୧୦ ଘଣ୍ଟା ଶବ ସହ ଖେଳିଲା ମାଈହାତୀ, ହାତୀ ଗୋଡ଼ାଇବାରୁ ୫ ଆହତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଛାମୁଣ୍ଡା ଓ ଲୋକନାଥପୁର ମଧ୍ୟ ଭାଗରେ ଥିବା ବାଉଁଶଯୋରୀ ନାଳ ଖୋଲମୁଣ୍ଡା ନିକଟରେ ଆଜି ଏକ ମାଈହାତୀର ତାଣ୍ଡବ ଦେଖିବାକୁ ମିଳିଛି। ହାତୀଟି କୌଣସି ଏକ ପ୍ରାଣୀର ଶବକୁ ଶୁଣ୍ଢରେ ଟେକି କଚାଡ଼ିବା ସହ ତାକୁ ଗୋଡ଼ରେ ଗୋଇଠା ମାରୁଥିଲା। କିଏ ଏହା ମଣିଷର ତ ଆଉ କିଏ ଏହା କୌଣସି ବନ୍ୟଜନ୍ତୁର ମୃତଦେହ ବୋଲି କହୁଥିଲେ। ପାଖକୁ ଗଲେ ହାତୀଟି ଗୋଡ଼ାଉଥିବାରୁ କେହି ସେଠାକୁ ଯାଇନଥିଲେ। ଦୀର୍ଘ ୧୦ ଘଣ୍ଟା ଧରି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୃତଦେହଟି ଖଣ୍ଡଖଣ୍ଡ ହୋଇଯାଇଥିବାରୁ ଏହା ମଣିଷ କି କୌଣସି ପଶୁର ତାହା ଜଣାପଡ଼ୁ ନାହିଁ।

ଆଜି ସକାଳ ୭ଟା ସମୟରେ ଏକ ମାଈହାତୀ ଶବକୁ ଶୁଣ୍ଢରେ କଚାଡ଼ିବା ସହ ଗୋଇଠା ମାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶବଟି କାହାର ତାହା ଜାଣିବା ପାଇଁ ସ୍ଥାନୀୟ ଲୋକେ ପାଖକୁ ଯିବାରୁ ହାତୀଟି ଗୋଡ଼ାଇଥିଲା। ଲୋକେ ଡରରେ ତା’ର ପାଖ ମାଡ଼ିନଥିଲେ। ହାତୀର ଏପରି କାରନାମା ଦେଖିବାକୁ ସେଠାରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ। କେନ୍ଦୁଝରରୁ ଥର୍ମାଲ ଡ୍ରୋନ୍‌ ମଗାଯାଇ ହାତୀକୁ ଠାବ କରାଯାଇଥିଲା। କିନ୍ତୁ ମୃତଦେହଟି କାହାର ତାହା ଜଣାପଡ଼ିନଥିଲା।

ଅପରାହ୍‌ଣରେ କିଛି ଲୋକ ହାତୀକୁ ପଥର ମାରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହାତୀଟି ଭୀଷଣ ରାଗିଯାଇ ଲୋକଙ୍କୁ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇଥିଲା। ଜୀବନ ବିକଳରେ ଲୋକେ ଦୌଡ଼ିବାରୁ ପଡ଼ିଯାଇ ୫ରୁ ୭ଜଣ ଖଣ୍ଡିଆଖାବରା ହୋଇଛନ୍ତି। ସନ୍ଧ୍ୟାରେ ଦୁଇଟି ଦନ୍ତା ଉକ୍ତ ମାଈହାତୀ ନିକଟରେ ପହଞ୍ଚିଥିଲେ। ଏହାପରେ ମାଈହାତୀଟି ସେମାନଙ୍କ ସହ ସେଠାରୁ ଅନ୍ୟତ୍ର ଚାଲିଯିବାରୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହଟି ଖଣ୍ଡଖଣ୍ଡ ହୋଇଯାଇଥିବା ବେଳେ ମାଂସ ପିଣ୍ଡୁଳା ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ରେଞ୍ଜର ଶିବାଜୀମୋହନ ରାଓଙ୍କୁ ପଚାରିବାରୁ ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରାଯାଇଛି। ଏହା କେଉଁ ପ୍ରାଣୀର ବୋଲି ଚିହ୍ନଟ କରିବା ସମ୍ଭବ ହେଉନାହିଁ। ଫରେନସିକ୍ ଲ୍ୟାବକୁ ଏହାର ନମୁନା ପରୀକ୍ଷା ପାଇଁ ପଠାଯିବା ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ୩୭ ଟିକିଆ ଦଳରୁ ଏହି ମାଈହାତୀଟି ଅଲଗା ହୋଇଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର