ଖଣି ମାମଲାର ଶୁଣାଣି ପାଇଁ ନାହିଁ ସ୍ବତନ୍ତ୍ର ଅଦାଲତ: କୋର୍ଟ ପ୍ରତିଷ୍ଠା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଖଣିଜ ଦ୍ରବ୍ୟ ସଂପର୍କିତ ଅପରାଧିକ ମାମଲାର ଶୁଣାଣି ପାଇଁ ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ (ଏମଏମଡିଆର ଆକ୍ଟ) ଅନୁସାରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏମଏମଡିଆର ଆଇନର ଧାରା ୩୦-ଖ ଓ ପ୍ରଦୀପ ଏସ ୱାଡେୟାର ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅନୁସାରେ ଏମଏମଡିଆର ଆଇନ ଉଲ୍ଲଂଘନ ସଂପର୍କିତ ମାମଲାର ତ୍ବରିତ ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ କ୍ଷମତା ରହିଥିବାବେଳେ ଏହା ମଧ୍ୟ ଦାୟିତ୍ବ ସହିତ ଜଡ଼ିତ। ଏଭଳି ସ୍ଥିତିରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଂଗରେ ରାଜ୍ୟ ସରକାର ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଖଣିଜ ଦ୍ରବ୍ୟ ଚୋରି ଅଭିଯୋଗ ମାମଲାରେ ଦାୟର ଏକ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏମଏମଡିଆର ଆଇନ ଅନୁସାରେ ଖଣିଜ ଦ୍ରବ୍ୟ ସଂପର୍କିତ ଅପରାଧିକ ମାମଲାରେ କେବଳ ସ୍ବତନ୍ତ୍ର ଅଦାଲତ କଗନିଜାନ୍ସ ଗ୍ରହଣ କରି ପାରିବେ। କିନ୍ତୁ ରାଜ୍ୟରେ ଏ ପର୍ଯ୍ୟନ୍ତ ଏଭଳି ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇ ନାହିଁ। ଏମଏମଡିଆର ଆଇନ ଅନୁସାରେ କେନ୍ଦୁଝରରେ ୧୯୫, ସୁନ୍ଦରଗଡ଼ରେ ୨୫୧ ଓ ମୟୂରଭଞ୍ଜରେ ୯୯ଟି ଅପରାଧିକ ମାମଲା ରହିଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ଏଥିସହିତ ବିଭିନ୍ନ ଜିଲ୍ଲା ଜଜଙ୍କ ନିକଟରୁ ମିଳିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ୧୯ଟି ଜିଲ୍ଲାରେ ଏମଏମଡିଆର ଆଇନ ଅନୁସାରେ ରୁଜୁ ଅପରାଧିକ ମାମଲା ବିଚାରାଧୀନ ରହିଛି। ରାଜ୍ୟରେ ଖଣିଜ ଦ୍ରବ୍ୟ ସଂପର୍କିତ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏ ସଂପର୍କିତ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇ ନାହିଁ। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଏମଏମଡିଆର ଆଇନ ଅନୁସାରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପାଇଁ କହିଛନ୍ତି।

ଏଥିସହିତ ପ୍ରସନ୍ନଜିତ ନାୟକଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୋରମ ଚୋରି ସଂକ୍ରାନ୍ତରେ ଦାନଗଦି ତହସିଲଦାରଙ୍କ ଅଭିଯୋଗ ଆଧାରରେ ଜଖପୁରା ଥାନାରେ ଆଇପିସିର ଦଫା ୩୭୯ ଓ ଏମଏମଡିଆର ଆଇନର ଧାରା ୨୧ରେ ଗତ ଜାନୁଆରି ୨୫ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବା ବେଳେ ଏଜିଏ ଅରୁପାନନ୍ଦ ଦାସ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର