ମୃତ୍ୟୁର ୮ ମାସ ପରେ ଦ୍ୱିତୀୟ ଡୋଜ୍ ଟିକା!

ଜଳେଶ୍ବର : ୮ ମାସ ତଳେ ତାଙ୍କର ମୃତ୍ୟୁ ହୋଇସାରିଛି। ମାତ୍ର, ତାଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଛି ବୋଲି ପରିବାରକୁ ମୋବାଇଲ୍‌ ଯୋଗେ ମେସେଜ୍‌ ଆସିଛି। କୋଭିଡ୍‌ ମୁକାବିଲାରେ ଟିକାକରଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଥିବାବେଳେ ଏହିଭଳି ଗୋଟିଏ ଗୋଟିଏ ଘଟଣା ଏହାର ବିଶ୍ବସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜଣେ ଅଙ୍ଗନବାଡ଼ି ସହାୟିକାଙ୍କ କ୍ଷେତ୍ରରେ ଏହିଭଳି ଘଟଣା ଘଟିଛି।

ମୃତକ ହେଲେ, ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍‌ ବରଡ଼ିହା ପଞ୍ଚାୟତ ବାଖୁଡ଼ିପଦା ଗ୍ରାମର ସୁମନ୍ତ କୁମାର ମହାନ୍ତଙ୍କ ପତ୍ନୀ ଜୟନ୍ତୀ (୨୬)। ଜୟନ୍ତୀ ନିଜ ଗଁାର ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। କରୋନା ମୁକାବିଲାରେ ସେ ସମ୍ମୁଖ ଯୋଦ୍ଧା ହୋଇଥିବାରୁ ୨୦୨୧ ଫେବ୍ରୁଆରି ୧୧ ତାରିଖରେ ପ୍ରଥମ ଡୋଜ୍ ଟିକା ନେଇଥିଲେ। ତେବେ ଟିକା ନେବାର କିଛି ସପ୍ତାହ ପରେ ଜୟନ୍ତୀ କାମଳ (ଜଣ୍ଡିସ୍‌) ରୋଗରେ ପୀଡ଼ିତ ହୋଇଥିଲେ ଏବଂ ଜୁନ୍‌ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ୨୦୨୨ ଫେବ୍ରୁଆରି ୧୬ ତାରିଖରେ ଜୟନ୍ତୀ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି ବୋଲି ସେହିଦିନ ସନ୍ଧ୍ୟାରେ ତାଙ୍କ ପରିବାର ଲୋକେ ବ୍ୟବହାର କରୁଥିବା ମୋବାଇଲ (୯୬୬୮୫୧୪୪୭୨)କୁ ମେସେଜ୍‌ ଆସିଥିଲା। ଟିକା ଦେଇଥିବା ବ୍ୟକ୍ତିଙ୍କ ନାମ ଉର୍ମିଳା ଜେନା ଏବଂ ଟିକାକରଣ ସ୍ଥାନ ହାତୀଗଡ଼ ସିଏଚ୍‌ସି ବୋଲି ଜୟନ୍ତୀଙ୍କ ନାମରେ ମିଳିଥିବା କୋଭିଡ୍ ଟିକାକରଣ ପ୍ରମାଣପତ୍ରରେ ଉଲ୍ଲେଖ ରହିଛି।

ଏହି ମେସେଜ୍‌ ପାଇବା ପରେ ପରିବାର ଲୋକେ ବିସ୍ମିତ ହେବା ସହ କୋଭିଡ୍ ଟିକାଦାନରେ ଏହି ଗୁରୁତର ତ୍ରୁଟି ସମ୍ପର୍କରେ ‘ସମ୍ବାଦ’ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ, ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକଙ୍କ କହିବାନୁଯାୟୀ, ଏ ସଂକ୍ରାନ୍ତରେ ତାଙ୍କ ନିକଟରେ କେହି ଅଭିଯୋଗ କରିନାହାନ୍ତି। ଅଭିଯୋଗ ହେଲେ ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର