‘ସମ୍ବାଦ’ ନୂଆ କାର୍ଯ୍ୟାଳୟରୁ ଚୋରି ଘଟଣା: ୪୮ଘଣ୍ଟା ପରେ ବି ପୁଲିସ ହାତରେ ଲାଗିନି ସୁରାକ୍

ଜୟପୁର: ଗତ ୨୧ତାରିଖ ଦିନ ରାତିରେ ପାରାବେଡ଼ା ସନ୍ତୋଷୀ ମା’ ନଗର ଦ୍ବିତୀୟ ଲାଇନରେ ଖୋଲିବାକୁ ଥିବା ‘ସମ୍ବାଦ’ ଜୟପୁର ସଂସ୍କରଣ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। ୨୨ତାରିଖ ଦିନ ଏନଇେ ଜୟପୁର ଟାଉନଥାନାରେ ଅଭିଯୋଗ କରାଯାଇଥିଲା। ଟାଉନଥାନା  ପୁଲିସ ଆସି ଘଟଣାର ତଦନ୍ତ ଓ ଛାନଭିନ୍ନ ବି କରିଥିଲେ। ଘଟଣାର ୪୮ଘଣ୍ଟା ପରେ ବି ଏ ପର୍ଯ୍ୟନ୍ତ ପୁଲିସ ହାତରେ କିଛି ସୁରାକ  ମିଳିନି।

ସୂଚନାଯୋଗ୍ୟ, ନୂଆ କାର୍ଯ୍ୟାଳୟର ମରାମତି କାମ ଚାଳିଥିବାରୁ କିଛି ଦିନ ହେବ ଏହି କୋଠାରେ ତାଲା ପକାଯାଇଥିଲା। ଏହାର ସୁଯୋଗ ନେଇ ତାଲା କାଟି ଦୁର୍ବତ୍ତ କୋଠା ଭିତରକୁ ପଶି ବିଦ୍ୟୁତ ତାର ସହ ବାଥରୁମ ଗୁଡିକର ମୂଲ୍ୟବାନ ସାମଗ୍ରୀ ଗୁଡିକୁ ଲୁଟି ନେଇଥିଲେ। ଷ୍ଟୋରର ତାଲା ଭାଙ୍ଗି ସେଠାରୁ ଫିନୋଲେକ୍ସ କଂପାନିର ବିଦ୍ୟୁତ ତାର ୫ଫ୍ୟାକେଟ୍, ସର୍ଭିସ କେବୁଲ ୧୦ଏମଏମର ୬୦ମିଟର, ୨.୫ଏମଏମର ୮୦ମିଟର, ଅନ୍ୟ କିଛି ବୈଦ୍ୟୁତିକ ସରଂଜାମ ସହ ୨ଟି ବାଥରୁମରେ ଲାଗିଥିବା ୬ଟି ଟ୍ୟାବ, ଷ୍ଟିଲ ପାଇପ୍ , ବେସିନ୍ ପାଇପ ଆଦି ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା।

ଏନେଇ ଏସପି ଅଭିନବ ସୋନକରଙ୍କୁ ପଚାରିବାରେ ସେ କହିଲେ ଜୟପୁର ଏସଡିପିଓ ଓ ଟାଉନଥାନା ଆଇଆଇସିଙ୍କୁ ସେ ତୁରନ୍ତ ଘଟଣାର ତଦନ୍ତ କରି ଦୁର୍ବତ୍ତଙ୍କୁ ଧରିବା ସହ ଚୋରି ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାକୁ ନିର୍ଦେଶ ଦେଇଥିବା କହିଛନ୍ତି। ପୁଲିସର ତଦନ୍ତ ଜାରି ରହିଛି। କେଉଁ ମାନେ ଏଭଳି କାଣ୍ଡ କରିଛନ୍ତି ପୁଲିସ ତାହାର ଯାଂଚ କରୁଛି। ସହରର କିଛି ସରକାରୀ ବିଦ୍ୟାଳୟ, ଷ୍ଟାଡିୟମ ପଡ଼ିଆ, ସ୍କୁଲ ଓ କଲେଜ ପଡିଆ ମଧ୍ୟକୁ ଅସାମାଜିକ ବିଭିନ୍ନ ବୟସ ବର୍ଗର ଯୁବକମାନେ ଏକଜୁଟ ହୋଇ ଏଭଳି କାଣ୍ଡ ଭିଆଉଛନ୍ତି ବୋଲି ଆଇନଜୀବୀ ଓ ବୁଦ୍ଦିଜୀବୀମାନେ କହିଛନ୍ତି। ସହରରେ ଚାବି ପଡ଼ିବା ମାତ୍ରକେ ଚୋରି ହେବା ଘଟଣା ସାଧାରଣ ପାଲଟି ଯାଇଛି, ତେଣୁ ପୁଲିସ ପ୍ରଶାସନକୁ ଅଧିକା ସତର୍କ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏପରିକି ପୁଲିସର ବାଇକ ପାଟ୍ରୋଲିଂ ଦିଶୁ ନଥିବା ବେଳେ ଏତେ ବଡ ସହରରେ ଥିବା ୧୨ଟି ବିଟରୁ ୩ଟି ବିଟ୍ ଠିକରେ କାର୍ଯ୍ୟକାରୀ ହେଉଛି। କମ୍ ସଂଖ୍ୟକ ଗାଡ଼ି ଥାନାରେ ଥିବାରୁ ପୁରା ସହରର ୩୦କିଲୋମିଟର ପରିଧିକୁ ମାତ୍ର ୨ଟି ଗାଡିରେ ପାଟ୍ରୋଲିଂ ଓ ଟେଙ୍ଗାଧାରୀ ହୋମଗାର୍ଡମାନେ କିଭଳି ସୁରକ୍ଷା ଦେଉଥିବେ ତାହା ସହଜେ ଅନୁମେୟ। ଆବଶ୍ୟକ ସଂଖ୍ୟକ ପୁଲିସ ଅଧିକାରୀ, କନେଷ୍ଟବଲ ନିଯୁକ୍ତି ଦେବାକୁ ଦାବି ହୋଇଛି। ପୁଲିସ ପ୍ରଶାସନ ଆସନ୍ତା ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟସ୍ତରେ ଥିବା ବେଳେ ଆଇନଶୃଙ୍ଖଳାକୁ ବି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର