ଅନୁଗୁଳ : ସାତକୋଶିଆ ଗଣ୍ଡରେ ବୁଧବାର ବିଳମ୍ବିତ ରାତିରେ ଘଡ଼ିଆଳ ଫୁଟାଇଛି ଅଣ୍ଡା। ଅଣ୍ଡାରୁ ବାହାରି ପାଖାପାଖି ୩୫ଟି ଶାବକ ମହାନଦୀ ଗଣ୍ଡକୁ ଯାଇଛନ୍ତି। ଏଥରକୁ ମିଶାଇ ପ୍ରକୃତି କୋଳରେ ଘଡ଼ିଆଳ ହ୍ୟାଟ୍ରିକ୍ ପ୍ରଜନନ କରାଇ ଧାରାବାହିକ ବଂଶବିସ୍ତାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ବିଗତ ଦୁଇ ବର୍ଷ ଅପେକ୍ଷା ମା’ ଘଡ଼ିଆଳ ଏଥର ଅଧିକ ସଂଖ୍ୟକ ଶାବକ ଜନ୍ମ ଦେଇ ନୂଆ ରେକର୍ଡ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଲା ଦୁଇବର୍ଷ ତୁଳନାରେ ଶାବକ ସଂଖ୍ୟା ବଢ଼ିଲା
ମହାନଦୀ ଗଣ୍ଡରେ ୩୫ ଶାବକଙ୍କୁ ଖେଳାଇଲା ମା’
ଦୀର୍ଘ ୪୦ବର୍ଷର ବ୍ୟବଧାନରେ ଗଲା କୋଭିଡ୍ ସମୟରେ ୨୦୨୧ ମସିହାରୁ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରର ବଂଶବିସ୍ତାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମଣିଷର ଶତଚେଷ୍ଟା ସତ୍ତ୍ବେ ପ୍ରକୃତି କୋଳରେ ଯେଉଁ କାମ ସମ୍ଭବ ହୋଇ ପାରିନଥିଲା, ତାହାର ପୁନଃରାବୃତ୍ତି କେବଳ ବନ ବିଭାଗ କାହିଁକି, ପୂରା ରାଜ୍ୟରେ ଖୁସି ଭରି ଦେଇଥିଲା। ମହାନଦୀ ଗଣ୍ଡରେ ଦୀର୍ଘବର୍ଷ ହେଲା ବୁଲୁଥିବା ଗୋଟିଏ ମାଈ ଘଡ଼ିଆଳ ହିଁ ପ୍ରଥମ ଥର ଫୁଟାଇଥିଲା ୨୮ଟି ଛୁଆ। ୨୦୨୨ ମସିହାର ଏହାର ପୁନଃରାବୃତ୍ତି ହେଲା। ସେହି ମା’ ଘଡ଼ିଆଳ ଶାବକ ସଂଖ୍ୟା ୨୮ରୁ ବୃଦ୍ଧି କରି ୩୨ କରିଥିଲା। ଏଥର ବି ପ୍ରଜନନ ପାଇଁ ସବୁ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ, ଗଲା ବର୍ଷମାନଙ୍କରେ ଯେତିକି ସମୟ ବ୍ୟବଧାନରେ ଘଡ଼ିଆଳ ଅଣ୍ଡା ଫୁଟାଇବା କଥା, ସେଥିରେ ବ୍ୟତିକ୍ରମ ଦେଖା ଦେଲା।
ପ୍ରଥମବର୍ଷ ପ୍ରାୟ ୪୯ଦିନରେ ଫୁଟିଥିଲା ଅଣ୍ଡା। କିନ୍ତୁ, ଏବର୍ଷ ଏହି ଦିନ ଗଡ଼ିଯାଇଥିଲେ ହେଁ ଛୁଆ ନ ଫୁଟିବା ହିଁ ସାତକୋଶିଆ କର୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଥିଲା। ଏଥର ପ୍ରାୟ ସପ୍ତାହେ କାଳ କାହିଁକି ବିଳମ୍ବ ହେଲା, ତାହାକୁ ନେଇ ବନ ବିଭାଗ ଚିନ୍ତା ପ୍ରକଟ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହିଁ ଅଣ୍ଡା ଫୁଟି ଛୁଆ ବାହାରିଛନ୍ତି। ଗୋଟି ଗୋଟି କରି ଛୁଆଙ୍କୁ ମା’ ଘଡ଼ିଆଳ ମହାନଦୀ ବାଲିରୁ ନେଇ ଗଣ୍ଡକୁ ଗଲାପରେ ଘଟଣା ପଦାକୁ ଆସିଛି। ପ୍ରକୃତି କୋଳରେ ଏକ ବିଲୁପ୍ତପ୍ରାୟ ପ୍ରାଣୀର ଲଗାତାର ତୃତୀୟ ଥର ପାଇଁ ବଂଶବିସ୍ତାର ପରିବେଶପ୍ରେମୀ ମହଲରେ ଖୁସି ଖେଳାଇ ଦେଇଛି।
ଏ ସମ୍ପର୍କରେ ସାତକୋଶିଆ ଡିଏଫ୍ଓ ଡ. ସରୋଜ କୁମାର ପଣ୍ଡା କହିଛନ୍ତି, ବର୍ତ୍ତମାନ ଯେତିକି ଛୁଆଙ୍କୁ ନେଇ ମା’ ଘଡ଼ିଆଳ ଗଣ୍ଡକୁ ଆସିଛି, ସେଥିରେ ପ୍ରାୟ ୩୦ରୁ ୩୫ଟି ଛୁଆ ଅଛନ୍ତି। ଫଟୋରୁ ଗଣି ଆମେ ଏହା ଆକଳନ କରୁଛୁ ବୋଲି ଡ. ପଣ୍ଡା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଶାବକ ଜନ୍ମ ହେବା ଯେତିକି ଗୁରୁତ୍ବପୂର୍ଣ୍ଣ, ଖରା ପରେ ମହାନଦୀରେ ଆସିବାକୁ ଥିବା ବନ୍ୟାରୁ ଶାବକଙ୍କୁ ସୁରକ୍ଷା ସେତିକି ଗୁରୁତ୍ବପୂର୍ଣ୍ଣ। ଜାଲ୍ରେ ଏହି ଶାବକଗୁଡ଼ିକ ପଡ଼ିବାର ଆଶଙ୍କା ରହିଛି। ତେଣୁ ଜାଲ୍ରୁ କୁମ୍ଭୀରଙ୍କୁ ମୁକୁଳାଇ ସୁରକ୍ଷା ଦେଲେ ଅନ୍ୟୁନ ୫ହଜାର ଟଙ୍କାର ସହାୟତା, ଗଜବନ୍ଧୁ ଭଳି ଘଡ଼ିଆଳ ବନ୍ଧୁଙ୍କୁ ନିଯୁକ୍ତି, ମହାନଦୀର ଦୁଇ କୂଳ ଅବବାହିକାରେ ପୋଖରୀରେ ମାଛ ଚାଷ ଆଦି ପଦକ୍ଷେପ ନେଲେ ଘଡ଼ିଆଳଙ୍କୁ ଅଧିକ ସୁରକ୍ଷା ମିଳି ପାରିବ ବୋଲି ସାତକୋଶିଆ ଘଡ଼ିଆଳ ବଂଶ ସୁରକ୍ଷା ପ୍ରକଳ୍ପର ଉପଦେଷ୍ଟା ପ୍ରଫେସର ସୁଦର୍ଶନ ମହାରଣା ପରାମର୍ଶ ଦେଇଛନ୍ତି।