ହାତୀ ଉପଦ୍ରବ, ଧାନଫସଲ ନଷ୍ଟ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଚଳିତ ଖରିଫ ଋତୁ ଆରମ୍ଭରୁ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହେଉଛି। ଗତକାଲି ରାତିରେ ବିମଳା ପଞ୍ଚାୟତ କୁଡ଼ବିଲ ଗ୍ରାମର ଦୀନବନ୍ଧୁ ମହାନ୍ତଙ୍କ ଚାଷଜମିରେ ୧୨ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

୨ ଏକର ଧାନ ଫସଲ ଉଜାଡ଼ି ଦେଇଛନ୍ତି। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନରେ ୧୮ଟି ହାତୀ ଅଛନ୍ତି। ଏଥିରେ ୪ଟି ଦନ୍ତା, ୫ଟି ଛୁଆ ଓ ୯ଟି ମାଈହାତୀ ଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସନ୍ଧ୍ୟା ହେଲେ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଘରଦ୍ବାର ଭାଙ୍ଗିବା ସହ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। କ୍ଷତିଗ୍ରସ୍ତ ଲୋକେ ସରକାରୀ ସହାୟତା ପାଇଁ ଆବେଦନ କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର