ରାଜ୍ୟରେ ନାହାନ୍ତି ବିଦ୍ୟୁତ୍‌ ଯନ୍ତ୍ରୀ : ସିଭିଲ ଯନ୍ତ୍ରୀଙ୍କ ହାତରେ ରକ୍ଷଣାବେକ୍ଷଣ ଦାୟିତ୍ବ

ଜିଇଡି, ପୂର୍ତ୍ତ ମିଶ୍ରଣ ପରେ ଅଚଳାବସ୍ଥା, ହାଇକୋର୍ଟରେ ମାମଲା

କଟକ : ପୂର୍ତ୍ତ ବିଭାଗ ସିଭିଲ୍‌ ଯନ୍ତ୍ରୀ ତୁଲାଉଛନ୍ତି ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଦାୟିତ୍ବ। ଅଭିଜ୍ଞତା ନ ଥାଇ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ସରକାରଙ୍କ ଅଧିନରେ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କୋଠାବାଡିର ବିଦ୍ୟୁତ ବିଭାଗ ଦାୟିତ୍ବ ନିର୍ବାହ କରୁଛନ୍ତି। କେତେକସ୍ଥଳରେ ଠିକାଦାରଙ୍କ ଦ୍ବାରା ବିଦ୍ୟୁତ ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଯାଉଛି। ଫଳରେ କାର୍ଯ୍ୟ ସୁଚାରୂ‌ରୂପେ ସମ୍ପାଦିତ ହୋଇପାରୁନଥିବା ଅଭିଯୋଗ ହୋଇଛି। ଜିଇଡି ଏବଂ ପୂର୍ତ୍ତ ବିଭାଗର ମିଶ୍ରଣ ପରେ ଗତ ଦୁଇ ବର୍ଷ ହେବ ରାଜ୍ୟରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଭିନ୍ନ ସରକାରୀ କୋଠାବାଡିର ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ପାଇଁ ୧୯୪୨ ମସିହାରେ ଗଠିତ ହୋଇଥିଲା ‘ଜିଇଡି’ ବା ‘ଜେନେରାଲ ଇଲେକଟ୍ରିକ ଡିପାର୍ଟମେଣ୍ଟ’। ଜିଇଡିକୁ ଚାରଟି ଜୋନରେ (କଟକ,ଭୁବନେଶ୍ବର,ସମ୍ବଲପୁର,ସୁନାବେଢା) ବିଭକ୍ତ କରାଯାଇଥିଲା। ରାଜ୍ୟରେ ଥିବା ବଡ ବଡ ସରକାରୀ ବିଲଡିଂ ଯଥା ସଚିବାଳୟ, ହାଇକୋର୍ଟ, କଟକ, ବ୍ରହ୍ମପୁର, ସମ୍ବଲପୁର ବଡ ଡାକ୍ତରଖାନା, ଶିଶୁଭବନ ଆଦିରେ ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଦାୟିତ୍ବ ଏହି ଜିଇଡି ହାତରେ ନ୍ୟସ୍ତ। ଚାରିଟି ଜୋନରେ ଚାରି ଜଣ ନିର୍ବାହୀ ଯନ୍ତ୍ରୀ ପଦବି ରହିଥିବା ବେଳେ ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ୭ଶହରୁ ଅଧିକ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା। ତେବେ ଗତ ୨୦୧୬ରେ ଜିଇଡି ଏବଂ ରାସ୍ତା ଓ ପୂର୍ତ୍ତ ବିଭାଗର ମିଶ୍ରଣ ପରେ ବିଦ୍ୟୁତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଗତ ୨୦୧୬ ନଭେମ୍ବରର ବିଜ୍ଞପ୍ତି ଅନୁଯାୟୀ, ରାସ୍ତା ଏବଂ ବିଲଡିଂ ବିଭାଗରେ ଜିଇଡି ବିଭାଗର ଆନୁଷ୍ଠାନିକ ମିଶ୍ରଣ ହୋଇଥିଲା। ମିଶ୍ରଣ ପରେ ରାସ୍ତା ଏବଂ ବିଲଡିଂ ବିଭାଗରେ ମୁଖ୍ୟ ଭାବେ ଅବସ୍ଥାପିତ ଅଧୀକ୍ଷଣ ଯନ୍ତ୍ରୀ ବିଦ୍ୟୁତ ବିଭାଗର ମଧ୍ୟ ମୁଖ୍ୟ ହୋଇଥିଲେ। ସେହିପରି ଅନ୍ୟାନ୍ୟ ଡିଭିଜନରେ ମଧ୍ୟ ସିଭିଲ ଯନ୍ତ୍ରୀମାନେ ବିଦ୍ୟୁତ ବିଭାଗର ଦାୟିତ୍ବ ନେଇଥିଲେ। ପୂର୍ବରୁ ଚାରଟି ଜୋନ ଥିବା ବେଳେ ଜିଇଡି ପୂର୍ତ୍ତ ବିଭାଗର ୫୪ଟି ଜୋନ ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା। ତେବେ ମିଶ୍ରଣ ପରେ ଜିଇଡିରେ ଥିବା ବହୁ ପଦବି ଉଚ୍ଛେଦ ହୋଇଛି। ଚାରଟି ଜୋନରେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ପଦବି ଏବେ ଖାଲି ପଡିଥିବା ଅଭିଯୋଗ ହୋଇଛି। ସେହିପରି ସରକାରୀ ମଞ୍ଜୁରୀପ୍ରାପ୍ତ ୭୫୦ ପଦବି ମଧ୍ୟରୁ ପାଞ୍ଚଶହ ପଦବି ଗଲା ୨୦ ବର୍ଷ ହେବ ଖାଲି ପଡିଛି। ଅନୁରୂପ ଭାବେ ୧୬୬ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଏଯାବତ ସ୍ଥାୟୀ କରାଯାଉ ନାହିଁ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ଚଳିତ ମାସରେ ବିଦ୍ୟୁତ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଅବସର ଗ୍ରହଣ କରିବେ। ତେଣୁ ସେ ଅବସର ନେବା ପରେ ଏହି ପଦ ଖାଲି ପଡିବ। କମିଟିର ମୋଟ ୬ସଦସ୍ୟ ମଧ୍ୟରୁ ୫ଟି ପଦବି ଖାଲିପଡିଛି। ଫଳରେ ବିଭାଗରେ ପଦୋନ୍ନତି ପାଇଁ ଡିପିସି ବା ଡିପାର୍ଟମେଣ୍ଟାଲ ପ୍ରମୋସନ କମିଟି ବୈଠକ ବସିପାରୁ ନ ଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଦୁଇ ବିଭାଗର ମିଶ୍ରଣ ପରେ ଜିଇଡି କର୍ମଚାରୀଙ୍କୁ କାମରେ ଲଗା ନ ଯାଇ ଠିକାଦାରଙ୍କ ଦ୍ବାରା ମରାମତି କାର୍ଯ୍ୟ କରାଯାଉଛି। ଦୁଇବର୍ଷ ତଳେ ଜିଇଡିରେ ବର୍ଷକୁ ୮୦/୯୦ କୋଟି ଟଙ୍କାର କାମ ହେଉଥିବା ବେଳେ ଏବେ ତାହା ଦୁଇଶହ କୋଟିରେ ପହଞ୍ଚିଥିବା କୁହାଯାଉଛି। ତେବେ ବିଭାଗରେ ଏହି ଅଚଳାବସ୍ଥାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଓଡିଶା ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ଶକ୍ତି ସଚିବ, ଚିଫ ଇଂଜିନିୟର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର