ଧାନଖଳାରେ ନିଆଁ, ଶିଶୁ ଜୀବନ୍ତଦଗ୍ଧ; ବାପା, ମା’, ଭଉଣୀ ଗୁରୁତର

e

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ଅଢାସଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଧାନଖଳାରେ ଭୟାବହ ଅଗ୍ନିକାଣ୍ତ ଘଟି ବାପା, ମା’ଙ୍କ ଆଖି ସାମ୍ନାରେ ୩ ବର୍ଷର ଶିଶୁ କନ୍ୟା ଜୀବନ୍ତଦଗ୍ଧ ହୋଇଯାଇଛି। ବାପା, ମା ଓ ଭଉଣୀ ମଧ୍ୟ ଅର୍ଦ୍ଧଦଗ୍ଧ ଅବସ୍ଥାରେ। ସେମାନେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁସାରେ, ରାଜନଗର ବ୍ଲକ ଓକିଲପାଳ ଗାଁର ରମାକାନ୍ତ ସାଉଁତି ବାଉଁଶଗଡି ନଦୀ ଆରପଟେ ଥିବା ସାତଭାୟା ପଞ୍ଚାୟତର ଅଡାସଲ ମୌଜାରେ ଚାଷ କରନ୍ତି। ଧାନକାଟି ଗଦା ମାରିଥିଲେ। ଗତକାଲି ରାତିରେ ପଲାରେ ସାନଝିଅ କ୍ରିଷ୍ଣା (୩), ବଡଝିଅ କାବେରୀ (୧୦), ପତ୍ନୀ କୁନିଲତା ଶୋଇଥିଲେ। ରାତି ପ୍ରାୟ ୧୧ଟାରେ ରମାକାନ୍ତ ଧାନ ଖାଇବାକୁ ଆସିଥିବା ଷଣ୍ଢ ଘଉଡାଇବାକୁ ଯାଇଥିଲେ। ଏହି ସମୟରେ ହଠାତ ତାଙ୍କ ପଲା ଘରେ ନିଆଁ ଜଳୁଥିବା ଦେଖିଥିଲେ। ପଲା ପାଖକୁ ଆସିବା ପରେ ପତ୍ନୀ ଓ ଝିଅଙ୍କ ଚିତ୍କାର ଶୁଣିଥିଲେ। ଆଗପଛ ବିଚାର ନ କରି ନିଆଁ ଘେରକୁ ଡେଇଁ ପ୍ରଥମେ ବଡ଼ଝିଅ ଓ ପରେ ପତ୍ନୀଙ୍କୁ ଉଦ୍ଧାର କରିଥିଲେ।

ସେତେବେଳକୁ ସେମାନଙ୍କ ଗୋଡ, ହାତ ଓ ଦେହର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ଉଦ୍ଧାର କରିବାବେଳେ ରମାକାନ୍ତଙ୍କ ଗୋଡ, ହାତ, ପିଠି ଆଦି ପୋଡ଼ି ଯାଇଛି। ମାତ୍ର ସାନଝିଅ କ୍ରିଷ୍ଣାକୁ ସେ ଉଦ୍ଧାର କରିପାରି ନ ଥିଲେ। ବାପା, ମାଙ୍କ ଆଖି ସାମ୍ନାରେ ୩ ବର୍ଷର କ୍ରିଷ୍ଣା ବିକଳ ଚିତ୍କାର କରି ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ବାଟରେ କୁମ୍ଭୀର ସାଲୁବାଲୁ ବାଉଁଶଗଡି ନଦୀ ଥିବାରୁ ଆହତଙ୍କୁ ଚିକିତ୍ସା ପାଇଁ ଆଣିବା ନିମନ୍ତେ ସମୟ ଲାଗିଥିଲା। ରାତି ପ୍ରାୟ ୧ଟା ବେଳେ ନଦୀ ପାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସେମାନଙ୍କୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର