୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ

ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ଅର୍ଥ‌ନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଦୁଇ ଅଭିଯୁକ୍ତ ହେଲେ ବାସ୍ତବ ଇଣ୍ଡିଆର ସଭାପତି ତନଭିର ନାଜରୀ ଓ ସଂପାଦକ ମହମ୍ମଦ ଅବୁଲ ହସନେନ୍। ଆଜି ଉଭୟଙ୍କୁ କଟକର ଓପିଆଇଡି କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ, ସୋଲାର୍ ସଚେତନତା ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଦେବା ଉଦ୍ଦେଶ୍ୟରେ ‘ବାସ୍ତବ ଇଣ୍ଡିଆ’ ‘ଛୁଲୋ ଆସମାନ’ ନାଆଁରେ ଏକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କଠାରୁ ୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ‌ତନଭିର ନାଜରୀ ଓ  ମହମ୍ମଦ ଅବୁଲ ହସନେନ୍ ରାଜଧାନୀର ବମିଖାଲରେ ‘ବାସ୍ତବ ଇଣ୍ଡିଆ’ର ଶାଖା ଅଫିସ ଖୋଲିଥିଲେ । ଏହାପରେ ଉଭୟେ  କଂପାନିକୁ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ଘଟଣା ସଂପର୍କରେ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଏହାର ତଦନ୍ତ ହୋଇଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ  ଝାରଖଣ୍ଡର ରାଞ୍ଚିରୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର