ରାମଚନ୍ଦ୍ରପୁର : ମୁଣ୍ଡରେ ରଙ୍ଗବେରଙ୍ଗ ପକ୍ଷୀର ପୁଚ୍ଛ। ଡାଳ ପତ୍ରର ମୁକୁଟ। ଆଉ ପାଦରେ ଘୁଙ୍ଗୁୁର। ଅଣ୍ଟାରେ ଘୁମୁର ବାଦ୍ୟ। ବାଦ୍ୟ ଧ୍ବନିର ତାଳେ ତାଳେ ପାଦ ପଡୁଥିବ। ତା’ ସହିତ ଘୁଙ୍ଗୁର ଝୁମ୍ ଝୁମ୍ ଧ୍ବନି। ପାରମ୍ପରିକ ଘୁମୁରା ନୃତ୍ୟର ଏ ଆଖିଝଲସିଆ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ମନୋରଂଜନ ଯୋଗାଇଥାଏ। ଆଦିବାସୀ ଶବର ସଂପ୍ରଦାୟର ଲୋକମାନେ ଗହ୍ମା ପୂନେଇଁରେ ଗାଁ ଗାଁ ବୁଲି ୯ ଦିନ ଧରି ଏହି ନାଚଗୀତରେ ମସ୍ଗୁଲ ହୋଇଥାନ୍ତି। ଏହା ଏକ ସ୍ବତନ୍ତ୍ର ଲୋକକଳା ହୋଇଥିଲେ ବି ଏଥିପ୍ରତି ସରକାରୀ ପ୍ରୋତ୍ସାହନ କିମ୍ବା ସହାୟତାର କୌଣସି ବ୍ୟବସ୍ଥା ହୋଇପାରିନି। ଫଳସ୍ବରୂପ ଏହା ଏବେ ବୁଲୁପ୍ତି ପଥରେ। ଜୀବନଜୀବିକାର ପରିବର୍ତ୍ତିତ ପଥରେ ଘୁମୁରା ନୃତ୍ୟ ଆଜି ହଜିଗଲାଣି। ତଥାପି ମାଟି ଆଉ ପ୍ରକୃତିର ଉପାସକ କେତୋଟି ଆଦିବାସୀ ପରିବାର ଏହାକୁ ବଞ୍ଚାଇ ରଖିଛନ୍ତି। ଏମିତି ଏକ ନୃତ୍ୟ ବଞ୍ଚି ରହିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଗଁପୁର ପଞ୍ଚାୟତ ଅନ୍ତର୍ଗ କରଡ଼ାପାଳ ଗାଁରେ। ଏଠାରେ ଆଦିବାସୀ ଶବର ସ˚ପ୍ରଦାୟର ପ୍ରାୟ ୪୦ ପରିବାର ବାସ କରନ୍ତି। ଏମନେ ପାରମ୍ପରିକ ପ୍ରାଚୀନ ଲୋକ ନୃତ୍ୟକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ଏହି ନୃତ୍ୟରେ ବ୍ୟବହୃତ ବାଦ୍ୟ ଯନ୍ତ୍ର ଘୁମର ନାମାନୁସାରେ ଘୁମୁରା ନୃତ୍ୟଭାବେ ଏହା ନାମିତ ହୋଇଛି। ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅବସର ସମୟରେ ଏହି ନୃତ୍ୟକୁ ପରିବେଷଣ କରିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନୃତ୍ୟ ପାଇଁ ପାରମ୍ପରିକ ପୋଷାକ ବା ସାଜସଜ୍ଜା ହେଲା ମୁଣ୍ତରେ ଡାଳପତ୍ର ଓ ବିଭିନ୍ନ ପକ୍ଷୀଙ୍କର ପରକୁ ସୁନ୍ଦର ଭାବେ ଖୋଷିବା ସହ ବେକରେ ମାଳି ଆଉ ପାଦରେ ଘୁଙ୍ଗୁର। ହାତରେ ପାରମ୍ପରିକ ଘୁମର ବାଦ୍ୟ। ଦୁଇ ମୁଖ୍ୟ ଗାୟକ ଲୋକଗୀତ ଗାଇଥାନ୍ତି। ଅନ୍ୟମାନେ ଗୀତରେ ପାଳି ଧରିବା ସହିତ ବାଦ୍ୟର ତାଳେତାଳେ ନାଚିଥାନ୍ତି।
ଏହି ଲୋକକଳାକୁ ସେମାନେ ଦୂରଦର୍ଶନ, ଆକାଶବାଣୀ କଟକ, ଆନନ୍ଦପୁର ଲୋକ ମହୋତ୍ସବ, ଘଟଗାଁ ଚଇତି ପର୍ବରେ ପରିବେଷଣ କରି ଉଚ୍ଚ ପ୍ରଶ˚ସିତ ହୋଇଛନ୍ତି। ଏହା କିନ୍ତୁ ସେମାନଙ୍କ ଜୀବନ ଧାରଣର ଉନ୍ନତିରେ ସହାୟକ ହୋଇପାରିନାହିଁ। କେବଳ ସେହି ମଞ୍ଚରେ ଯାହା ସୀମିତ ରହିଯାଇଛି। ଫଳ ହେଉଛି ବିରଳ ଲୋକକଳାକୁ ବଞ୍ଚାଇ ରଖିଥିବା ଆଦିବାସୀଙ୍କର ସାମାଜିକ ସ୍ଥିତି ଅତ୍ୟନ୍ତ ଦୟନୀୟ। ତଥାପି ସେମାନେ ଏହି କଳାକୁ ବଞ୍ଚାଇ ରଖିଛନ୍ତି। ଆଖପାଖ ଅଞ୍ଚଳର ଲୋକଙ୍କର ମନୋର˚ଜନ କରିଥାନ୍ତି। ସରକାରୀ ପ୍ରୋତ୍ସାହନ ନଥିବାରୁ କଳାକାରମାନେ ବୟସର ଅପରାହ୍ଣରେ ପହଞ୍ଚିଥିବା ବେଳେ ନା ମିଳିଛି ସରକାରୀ ସ୍ବୀକୃତି ନା ସହାୟତା। ଅନ୍ତତଃ ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରାଯିବା ସହ ନୃତ୍ୟ ପ୍ରତିଭାର କିପରି ବିକାଶ ହୋଇପାରିବ ସେ ଦିଗରେ ସରକାର ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ। ନଚେତ ସମୟ ସ୍ରୋତରେ ଏହି ପାରମ୍ପରିକ ଲୋକନୃତ୍ୟ ହଜିଯିବାର ଆଶଙ୍କା ପ୍ରକାଶ ପାଇଛି।
ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସଂସ୍କୃତି ବିଭାଗ ଆଖିଦୃଶିଆ ପଦକ୍ଷେପ ନେବାକୁ ବର୍ଷିଆନ କଳାକାର ତଥା ଲୋକନୃତ୍ୟର ‘ନାଇକ’ ଧ୍ରୁବଚରଣ ନାଏକ ଓ ବନମାଳୀ ସାମଲ, କଳାକାର ଧବଳି ସାମଲ, ସନାତନ ସାମଲ, ଟଙ୍କଧର ସାମଲ, ବିଦ୍ୟାଧର ପରିଡ଼ା, ଅଜୟ ନାଏକ, ବାସୁଦେବ ନାଏକ ପ୍ରଭୃତି ଦାବି ଜଣାଇଛନ୍ତି।
ସ୍ଥାନୀୟ ସରପଞ୍ଚ ରଶ୍ମିର˚ଜନ ଦାଶ ଓ ସମାଜସେବୀ ସୁବ୍ରତ ଚକ୍ରଙ୍କ ମତରେ କଳା ଓ ସ˚ସ୍କୃତି ବିଭାଗ ଏହି କଳାକୁ ନିଜ ହାତକୁ ନେଲେ ଏହି କଳାକାରମାନେ ଉପକୃତ ହେବା ସହ ଏକ ଲୋକନୃତ୍ୟ ମଧ୍ୟ ସଂରକ୍ଷିତ ରହିପାରନ୍ତା।