ରୋହିତ-ଯଶସ୍ବୀଙ୍କ ଶତକୀୟ ଭାଗୀଦାରି

ମୁକେଶ ଓ ମ୍ୟାକେଞ୍ଜିଙ୍କ ପଦାର୍ପଣ କୋହଲିଙ୍କ ୫୦୦ତମ ମ୍ୟାଚ୍‌

ପୋର୍ଟ ଅଫ୍ ସ୍ପେନ୍‌: ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟ୍‌ରେ ମଧ୍ୟ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍‌ ଓପନିଂ ଭାଗୀଦାରିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି। ପ୍ରଥମ ଦିବସ ଚା’ପାନ ବିରତି ବେଳକୁ ଭାରତ ୪ ୱିକେଟ୍ ନହରାଇ ୧୮୨ ରନ୍‌ ସଂଗ୍ରହ କରିଛି। ରୋହିତ ଏବଂ ଜୟସ୍ବାଲ ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍‌ ସଂଗ୍ରହ କରିଛନ୍ତି। ମଧ୍ୟାହ୍ନ ଭୋଜନ (୧୨୧/୦) ପରେ ଜୟସ୍ବାଲ୍‌ (୫୭ ରନ୍‌, ୭୪ ବଲ୍‌, ୯ ଚୌକା, ୧ ଛକା) ଜାସନ୍ ହୋଲ୍ଡରଙ୍କ ବଲରେ ଆଉଟ୍ ହୋଇଥିବାବେଳେ ଶୁବମନ ଗିଲ୍‌ (୧୦) ମଧ୍ୟ ପୁଣି ଥରେ ବିଫଳ ହୋଇ‌ କେମାର ରୋଚ୍‌ଙ୍କ ଦ୍ବାରା ପ୍ୟାଭିଲିଅନ୍‌ ଫେରିଥିଲେ। ଏହ‌ାର ୩ ଓଭର ପରେ ରୋହିତ ଶର୍ମା (୮୦, ୧୪୩ ବଲ୍‌, ୯ ଚୌକା, ୨ ଛକା) ଆଉଟ୍ ହୋଇଯାଇଥିଲେ। ବାମହାତୀ ସ୍ପିନର୍‌ ଜୋମେଲ୍ ୱାରିକାନ୍‌ ରୋହିତଙ୍କୁ ବୋଲ୍ଡ କରି ଶତକରୁ ବଞ୍ଚିତ ରଖିଥିଲେ। ଅଜିଙ୍କ୍ୟ ରାହାଣେ (୮)ଙ୍କୁ ସାନନ୍ ଗ୍ରାବିଏଲ୍‌ ବୋଲ୍ଡ କରିଦେବା ସହ ଅମ୍ପାୟାର୍‌ ଚା’ପାନ ବିରତି ସଙ୍କେତ ଦେଇଥିଲେ।

ଟସ୍ ହାରି ବ୍ୟାଟିଂ ପାଇଥିବା ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍‌ ଦୃଢ଼ ମୂଳଦୁଆ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଶତକୀୟ ଟେଷ୍ଟ୍ ଖେଳାଯାଉଥିବା ବେଳେ ଭାରତୀୟ ଯୋଡ଼ି ଶତକୀୟ ଭାଗୀଦାରିରୁ ଅଭିଯାନ ଆରମ୍ଭ କରି ଏହାକୁ ଅଧିକ ସ୍ମରଣୀୟ ରଖିଛନ୍ତି। ସୂଚନାଯୋଗ୍ୟ, ଡୋମିନିକାରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଉଭୟ ରୋହିତ ଏବଂ ଜୟସ୍ବାଲ ଶତକ ଅର୍ଜନ କରିବା ସହ ଓପନିଂ ଭାଗୀଦାରିରେ ୨୨୯ ରନ୍‌ କରିଥିଲେ। ମ୍ୟାଚ୍‌ ପୂର୍ବରୁ କିଂବଦନ୍ତି ବ୍ୟାଟର୍‌ ବ୍ରାଏନ୍ ଲାରା ମଧ୍ୟ ରୋହିତ ଶର୍ମା ଏବଂ କ୍ରେଗ୍ ବ୍ରାଥ୍‌ୱେଟଙ୍କୁ ଫଳକ ପ୍ରଦାନ କରି ଶତକୀୟ ଟେଷ୍ଟ୍ ପାଇଁ ସମ୍ମାନିତ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୫୦.୪ ଓଭରରେ ୧୮୨/୪ (ରୋହିତ ଶର୍ମା-୮୦, ଯଶସ୍ବୀ ଜୟସ୍ବାଲ୍‌-୫୭, ଶୁବମନ ଗିଲ୍‌-୧୦, ବିରାଟ କୋହଲି-୧୮*, ଅଜିଙ୍କ୍ୟ ରାହାଣେ-୮, ଜାସନ୍ ହୋଲ୍‌ଡର-୧/୨୨, ଜୋମେଲ ୱାରିକାନ୍‌-୧/୨୬, କେମାର ରୋଚ୍‌-୧/୪୧, ସାନନ୍ ଗାବ୍ରିଏଲ୍‌-୧/୪୬)।

ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ୧୦୦ତମ ଟେଷ୍ଟ୍‌ରୁ ଟେଷ୍ଟ୍ ଜୀବନ ଆରମ୍ଭ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ଏବଂ ୱେଷ୍ଟଇଣ୍ଡିଜ୍‌ ବ୍ୟାଟର୍‌ କିର୍କ ମ୍ୟାକେଞ୍ଜି। ଭାରତୀୟ ଅଲରାଉଣ୍ଡର୍‌ ଶାର୍ଦୁଳ ଠାକୁର ଆହତ ହେବାରୁ ମୁକେଶ କୁମାରଙ୍କୁ ପଦାର୍ପଣ ସୁଯୋଗ ମିଳିଛି। ୩୦ ବର୍ଷୀୟ ବେଙ୍ଗଲ ବୋଲର ମୁକେଶ କୁମାର ୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୪୯ ୱିକେଟ୍ ନେଇ ଟେଷ୍ଟ୍ ପଦାର୍ପଣ କରିଛନ୍ତି। ଏହି ମ୍ୟାଚ୍‌ ମଧ୍ୟ ବିରାଟ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ମାଇଲଖୁଣ୍ଟ୍ ଛୁଇଁଛି। ନିଜର ୧୧୧ତମ ଟେଷ୍ଟ୍‌ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ହୋଇଛି। ବିଶ୍ବର ଦଶମ ଖେଳାଳି ଭାବେ ଏହି କୃତିତ୍ବ ଅର୍ଜନ କରିଛନ୍ତି କୋହଲି। ଦେଢ଼ ଦଶନ୍ଧି ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା କୋହଲି ୨୭୪ ଦିନିକିଆ ଅନ୍ତର୍ଜାତୀୟ ଏବଂ ୧୧୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ୨୪,୦୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି ୭୫ ଶତକ ସହିତ। ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ କ୍ଲବ୍‌ରେ ପୂର୍ବରୁ ସଚିନ ତେନ୍ଦୁଲକର (୬୬୪), ମାହେଲା ଜୟବର୍ଧନେ (୬୫୨), କୁମାର ସାଙ୍ଗାକାରା (୫୯୪), ସନଥ ଜୟସୂରିୟା (୫୮୬), ରିକି ପଣ୍ଟିଂ (୫୬୦), ମହେନ୍ଦ୍ର ସିଂହ ଧୋନି (୫୩୮), ସାହିଦି ଆଫ୍ରିଦି (୫୨୪), ଜ୍ୟାକ୍ କାଲିସ୍‌ (୫୧୯), ରାହୁଲ ଦ୍ରାବିଡ଼ (୫୦୯) ସାମିଲ ଥିଲେ। ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍ (୪୯୯)ଙ୍କୁ ଟପି କୋହଲି ଏହି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର