ପଞ୍ଜୀକରଣରେ ତ୍ରୁଟି, ଧାନ ବିକ୍ରିରୁ ବଞ୍ଚିତ ହେବେ ବହୁ ଚାଷୀ

ଯାଜପୁରସଦର : ଧାନ ବିକ୍ରିପାଇଁ ସରିଲା ପଞ୍ଜୀକରଣ। ହେଲେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଶହଶହ ଚା‌ଷୀ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍‌ ପଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖରେ ଶେଷ ହେବାକଥା। ହେଲେ ଲଘୁଚାପ ବର୍ଷା ଓ ବନ୍ୟା ପାଇଁ ସରକାର ୨୨ ତାରିଖ ପର୍ଯ୍ୟନ୍ତ ଫର୍ମ ଗ୍ରହଣ ଓ ୨୮ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟରୀକରଣ ପାଇଁ ସମୟ ବଢ଼ାଇଥିଲେ। ହେଲେ ଅବଧି ପୂର୍ବରୁ ୨୨ ତାରିଖ ରାତିରୁ ଏହି ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ଫଳରେ ପଞ୍ଜୀକରଣରୁ ବହୁଚାଷୀ ବାଦ୍‌ ପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଗତବର୍ଷ ଖରିଫ ଧାନ ବିକ୍ରୟ ପାଇଁ ପ୍ରାୟ ୫୦ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ତେବେ ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଜିଲ୍ଲାରେ ୫୨ ହଜାର ୧୮୪ ଜଣ ଚାଷୀ ଧାନ ବିକ୍ରି ପାଇଁ ବିଭିନ୍ନ ପ୍ୟାକ୍ସ ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ଯାଜପୁର ଜିଲ୍ଲାରେ ବହୁଳ ଭାବେ ଧାନଚାଷ ହୋଇଥାଏ। ଜିଲ୍ଲା ଅନ୍ତର୍ଗତ ୧୦ଟି ବ୍ଲକ୍‌ର ୮୦ ଭାଗ ଲୋକ ଧାନଚାଷ ଉପରେ ନିର୍ଭର କରିଥାନ୍ତି। ହେଲେ ମରୁଡ଼ି ଓ ବନ୍ୟା ପାଇଁ ବ୍ୟାପକ କ୍ଷତି ହେଉଥିବାରୁ ଚାଷୀମାନେ ଧାନ ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଫଳ‌ରେ ଜିଲ୍ଲାରେ ଧାନଚାଷର ପରିମାଣ କମିକମି ଚାଲିଛି। ଅନ୍ୟପକ୍ଷରେ ଚାଷୀଙ୍କ ସୁବିଧା ପାଇଁ ସରକାର ଉଦାସୀନତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାର ବିଭିନ୍ନ ପ୍ୟାକ୍ସରୁ ଶହଶହ ଚାଷୀ ଓଟିପି ନପାଇବାରୁ ପଞ୍ଜୀକରଣରୁ ବଞ୍ଚିତ ହେବା ଘଟଣା ଏହି ଅଭିଯୋଗକୁ ପ୍ରମାଣିତ କରିଛି।

ପ୍ରକାଶ ଯେ, ଜିଲ୍ଲାର ୧୫୮ଟି କେନ୍ଦ୍ର ମଧ୍ୟରୁ ୧୨୦ ଟି ପ୍ୟାକ୍ସ ଓ ୩୮ଟି ସ୍ବୟଂ ସହାୟକ ଗୋଷ୍ଠୀ ରହିଛି। ସେମାନଙ୍କ ଜରିଆରେ ୫୨ହଜାର ୧୮୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଅନ୍ୟପକ୍ଷରେ ୨୮ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ସମୟ ଥିବା ବେଳେ ହଠାତ୍‌ ୨୨ ତାରିଖ ରାତିରୁ ସରକାର ଅନ୍‌ଲାଇନ୍‌କୁ ବନ୍ଦ କରି ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ପ୍ୟାକ୍ସରେ ଅସନ୍ତୋଷ ଦେଖା ଦେଇଛି। ପଞ୍ଜୀକରଣରୁ ବଞ୍ଚିତ ଚାଷୀମାନେ ଏହାକୁ ନେଇ ହୋହାଲ୍ଲା କରୁଛନ୍ତି। ସୂଚନା ଅନୁଯାୟୀ, ଗତବର୍ଷ ଚାଷୀ ପଞ୍ଜୀକରଣରେ ବ୍ୟାପକ ଜାଲିଆତି କରାଯାଇ ଭୂତଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏପରି ଅଭିଯୋଗ ହେଲାଣି। ପ୍ରକୃତ ଚାଷୀ ବାଦ୍ ପଡ଼ିଥିବା‌ ବେଳେ ଭୂତଚାଷୀଙ୍କ ଆଗୁଆ ପଞ୍ଜୀକରଣ ସରିଯାଇଛି। ଚାଷରେ ବ୍ୟସ୍ତ ଥିବା ଲୋକମାନେ କାମ ଛାଡ଼ି ପଞ୍ଜୀକରଣ ପାଇଁ ଧାଉଁଥିବା ବେଳେ ସରକାରଙ୍କ ରାତି ଅଧିଆ ଅନ୍‌ଲାଇନ୍‌ ବନ୍ଦ ଚାଷୀଙ୍କୁ ଅସୁବିଧାରେ ପକାଇଛି। ଚାଷୀମାନେ ଓଟିପି ନପାଇ ନିରାଶ ହେଉଛନ୍ତି। ଜିଲ୍ଲାର ସମସ୍ତ ପ୍ୟାକ୍ସରେ କିଛିକିଛି ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମୟ ଅବଧି ବଢ଼ାଇବା ପାଇଁ ଚାଷୀମନେ ସମବାୟ ନିବନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅବଧି ନବଢ଼ିଲେ ବହୁ ଚାଷୀ ନିଜର ଧାନ ବିକ୍ରି ସୁବିଧାରୁ ବାଦ୍‌ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଯୋଗାଣ ବିଭାଗ ପାଖରେ ‌କୌଣସି ଉତ୍ତର ନଥିବା ବେଳେ ଅନ୍‌ଲାଇନ୍‌ ଖୋଲାଗଲେ ପୁନର୍ବାର ଚାଷୀ ପଞ୍ଜୀକରଣ ସମ୍ଭବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର