ସମ୍ବଲପୁରରେ ଶାନ୍ତି ବଜାୟ ରଖିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିବେଦନ

ସମ୍ବଲପୁର : ଐତିହ୍ୟ ସମ୍ପନ୍ନ ସମ୍ବଲପୁରରେ ଶାନ୍ତି ବଜାୟ ରଖିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ଶାନ୍ତି ପାଇଁ କରିଥିବା ପ୍ରୟାସକୁ ସମସ୍ତେ ସହଯୋଗ କରିବା ସମୟ ଉପନୀତ ହୋଇଛି। ବିଭିନ୍ନ ସମୟରେ ସହରରେ ଶାନ୍ତି ବ୍ୟାହତ କରିବା ପାଇଁ ହୋଇଥିବା ଉଦ୍ୟମକୁ ଶାନ୍ତିପ୍ରିୟ ସହରବାସୀ ପ୍ରତିହତ କରିଛନ୍ତି। ଏଥର ମଧ୍ୟ ଏହାହିଁ ହେବ। କୌଣସି ବିଭେଦ ସୃଷ୍ଟିକାରୀ ବିଷୟକୁ ଧ୍ୟାନ ନଦେବା ସକାଶେ ଇଂ. ପୂଜାରୀ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ ସମ୍ବଲପୁର ସହର ସବୁ ବେଳେ ଭାତୃଭାବ, ଭାଇଚାରା, ସର୍ବଧର୍ମ ସମଭାବ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଦୃଷ୍ଟାନ୍ତ ପ୍ରଦର୍ଶନ କରି ଆସିଛି। ଏଣୁ, ସମସ୍ତେ ଏହି ସମୟରେ ନିଜ ନିଜ ମଧ୍ୟରେ ସହଯୋଗର ହାତ ବଢ଼ାଇବା ଦରକାର। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ସମ୍ପର୍କ ଆହୁରି ସୁନ୍ଦର କରି ଆଇନ ଉପରେ ବିଶ୍ୱାସ ରଖି ଆଗକୁ ଅଗ୍ରସର ହେଲେ ସହରର ବାତାବରଣ ଉତ୍କୃଷ୍ଟ ଓ ଅନୁକୂଳ ହେବାରେ ସହାୟକ ହେବ। ଜାତି, ବର୍ଣ୍ଣ ନିର୍ବିଶେଷରେ ଭାଇଚାରା ଜାରି ରଖିବା ପାଇଁ ମଧ୍ୟ ଇଂ. ପୂଜାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର