥୀ ହେବୁ ବୋଲି ପ୍ରତିଶ୍ରୁତି ଦେବାକୁ ପଡ଼ୁଛି। ଏହାବାଦ୍ ସବୁ ଘରକୁ ଘର ବୁଲିବା ସମ୍ଭବ ନଥିବାରୁ ସମାବେଶ କରିବା ଦରକାର ପଡ଼ୁଛି। ଲୋକଙ୍କ ଘରକୁ ଭୋଟ୍‌ ମାଗିବାକୁ ଗଲାବେଳେ ପଛରେ ଯଦି ଅଧିକ ସହଯୋଗୀ ରହୁନାହାନ୍ତି ତେବେ ଲୋକ ଭାବୁଛନ୍ତି ଆମ ସ୍ଥିତି ଭଲ ନାହିଁ। ଫୋନ୍‌ କରି ଭୋଟ୍ ଦେବାକୁ କହିଲେ ଲୋକ କହୁଛନ୍ତି ଯିଏ ନିର୍ବାଚନ ଲଢିବାବେଳେ ପାଖକୁ ଆସୁନି ସେ ଜିତିଲେ କ’ଣ ପାଖକୁ ଆସିବ? ତେଣୁ କୋଭିଡ ଗାଇଡଲାଇନ୍‌କୁ ମାନି ଛୋଟ ଧରଣର ସମାବେଶ କରୁଛୁ। ନିର୍ବାଚନ କମିସନ ସଭା, ସମାବେଶ ପାଇଁ ଅନୁମତି ଦିଅନ୍ତୁ।

ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖିଛୁ। ‌ଏବେ ସଂକ୍ରମଣ କମୁଥିବାରୁ ଆମେ ଖୁବ୍‌ ଶୀଘ୍ର ରାଲି, ସମାବେଶ ନେଇ ଗାଇଡଲାଇନ୍ ଜାରି କରିବୁ।

ଅପରପକ୍ଷେ ରାଜନୈତିକ ଦଳଗୁଡ଼ିକ ବି ଏବେ ସୁଦ୍ଧା କିପରି ଡିଜିଟାଲ ମୋଡରେ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିବେ ଜାଣିପାରୁନାହାନ୍ତି। ଏକ ଦଳର ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଆମେ ଫିଜିକାଲ୍ ପ୍ରଚାରକୁ ଗୁରୁତ୍ବ ଦେଉଛୁ। ଆମ ନେତାମାନେ ଗାଁକୁ ଗାଁ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ମୋବାଇଲ୍‌ରେ ମେସେଜ୍ ପଠାଇଲେ କି ସୋସିଆଲ ମିଡିଆରେ ପ୍ରଚାର କଲେ ଗ୍ରାମାଞ୍ଚଳରେ ଅଧାରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରୁନୁ। ତେଣୁ ଆମେ ପ୍ରଚାର ରଣନୀତି ବଦଳାଇଛୁ।

ସମ୍ବନ୍ଧିତ ଖବର