ମୁଣ୍ଡଳି ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ, ରାସ୍ତାରୋକ ପରେ ଟୋଲ ଗେଟ୍‌କୁ ସିଲ କଲା ପ୍ରଶାସନ

ଆଠଗଡ଼:  କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁଣ୍ଡଳି ଟୋଲ ଗେଟ୍‌ ଠାରେ ମଙ୍ଗଳବାର ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟେଣିଗାଁର ଦୀପକ ପ୍ରଧାନ (୨୩) ,ପାଟେଣିଗାଁର ବୁବୁ ଓରଫ ଦୀପକ ପ୍ରଧାନ (୨୫), କଦମ୍ବପାଟଣା ର ରାଜୁ ବାରିକ ( ୨୨), ଢେଙ୍କାନାଳ କାମଧେନୁକୋଟର ମନୋରଞ୍ଜନ ବେହେରା (୨୩)। ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଟୋଲ ଗେଟର କର୍ମଚାରୀମାନେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଗୁରୁତର ହେବା ସହ ତାଙ୍କର ଦୁଇଟି ବସ ଭଙ୍ଗାରୁଜା ହୋଇଥିଲା। ଘଟଣା ସମ୍ପର୍କରେ ବସର ଡ୍ରାଇଭର ଛତିଶଗଡ଼ର ଆନନ୍ଦ ଶୁକ୍ଳା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ ଥାନା କେଶ ନମ୍ବର ୧୧୩/୨୩ । ଆଠଗଡ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ମଙ୍ଗଳବାର ୪ ଜଣଙ୍କୁ ଅଟକ ରଖିଥିଲେ। ବୁଧବାର ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଦଫା ୧୪୭,୧୪୮, ୩୪୧, ୩୮୪, ୩୨୩, ୩୨୪, ୩୨୫, ୩୦୭, ୪୨୭, ୫୦୬, ୩୫୪(ଖ), ୧୪୯ ଆଇପିସିରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଟୋଲ ଫି ଆଦାୟକୁ କେନ୍ଦ୍ର କରି ବିବାଦ ଘଟିବା ସହ ଆକ୍ରମଣ ହୋଇଥିଲା। ଆଠଗଡ ପୁଲିସ ପହଞ୍ଚି ୧୦ରୁ ଉର୍ଦ୍ଧ୍ବ ଆହତ ମାନଙ୍କୁ  ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ଯାତ୍ରୀ ମାନଙ୍କୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ କୁ ଆଣି ଖାଦ୍ୟ, ପାନୀୟ ତଥା ସେମାନଙ୍କ ଯିବାର ବ୍ୟବସ୍ଥା କରିଥିଲେ। ବୁଧବାର ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଉପଜିଲ୍ଲାପାଳଙ୍କୁ ଏକ ସ୍ନାରକପତ୍ର ପ୍ରଦାନ କରିଥିଲେ। ବାହାର ରାଜ୍ୟର ପର୍ଯ୍ୟଟକମାନଙ୍କୁ ଯେପରି ଆକ୍ରମଣ କରାଗଲା ତଥା ଗାଡି ଭଙ୍ଗାରୁଜା କରାଗଲା ତାହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ତୁରନ୍ତ ଦୋଷୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସେହିପରି ଟୋଲ ଗେଟର ଅବଧି ଦୀର୍ଘ ଦିନ ଧରି ସମାପ୍ତ ହୋଇ ଯାଇଥିଲା ବେଳେ କାହାର ନିର୍ଦ୍ଦେଶରେ ଚାଲୁଥିଲା। ମୁଣ୍ଡଳି ଗେଟର ସମସାମୟିକ ଟୋଲ ଗେଟ ବହୁ ଦିନ ହେବ ଉଠି ସାରିଥିଲା ବେଳେ ମୁଣ୍ତଳି ଟୋଲ ଗେଟକୁ ତୁରନ୍ତ ପ୍ରତ୍ୟାହାର ଦାବି ନେଇ ଅଭୟ ବାରିକଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତା ମାନେ ଚାନ୍ଦବାଲି ଛକଠାରେ ରାସ୍ତାରୋକ କରିଥିଲେ। ଫଳରେ ଗାଡି ଚଳାଚଳ ବ୍ୟାହତ ହୋଇ ପଡିଥିଲା। ଘଟଣା ସ୍ଥଳରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ତୁରନ୍ତ ଟୋଲ ଗେଟ ବନ୍ଦ ନ କରାଗଲେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଅଭୟ ପ୍ରକାଶ କରିଥିଲେ। ଏହାପରେ ପ୍ରଶାସନର ନିଷ୍ପତ୍ତି କ୍ରମେ ପୁଲିସ, ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ଓ ଅଭୟ ଙ୍କ କିଛି ସମର୍ଥକ ମାନେ ମୁଣ୍ଡଳି ଟୋଲ ଗେଟକୁ ଯାଇଥିଲେ। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ଟୋଲ ଗେଟକୁ ସିଲ କରାଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର