ପ୍ରତିଶୋଧ ରାଜନୀତିକୁ ସମସ୍ତେ ବିରୋଧ କରିବା ଦରକାର: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ରାଜନୈତିକ ଅଭିସନ୍ଧି ରଖି ‘ସମ୍ବାଦ’ ଖବରକାଗଜ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି। ଗଣମାଧ୍ୟମର କଣ୍ଠରୋଧ ପାଇଁ ଏହି ପ୍ରାୟୋଜିତ ରେଡ୍ ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ଦୈନିକ ‘ସମ୍ବାଦ’ ଖବରକାଗଜ ମୁଖ୍ୟ ଯେପର୍ଯ୍ୟନ୍ତ ଦଳର ସ୍ୱାର୍ଥକୁ ସାଧନ କରିବା ପାଇଁ କାର୍ଯ୍ୟ କରୁଥିଲେ, ସେପର୍ଯ୍ୟନ୍ତ ସରକାର ଓ ବିଜେଡି ଖୁସି ଥିଲା। ଯେବେ ସେ ଓଡ଼ିଶାର ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସମାଲୋଚନା କଲେ ସେତେବେଳେ ତାହା ସରକାର ଓ ବିଜେଡିକୁ ଭଲ ଲାଗିଲା ନାହିଁ। ରାଜ୍ୟ ସରକାର ଯେଉଁଭଳି ଏକପାଖିଆ ଭାବେ ଏକଛତ୍ରବାଦ ଶାସନ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି, ନିୟମ କାନୁନକୁ ନମାନି ରାଜନୈତିକ ଆକ୍ରୋଶ ରଖି ଗଣତନ୍ତ୍ରର ହତ୍ୟା କରୁଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଗତ କିଛି ଦିନ ଧରି ଯେଉଁ ପ୍ରତିଶୋଧ-ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି ତାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବା ଆବଶ୍ୟକ।

ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ଅଧିକାରକୁ ନାଲି ଆଖି ଦେଖାଇ କ୍ଷୁର୍ଣ୍ଣ କରିବା ଅପଚେଷ୍ଟାରୁ ରାଜ୍ୟର ଶାସନତନ୍ତ୍ର ନିଜକୁ ନିବୃତ ରଖୁ। ସାଢ଼େ ଚାରି କୋଟି ଓଡ଼ିଆ କେବେ ବି ଇଷ୍ଟ୍‌ ଇଣ୍ଡିଆ ଭଳି ମନୋବୃତି ରଖୁଥିବା ଏକପାଖିଆ ଶାସନ ବ୍ୟବସ୍ଥାକୁ ଆଗାମୀ ଦିନରେ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର