ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରବର୍ତ୍ତୀ ହିଂସା: ହତ୍ୟା ଅଭିଯୋଗରୁ ପୂର୍ବତନ ବିଧାୟକ ଦୋଷମୁକ୍ତ

କଟକ : ୨୦୦୮ କନ୍ଧମାଳ ହିଂସାକାଣ୍ଡ ସମୟରେ ହୋଇଥିବା ଏକ ହତ୍ୟା ମାମଲାରୁ ପୂର୍ବତନ ବିଧାୟକ ମନୋଜ କୁମାର ପ୍ରଧାନ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦୋଷମୁକ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କୁ ହତ୍ୟା ଅଭିଯୋଗରୁ ଦୋଷମୁକ୍ତ କରି ଫୁଲବାଣୀ ଫାଷ୍ଟ ଟ୍ରାକ୍ ଅଦାଲତ ତଥା ଅତିରିକ୍ତ ଦୌରା ଜଜ୍ ୨୦୧୦, ଜୁନ ୨୯ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଅପିଲ ପାଇଁ ଅନୁମତି ଲୋଡି ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮, ଅଗଷ୍ଟ ୨୩ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। କନକରେଖା ନାୟକ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ରାଇକିଆ ଥାନାରେ ଏତଲା ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ସ୍ବାମୀ ଓ ଦୁଇ ଝିଅଙ୍କ ସହିତ ଏତଲାକାରୀ ଜଙ୍ଗଲ ଭିତରେ ଲୁଚି ରହିଥିଲେ। ୨୦୦୮, ଅଗଷ୍ଟ ୨୫ ସଂଧ୍ୟାରେ ସାଇକେଲ ଯୋଗେ ସେମାନେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ବାଟରେ ଅଟକାଇଥିଲେ। ଖବର ପାଇ ଶହେରୁ ଅଧିକ ଲୋକ ଏକତ୍ରିତ ହୋଇ ଏତଲାକାରୀଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇ ଏତଲାକାରୀଙ୍କ ସ୍ବାମୀ ତଳେ ପଡିଯିବା ପରେ ତାଙ୍କ ଉପରେ କାଠ ଓ କିରାସିନ ଢାଳି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏତଲାକାରୀଙ୍କ ସ୍ବାମୀଙ୍କ ହତ୍ୟା ଘଟଣାରେ ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କ ସହିତ ଅନ୍ୟମାନେ ସଂପୃକ୍ତ ଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କୁ ଗିରଫ କରିଥିଲା।

ଏହି ହତ୍ୟାକାଣ୍ଡରେ ଉଭୟ ସଂପୃକ୍ତ ଥିବା ଦର୍ଶାଇ ପୁଲିସ ଆଇପିସିର ଦଫା ୩୦୨ ସହିତ ଅନ୍ୟ ଦଫାରେ ଚାର୍ଜସିଟ ଦାଖଲ କରିଥିଲା। ଫାଷ୍ଟ ଟ୍ରାକ ଅଦାଲତରେ ମାମଲାର ଶୁଣାଣି ସମୟରେ ଏତଲାକାରୀ, ତାଙ୍କ ପିଲାଙ୍କ ସମେତ ୧୬ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ୨୦୧୦, ଜୁନ ୨୯ରେ ଅଦାଲତ ମାମଲାର ରାୟ ପ୍ରକାଶ କରି ଦଫା ୩୦୨, ୧୪୮, ୨୦୧, ୩୪୧, ୩୪୨ରୁ ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କୁ ଦୋଷମୁକ୍ତ କରିଥିଲେ। ଅନ୍ୟପକ୍ଷରେ ଆଇପିସିର ଦଫା ୩୨୬, ୧୪୯ ଓ ୧୪୭ରେ ଅଦାଲତ ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କୁ ଦୋ‌ଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କରାଦଣ୍ଡ ପ୍ରଦାନ କରିଥିଲେ। ଶ୍ରୀ ପ୍ରଧାନଙ୍କ ତରଫରୁ ଆଇନଜୀବୀ ସର୍ବେଶ୍ବର ବେହେରା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର